ତିନି ରାଜ୍ୟର ମିଳିତ କମ୍ବିଂ ଆରମ୍ଭ ହେବ

ମାଓ ମୁକାବିଲାର ସମୀକ୍ଷା କଲେ ପୁଲିସ ମହାନିର୍ଦେଶକ

ମାଲକାନଗିରି : ମାଲକାନଗିରି ଜିଲ୍ଲାକୁ ମାଓବାଦୀ ମୁକ୍ତ ଅଞ୍ଚଳ କରିବା ପାଇଁ ସମୟ ଲାଗିବ। ବିଳମ୍ବ ହେଲେ ମଧ୍ୟ ମାଓବାଦୀଙ୍କୁ ଦମନ କରାଯିବ। ମାଓ ଦମନ ପାଇଁ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପୁଲିସ ପକ୍ଷରୁ ମିଳିତ କମ୍ବିଂ କରାଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା। ପୁଲିସ ମହାନିର୍ଦେଶକ ଶ୍ରୀ ଶର୍ମା ମାଲକାନଗିରି ଗସ୍ତରେ ଆସି ମାଓ ଦମନ ନେଇ ସମୀକ୍ଷା କରିଥିଲେ। ତାଙ୍କ ସହ ଆଇଜି ଅପରେସନ ଆର.ପି.କୋଚେ, କ୍ରାଇମବ୍ରାଞ୍ଚ ଆଇଜି ଅସିତ ପାଣିଗ୍ରାହୀ, ଆଇଜି (ଗୁଇନ୍ଦା) ନରସିଂହ ଭୋଳ, କୋରାପୁଟ ଡିଆଇଜି ଏସ.ସାଇନି, ଗୁଇନ୍ଦା ନିର୍ଦେଶକ ସୁନିଲ ରାୟ,ମାଲକାନଗିରି ଏସପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ। ସେ ମାଲକାନଗିରି ପହଞ୍ଚିବା ପରେ ପ୍ରଥମେ ବିଛିନ୍ନାଞ୍ଚଳ ଗସ୍ତ କରିଥିଲେ। ବଡପଡା ଠାରେ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ବିଏସଏଫ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିଚ୍ଛିନ୍ନାଞ୍ଚଳରେ ମାଓ ଦମନ ନେଇ ଆଲୋଚନା କରିଥିିଲେ। ଆନ୍ଧ୍ର,ଛତିଶଗଡ ଏବଂ ଓଡିଶା ପୁଲିସ ପକ୍ଷରୁ ମିଳିତ ଭାବେ ମାଓ ଦମନ ନେଇ ଯୋଜନା ପ୍ରସ୍ତୁତ କରାଯିବ। କମ୍ବିଂକୁ ଜୋରଦାର କରାଯିବ ବୋଲି  ଶ୍ରୀ ଶର୍ମା କହିଥିଲେ। ପରେ ସେ ଗୁରୁପ୍ରିୟା ସେତୁ ମଧ୍ୟ ପରିଦର୍ଶନ କରିଥିଲେ।

ଏହାପରେ ମାଲକାନଗିରି ପହଞ୍ଚି ବିଏସଏଫ ଯବାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ ରହିଥିବା ଏସଓଜି, ଡିଭିଏଫ,ବିଏସଏଫ ମଧ୍ୟରେ ସମନ୍ଵୟ ରକ୍ଷା କରି ଆବଶ୍ୟକ ସ୍ଥଳେ ମିଳିତ କମ୍ବିଂ କରାଯିବ ବୋଲି କହିଥିଲେ। ପୁଲିସକୁ ଚ୍ୟାଲେଞ୍ଜ କରି ମାଓବାଦୀମାନେ ଯବାନଙ୍କ ରାସନ ସାମଗ୍ରୀ ଲୁଟିବା ସଂପର୍କରେ ଡିଜି ଶ୍ରୀ ଶର୍ମା କହିଥିଲେ ଯେ ପୁଲିସକୁ ଚକ୍‌ମା ଦେବା ପାଇଁ ନକ୍ସଲ ରଣନୀତି ବଦଳାଉଛନ୍ତି। ତେବେ ବିଳମ୍ବ ହେଲେ ମଧ୍ୟ ମାଓବାଦୀଙ୍କୁ ଦମନ କରାଯିବ।

ସମ୍ବନ୍ଧିତ ଖବର