ରାଉରକେଲା : ଫେବୃଆରୀ ୧୬ରୁ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଆଜି (ସୋମବାର) ଠାରୁ ପ୍ରାର୍ଥୀପତ୍ର ଦାଖଲ। ଏଥିପାଇଁ ସରଗରମ ହେଲାଣି ଗାଁ ରାଜନୀତି। ପ୍ରଚାର, ସାଧାରଣ ସଭା ଓ ରାଲି ଉପରେ କଟକଣା ଲାଗିଥିବାରୁ ସୋସିଆଲ ମିଡ଼ିଆକୁ ଭରପୁର ଉପଯୋଗ କଲେଣି ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନି ଓ ସେମାନଙ୍କ ସମର୍ଥକ। ନିର୍ବାଚନ ବୈତରଣୀ ପାରି ହେବାକୁ ପରସ୍ପର ବିରୋଧୀ ନାରା ପୋଷ୍ଟ କରିବାରେ ଲାଗି ପଡ଼ିଲେଣି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। କଂଗ୍ରେସ, ବିଜେପି ଓ ଶାସକ ଦଳ ବିଜେଡି ଘର ଘର ଯାଇ ବୈଠକ ଆରମ୍ଭ କରିଦେଲେଣି। ସଂଧ୍ୟା ହେଲେ ଗାଁର ପ୍ରତି ଛକ, ଚା’ ଓ ପାନ ଦୋକାନରେ ଜମିଲାଣି ନିର୍ବାଚନ ଖଟି। କିଏ ଜିତିବ, କାହା ପାଇଁ କିଏ ଭାରି ପଡ଼ିବ ଓ କିଏ ପରାଜୟ ମୁହଁ ଦେଖିବ ଏମିତି କେତେ କ’ଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।
ଜିଲ୍ଲାରେ ମୋଟ ୨୭୯ ପଞ୍ଚାୟତ ଓ ୩୫ ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ହେବାକୁ ଯାଉଛି। ଚଳିତ ଥର କିଏ ବେଶି ପଞ୍ଚାୟତ ଓ ଜିଲ୍ଲା ପରିଷଦ ଜୋନ୍ ହାତେଇବ ତାକୁ ନେଇ ରାଜନନୈତିକ ସମୀକ୍ଷକଙ୍କ ମଧ୍ୟରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। ଉପାନ୍ତ ବ୍ଲକରେ ବିଶ୍ରା, ନୂଆଗାଁ, କୋତଇଡା, ଲହୁଣିପଡା, ଗୁରୁଣ୍ଡିଆ, ବାଲିଶଙ୍କରା, କୁତ୍ରା, ଟାଙ୍ଗରପାଲି ଆଦି ବ୍ଲକରେ ଆଶାୟୀ ପ୍ରାର୍ଥୀମାନେ କାନ୍ଥ ବାଡରେ ପୋଷ୍ଟର ଲଗାଇବ କାମ ଆରମ୍ଭ କରିଦେଇଛନ୍ତି। ନୂଆଗାଁ ବ୍ଲକରେ ତେତରକେଲା ପଞ୍ଚାୟତରେ ପ୍ରାର୍ଥୀ ବିରୋଧରେ ପୋଷ୍ଟର ୱାର ଦେଖିବାକୁ ମିଳିଛି। ତେତେରକେଲା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ଛିଡା ହୋଇ ଆସୁଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ଶୁଣାଶୁଣା ନେତା ଗଜେନ୍ଦ୍ର ସାହୁ। ପ୍ରତିଥର ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ବିଜୟୀ ହେଉଛନ୍ତି। ଚଳିତ ଥର ତେତେରକେଲା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ଛିଡା ହେବାକୁ ଯାଉଛନ୍ତି। ତାଙ୍କର କେହି ଜଣେ ପ୍ରତିଦ୍ବନ୍ଦୀ ଧମକପୂର୍ଣ୍ଣ ପୋଷ୍ଟର ଗଛରେ ଲଗାଇଛନ୍ତି। ପୋଷ୍ଟରରେ ଲେଖାଯାଇଛି ‘ ସାବଧାନ, ତେତେରକେଲା ଗ୍ରାମପଞ୍ଚାୟତବାସୀ ସାବଧାନ। ଲୁଟେରା ଆସୁଛି ଲୁଟିବା ପାଇଁ। ନିବେଦକ ତେତେରକେଲା ଗ୍ରାମବାସୀ ବୃନ୍ଦ। ଏଥିସହ ପୋଷ୍ଟରରେ ଗଜେନ୍ଦ୍ର ସାହୁଙ୍କ ଫଟୋ ମଧ୍ୟ ରହିଛି।
ଗଛରେ ଏଭଳି ପୋଷ୍ଟର ଦେଖିବା ପରେ ଗଜେନ୍ଦ୍ରଙ୍କ ସମର୍ଥକ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୋଷ୍ଟର ଲଗାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନେବାକୁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଲାଠିକଟା ବ୍ଲକରରେ ୧୮ଟି ପଞ୍ଚାୟତ, ତିନିଟି ଜିଲ୍ଲା ପରିଷଦ ଜୋନ୍, ନୂଆଗାଁରେ ୨୦ଟି ପଞ୍ଚାୟତ, ୨ଟି ଜିଲ୍ଲାପରିଷଦ ଜୋନ୍, ବିଶ୍ରା ବ୍ଲକରେ ୧୪ଟି ପଞ୍ଚାୟତ ଓ ୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ। ସେମିତି କୁଆରମୁଣ୍ଡା ବ୍ଲକରେ ୨୦ଟି ପଞ୍ଚାୟତ, ୨ଟି ଜିଲ୍ଲା ପରିଦେ, ଲହୁଣିପଡାରେ ୧୭ଟି ପଞ୍ଚାୟତ ଓ ଦୁଇଟି ଜିଳ୍ଲା ପରିଷଦ ଜୋନ୍, ବଣାଇ ବ୍ଲକରେ ୧୩ଟି ପଞ୍ଚାୟତ ଓ ୨ଟି ଜିଲ୍ଲା ପରିଷଦ, କୋଇଡାରେ ୧୫ଟି ପଞ୍ଚାୟତ ଓ ୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥଗୁଡ଼ିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଅତି ସମ୍ବେଦନଶୀଳ ବୁଥଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ସହ ସିସି ଟିଭିର ଲଗାଯିବାକୁ ଯୋଜନା ହେଉଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/85e3273e-01d2-41d9-95d2-5f4a46b3a985.jpg)
