ବୌଦ୍ଧ : ଯମଟାଙ୍ଗିରେ ମଦ ବିରୋଧୀ ଆନ୍ଦୋଳନ ତେଜିଲା

ବାଉଁଶୁଣି : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଯମଟାଙ୍ଗି ଗ୍ରାମର ମହିଳାମାନେ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ସୂଚନା ଅନୁଯାୟୀ, ଗ୍ରାମର ଜଣେ ବ୍ୟକ୍ତି ଗାଁରେ ବହୁଦିନ ହେଲା ମଦ ବିକ୍ରି କରୁଥିଲେ। ତେଣୁ ଗାଁରେ ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ଏହାର କୁପ୍ରଭାବ ଅନେକ ପରିବାରରେ ପଡୁଥିବା ଅଭିଯୋଗ ହେଉଥିଲା। ଏସବୁ ସତ୍ତ୍ୱେ ମଦବିକ୍ରି ବନ୍ଦ ହେଉନଥିବାରୁ ଗାଁର ୱାର୍ଡ ସଭ୍ୟା ପୁଷ୍ପାଞ୍ଜଳି ଦନାୟକଙ୍କ ନେତୃତ୍ୱରେ ଜୟ ଜଗନ୍ନାଥ, ବୁଢ଼ୀ ବାଉରୀ, ସୃଜନିକା ଆଦି ମହିଳା ଗୋଷ୍ଠୀର ମା’ମାନେ ଶନିବାର ଏକାଠି ହୋଇ ମଦ ବେପାରୀକୁ ଘେରିଥିଲେ।

କୌଶଳ କ୍ରମେ ବେପାରୀ ଫେରାର ହୋଇ ଯାଇଥିଲା। କିନ୍ତୁ ମହିଳାମାନେ ବେପାରୀଠାରୁ ପ୍ରାୟ ୫ଶହ ଦେଶୀ ମଦ ପାଉଚ୍‌କୁ ଜବତ କରିଥିଲେ। ଏହାପରେ ଏକ ଶୋଭାଯାତ୍ରାରେ ଆସି ମଦ ବିରୋଧୀ ସ୍ଲୋଗାନ୍‌ ଦେଇଥିଲେ। ଚୋରା ମଦ କାରବାର ଉପରେ ପୁଲିସ୍‌ ଏବଂ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଜବତ କରିଥିବା ସମସ୍ତ ମଦ ପାଉଚକୁ ବେପାରୀର ଘର ଆଗରେ ନିଆଁ ଲଗାଇ ପୋଡ଼ିଥିଲେ। ମଦ କାରବାର ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମହିଳାମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର