ମାଓ ଦମନ ଅଭିଯାନ ତୀବ୍ର ହେବ

କୋରାପୁଟ : ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟ ପରିସରରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର ଯୋଗ ଦେଇଥିଲା ବେଳେ ଓଡ଼ିଶା ପୁଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। ଗୁଇନ୍ଦା ବିଭାଗକୁ ଶକ୍ତିଶାଳୀ କରିବା ସହ ଅପରେସନକୁ ଜୋରଦାର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସେହିପରି ପୁଲିସ ଓ ଯବାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ଉପରେ ଗୁରୁତ୍ୱ ଦିଆଯାଇଛି।

ଓଡ଼ିଶାରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ମାଓବାଦୀମାନେ କେତୋଟି ନୂଆ କରିଡର ତିଆରି କରିଛନ୍ତି। ସେମାନେ ପୁରୁଣା ଜାଗା ଛାଡି କିଛି ନୂଆ ଜିଲ୍ଲାରେ ସଂଗଠନ ଦୃଢ କରୁଛନ୍ତି। ଏହା ପୁଲିସର ଚିନ୍ତା ବଢାଇ ଦେଇଛି। ଏଭଳି ସ୍ଥିତିରେ ଆଜି ପୁଲିସର ଏକ ଉଚ୍ଚସ୍ତରୀୟ ବୈଠକ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାରଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଅପରେସନ ଆଇଜି ଆର.ପି କୋଚ୍ଚେ, ଡିଆଇଜି ଏସ. ସାଇନି, ବିଏସଏଫ ଡିଆଇଜି ଏ.କେ ସିଂହ, ସିଆରପିଏଫ ଡିଆଇଜି ହର ଜିନ୍ଦର ସିଂହଙ୍କ ସମେତ ବିଏସଏଫ ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହା ସହିତ କୋରାପୁଟ ଏସପି ଡ. କନଓ୍ଵର ବିଶାଳ ସିଂହ, ମାଲକାନ୍‌ଗିରି ଏସପି ଜଗମୋହନ ମୀନା, କୋବ୍ରା କମାଣ୍ଡାଣ୍ଟ, ବିଏସଏଫ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମାଓବାଦୀଙ୍କ ଗତିବିଧି ନେଇ ବିସ୍ତତ ଆଲୋଚନା ହୋଇଥିବା ଜଣାପଡିଛି।

ମାଓ କାର୍ଯ୍ୟକଳାପ ଏବେ ନିୟନ୍ତ୍ରଣାଧୀନ ଥିବାରୁ ଏହି ସମୟରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶେଷକରି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାଓବାଦୀଙ୍କ ଗତିବିଧି ନେଇ ଠୋସ ସୂଚନା ସଂଗ୍ରହ କରି ଆକ୍ରମଣକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି। ଏ ଦିଗରେ ଉଭୟ ଓଡ଼ିଶା ପୁଲିସ, ବିଏସଏଫ ଓ ସିଆରପିଏଫ ମିଳିତ ଭାବେ କାମ କରିବେ। ସମସ୍ତଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ଦିଗରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଗତ ଦିନରେ ହୋଇଥିବା ମାଓ କାର୍ଯ୍ୟକଳାପ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। କେଉଁଠି କ’ଣ ତ୍ରୁଟି ରହିଛି ସେ ସଂପର୍କରେ ଆଲୋଚନା କରାଯିବା ସହ ତୁରନ୍ତ ଏଥିରେ ସୁଧାର ଆଣିବାକୁ ନିର୍ଦେଶ ଦେଇଥିଲେ ବରିଷ୍ଠ ଅଧିକାରୀ। ମାଓବାଦୀମାନେ ଯେମିତି ସେମାନଙ୍କ ସଂଗଠନକୁ ଆଉ ଦୃଢ କରିପାରିବେ ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଏ ଦିଗରେ ସୁରକ୍ଷା ପରାମର୍ଶଦାତା ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବା ଜଣାପଡିଛି। ତେବେ ଏଥିନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଗଣମାଧ୍ୟମକୁ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର