କଲ୍ୟାସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ନିୟମଗିରି ପାହାଡ଼ର ପାର୍ସାଲି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର କାନ୍ଥରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ମାଓବାଦୀମାନେ ନିୟମଗିରି ଅଞ୍ଚଳର ମହିଳାମାନଙ୍କୁ ମାଓ ସଂଗଠନରେ ସାମିଲ୍ କରି ନିରୀହ ଆଦିବାସୀ ଡଙ୍ଗରିଆମାନଙ୍କ ସରଳତାର ସୁଯୋଗ ନେଇ ଝିଅ ବୋହୂଙ୍କ ଇଜ୍ଜତ ସହିତ ଖେଳୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ କିଛି ନାବାଳିକା ଝିଅମାନଙ୍କୁ ମାଓ ସଂଗଠନରେ ସାମିଲ କରି ଯୌନ ଅତ୍ୟାଚାର କରି ଗର୍ଭନଷ୍ଟ କରିଛନ୍ତି।
ଛତିଶଗଡ଼ ଅଞ୍ଚଳର ଲକ୍ଷ୍ମୀ ନାମକ ଜଣେ କ୍ୟାଡରଙ୍କୁ ଗର୍ଭବତୀ କରି ଛାଡ଼ିଦେଇଥିଲେ। ଏବେ ଲକ୍ଷ୍ମୀଙ୍କର ୧୩ ବର୍ଷର ଝିଅ ଲାଖପଦର ଗ୍ରାମରେ ଅନାଥ ଭାବେ ରହୁଛି।ଏହାସହ ଲାଖପଦର ଗ୍ରାମର ପାର ଶିକକା, ମିଞ୍ଜାଳି ଶିକକା, କୁର୍ସୁମୁହି ଗ୍ରାମର ପଦ୍ମା ଶିକକା ଯିଏକି ଏବେ ୬ମାସର ଗର୍ଭବତୀ ଅଛନ୍ତି। ଏମାନେ ସଂଗଠନରୁ ତଡାଖାଇ ବିଭିନ୍ନ ଗ୍ରାମରେ ଭିକ୍ଷାମାଗି ଦୁର୍ଦିନରେ ଦିନ କାଟୁଛନ୍ତି। ସଭ୍ୟସମାଜରୁ ଆମ ସଂଗଠନର ନେତୃତ୍ବ ନେଉଥିବା ଲିଙ୍ଗରାଜ ଆଜାଦ ମାଓବାଦୀମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି। ନିୟମଗିରି ନେତା ଲଦଶିକକା, ଡ୍ରିଞ୍ଜୁ କୁର୍ସିକା, ସୋମ୍ବାରୁ ଶିକକା ମାଓବାଦୀମାନଙ୍କ ସହ କୌଣସି ସମ୍ପର୍କ ନାହିଁ କହୁଥିବା ବେଳେ ନିୟମଗିରି ଅଞ୍ଚଳର ଡଙ୍ଗରିଆ ଝିଅମାନେ ମାଓ ସଂଗଠନରେ ସାମିଲ ହେଲେ କେମିତି ? ସେହି ସମୟରେ ନିୟମଗିରିର ଉକ୍ତ ଡଙ୍ଗରିଆ ନେତାମାନେ ମାଓବାଦୀମାନଙ୍କୁ ମନା କରିପାରିବେ କି?
ଆମେ ମାନବାଧିକାର ଅନୁଷ୍ଠାନକୁ ମଧ୍ୟ ଅନୁରୋଧ କରୁଛୁ ଡଙ୍ଗରିଆ ଜନଜାତିକୁ ରକ୍ଷାକରିବା ପାଇଁ ଏହି ଧ୍ବଂସକାରୀ ମାଓବାଦୀ ଓ ଧଳାହାତୀଙ୍କୁ ଏହି ଏରିଆରେ ପ୍ରବେଶ କରିବାପାଇଁ ବାରଣ କରନ୍ତୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ସଚେତନ ଡଙ୍ଗରିଆ ଯୁବପରିଷଦ, ନିୟମଗିରି ସୁରକ୍ଷା ସମିତି ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି।