ଜିଲ୍ଲାପାଳଙ୍କ ଅଫିସ୍‌ ସାମ୍ନାରେ ମଦର ବନ୍ୟା

ନିରବଦ୍ରଷ୍ଟା ସାଜିଲେ ପୁଲିସ୍‌ ଓ ଅବକାରୀ ଅଧିକାରୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିଲା। ନିଶା କାରବାରକୁ ବିରୋଧ କରି ମହିଳାମାନେ ବିଭିନ୍ନ ସ୍ଥାନରୁ ଜବତ କରିଥିବା ଶହଶହ ଲିଟର ଦେଶୀ, ବିଦେଶୀ ମଦ ଆଣି ଆଜି ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ସମ୍ମୁଖରେ ଢାଳି ପ୍ରତିବାଦ କରିଥିଲେ। ଘଟଣାସ୍ଥଳରେ ଅବକାରୀ ବିଭାଗ ଓ ପୁଲିସ୍‌ କର୍ମଚାରୀମାନେ ଥିଲେ ମଧ୍ୟ ନିରବଦ୍ରଷ୍ଟା ପାଲଟିଥିଲେ। ମଦ ଢାଳିବା ପରେ ସଦସ୍ୟମାନେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ସମ୍ମୁଖରେ ଦୀପଜାଳି ଧାରଣା ଦେଇଥିଲେ। ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ସେମାନଙ୍କୁ ଡାକି ବୁଝାସୁଝା କରିବା ସହ ଅଭିଯୋଗ ଶୁଣିବା ପରେ ଆନ୍ଦୋଳନ ହଟିଥିଲା। ଆଜିର ଘଟଣାକୁ ନେଇ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା। ନିଶା କାରବାରକୁ ବିରୋଧ କରି ବାଲେଶ୍ୱର ମା’ ଘର ସଂଗଠନ ସଦସ୍ୟମାନେ ଏଭଳି ପ୍ରତିବାଦ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର