କୁଷ୍ଠର ନିରାକରଣ ହିଁ ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ: ରାଜ୍ୟପାଳ

ରାଜ୍ୟସ୍ତରୀୟ କୁଷ୍ଠ ନିରାକରଣ ଦିବସ ପାଳିତ

ଭୁବନେଶ୍ବର : ଅନ୍ୟ ପାଇଁ ବଞ୍ଚିବା ଓ ଅନ୍ୟଠି ନିଜକୁ ଦେଖିବା ହିଁ ଭାରତୀୟ ତତ୍ତ୍ବ ଓ ଦର୍ଶନର ସାରାଂଶ ଏବଂ ଏଥିରେ ଜୀବନ ସାର୍ଥକ ହୋଇଥାଏ। ଆଜି ରାଜଭବନରେ ରାଜ୍ୟସ୍ତରୀୟ କୁଷ୍ଠ ନିରାକରଣ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କଥା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍। କୃଷ୍ଟ ରୋଗର ନିରାକରଣ ନିମନ୍ତେ ଯେଉଁ ସଂସ୍ଥା ଓ ବ୍ୟକ୍ତିବିଶେଷମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଏକ ଆଧ୍ୟାତ୍ମିକ ସେବା କରୁଛନ୍ତି। କୁଷ୍ଠ ରୋଗୀଙ୍କ ସେବା ହିଁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି ପ୍ରଫେସର ଶ୍ରୀ ଲାଲ୍ କହିଛନ୍ତି।

ହିନ୍ଦ୍‌ କୁଷ୍ଠ ନିବାରଣ ସଂଘର କାର୍ଯ୍ୟକୁ ପ୍ରଶଂସା କରି ରାଜ୍ୟପାଳ ପ୍ରଫେସର୍‌ ଲାଲ୍‌ କହିଥିଲେ, କୁଷ୍ଠ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେବା ଦରକାର। ଏହି ରୋଗ ପ୍ରତି ଥିବା ଭ୍ରାନ୍ତି ଓ ସାମାଜିକ ବାଛବିଚାରମୂଳକ ମନୋଭାବରେ ପରିବର୍ତ୍ତନ ହେବା ନିହାତି ଜରୁରୀ। ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କୁଷ୍ଠ ରୋଗର ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ବେଚ୍ଛାସେବୀ ତଥା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା, ହିନ୍ଦ୍‌ କୁଷ୍ଠ ନିବାରଣ ସଂଘର ଓଡ଼ିଶା ଶାଖା ସଚିବ ଡାକ୍ତର ଏସ୍‌.ପି. ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର