ତ୍ରିରଙ୍ଗାମୟ ହେଲା ରାଜଧାନୀର ଗାନ୍ଧୀମାର୍ଗ : ସିଏଏ ବିରୋଧରେ ବିଶାଳ ସମାବେଶ

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ(ସିଏଏ) ଜାତୀୟତା ଓ ସମ୍ବିଧାନ ବିରୋଧୀ। ଆମେ ଯଦି ଆମ ସମ୍ବିଧାନକୁ ରକ୍ଷା କରି ନ ପାରିବା, ତେବେ ଏ ଦେଶରେ ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା ଅସମ୍ଭବ ହେବ। କେନ୍ଦ୍ରରେ କେବଳ ‘ପ୍ରତିଶ୍ରୁତିର ସରକାର’ ଚାଲିଛି। ରାଜ୍ୟ ସରକାର ତାକୁ ସମର୍ଥନ କରୁଛି। ଏଣୁ ଆମେ ପ୍ରତାରିତ ହେଉଛୁ। ଆମ ଦେଶ ପାଇଁ ଏହା ବିପଜ୍ଜନକ। ଦେଶ ଥରେ ବିଭାଜନ ହୋଇଥିଲା। ଏବେ ସିଏଏ ଲାଗୁ କରି ପ୍ରଧାନମନ୍ତ୍ରୀ ମୋଦୀ ଆଉ ଥରେ ଦେଶକୁ ବିଭାଜନ କରିବାକୁ ଚାହୁଛନ୍ତି। ବିଜେଡି ସରକାର ମଧ୍ୟ ଏଥିରେ ହାତ ମିଶାଇଛି। କୌଣସି ପରିସ୍ଥିତିରେ ଏହି ସମ୍ବିଧାନ ବିରୋଧୀ ଆଇନକୁ ସମର୍ଥନ କରିବା ନାହିଁ। ଘରେ ବସି ଏହା ସମ୍ଭବ ହେବ ନାହିଁ, ରାସ୍ତାକୁ ଆସି ସମସ୍ତେ ଏହାର ପ୍ରତିବାଦ କରିବାକୁ ପଡ଼ିବ। ଆଜି ‘ଆମେ ଭାରତବାସୀ’ ପକ୍ଷରୁ ନାଗରିକତା ସଂଶୋଧନ ଆଇନ(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌)କୁ ବିରୋଧ କରି ମହାତ୍ମା ଗାନ୍ଧୀମାର୍ଗରେ ଆୟୋଜିତ ବିଶାଳ ସମାବେଶରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ନେତୃବୃନ୍ଦ ଏଭଳି ଆହ୍ବାନ ଦେଇଛନ୍ତି।

‘ଆମେ ଭାରତବାସୀ’ ବ୍ୟାନର୍‌ ତଳେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌ଏଲ୍‌) ପ୍ରଭୃତି ଦଳ ସହ ଶ୍ରମିକ, ଯୁବକ, ମହିଳା, ଛାତ୍ରଙ୍କୁ ମିଶାଇ ରାଜ୍ୟର କୋଣ ଅନୁକୋଣରୁ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଆଜିର ଏହି ସମାବେଶରେ ସାମିଲ ହୋଇଥିଲେ। ରାମମନ୍ଦିର ପାଖରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମହାତ୍ମାଗାନ୍ଧୀ ମାର୍ଗ‌ରେ ପହଞ୍ଚିଥିଲା। ପାଖାପାଖି ଶହେ ଫୁଟ୍‌ ଲମ୍ବାର ତ୍ରିରଙ୍ଗା ଯାତ୍ରା ହୋଇଥିଲା। ରାମମନ୍ଦିର ପଛ ରାସ୍ତା ଦେଇ ଏହି ପଟୁଆରକୁ କଡ଼ା ସୁରକ୍ଷା ବଳୟରେ ନିଆଯାଇଥିଲା। ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ମଞ୍ଚଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଥିଲା। ‘ମୋଦୀ ହଟାଅ, ସମ୍ବିଧାନ ବଞ୍ଚାଅ’ ମୋଦୀଠାରୁ ଆଜାଦି ଦରକାର’, ଏଭଳି ସ୍ଲୋଗାନ୍‌ରେ ମହାତ୍ମାଗାନ୍ଧୀ ମାର୍ଗ ଫାଟି ପଡ଼ିଥିଲା।

ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ନାଥୁରାମ ଗଡ଼୍‌ସେର ପ୍ରତିନିଧି ‌ଦେଶକୁ ଶାସନ କରୁଛନ୍ତି। ଆଜି ନିଷ୍ପତ୍ତି ନିଅନ୍ତୁ, ମହାତ୍ମା ଗାନ୍ଧୀଙ୍କ ସହ ରହିବେ ନା ନାଥୁରାମ ଗଡ଼୍‌ସେ ସହ ରହିବେ? ଏପ୍ରିଲ୍‌ ମାସରୁ ଏହାକୁ ପ୍ରତ୍ୟେକ ଘରୁ ବିରୋଧ ହେଉ। ଶ୍ରୀ ପଟ୍ଟନାୟକଙ୍କ ସହ ୮ ଜଣିଆ ସଭାପତି ମଣ୍ଡଳୀ ସ୍ୱାଧୀନ ପଟ୍ଟନାୟକ, ପ୍ରଫେସର ଆଶା ହଂସ, ଭଜମନ ବେହେରା, ପ୍ରଫୁଲ୍ଲ ସାମନ୍ତରା, ସେଖ୍‌ ଅବଦୁଲ୍ଲ ବାରି, ପ୍ରମିଳା ସ୍ବାଇଁ, ସୁଧୀର ପଟ୍ଟନାୟକ ଓ ସାମ୍ବାଦିକ ରବି ଦାସ ପ୍ରମୁଖ ସମ୍ବିଧାନର ମୁଖବନ୍ଧ ପାଠ କରିବା ସହ ଶପଥ ଗ୍ରହଣ କରିଥିଲେ। ମହାତ୍ମାଗାନ୍ଧୀ ଆଜିର ଦିନ (୩୦ ଜାନୁଆରି)ରେ ଆତତାୟୀ ଗୁଳିରେ ପ୍ରାଣ ହରାଇଥିଲେ। ପ୍ରାଣ ହରାଇଥିବା ସମୟ(ଅପରାହ୍‌ଣ ୫ଟା ୧୭)ରେ ଜାତୀୟ ସଂଗୀତ ଗାନ ପୂର୍ବକ ଗାନ୍ଧୀଜୀଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ହଜାର ହଜାର ଲୋକ ହାତରେ ତ୍ରିରଙ୍ଗା ଉଡ଼ାଇଥିଲେ। ଶେଷରେ ନରେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆରସି ପ୍ରତ୍ୟାହାର ଦାବିରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁର ରାଉତରାୟ, ସୁରେଶ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ଜନାର୍ଦ୍ଦନ ପତି, ଉଦ୍ଧବ ଜେନା, ସତୀଶ ମିଶ୍ର, ଅଭିରାମ ମଲ୍ଲିକ, ଉମାବଲ୍ଲଭ ରଥ, ଶେଖ ଅବଦୁଲ ବାରି, ଜ୍ୟୋତି ମହାପାତ୍ର, ଶିବ ରାମ, ଶ୍ରୀକାନ୍ତ ମହାନ୍ତି, ସୁଦର୍ଶନ ପ୍ରଧାନ, ସନ୍ଦୀପ ପତ୍ରି, ସଂଗ୍ରାମ ମଲ୍ଲିକ, ନିଶିକାନ୍ତ ମହାପାତ୍ର, ବୀରେନ୍ଦ୍ର ନାୟକ, ଅକ୍ଷୟ ମଲ୍ଲିକ, ମୁଫ୍‌ତି ଅବଦୁଲ ରହେମାନ, ବିଜୟ ବହିଦାର, ତୁଷାରକାନ୍ତ ଶତପଥୀ, ତାପସୀ ପ୍ରହରାଜ, ଅମୀୟ ପାଣ୍ଡବ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର