ଯବାନଙ୍କ ଘେରରେ ୨୦୦ ନକ୍ସଲ୍‌ : ସିଲ୍‌ ହେଲା ମାଲକାନଗିରି ସୀମା, ଉଭୟ ପଟୁ ସଶସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତି

ନୂଆ ନକ୍ସଲ ବିରୋଧୀ ବାହିନୀ ‘ବ୍ଲାକ୍‌ ପାନ୍ଥର’

ମାଲକାନଗିରି : ଛତିଶଗଡ଼ର ଚଲନାରାଠାରେ ବଡ଼ଧରଣର ହମ୍‌ଲା ପରେ ନକ୍ସଲମାନେ ଖସିଯିବାକୁ ଉଦ୍ୟମ ଚଳାଇଥିବା ବେଳେ ସେମାନଙ୍କୁ ଚାରିପଟୁ ଘେରି ଯାଇଛନ୍ତି ସୁରକ୍ଷା ବାହିନୀ। ଗତକାଲିର ଆକ୍ରମଣରେ ସାମିଲ ଥିବା ପ୍ରାୟ ୨୦୦ ନକ୍ସଲ ଛତିଶଗଡ଼ ପଟୁ ମାଲକାନଗିରି ଆସୁଥିବାର ଖବର ମିଳିବା ପରେ ଅଧିକ ସଂଖ୍ୟକ ଫୋର୍ସ ପଠାଯାଇଛି। ସେମାନଙ୍କ ପଥ ଅବରୋଧ କରିବା ପାଇଁ ସୁରକ୍ଷା ଯବାନ୍‌ମାନେ କଡ଼ା ପହରା ଦେଉଛନ୍ତି। ସେମାନଙ୍କୁ ନିପାତ କରିବା ଲାଗି ଯେକୌଣସି ମୁହୂର୍ତରେ ବଡ଼ ଧରଣର ଅପରେସନ ଆରମ୍ଭ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକଶ।

ଗତକାଲି ନକ୍ସଲମାନେ ବଡ଼ଧରଣର ହମ୍‌ଲା କରିଥିଲେ। ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲା ଚଲନାରା ଜଙ୍ଗଲରେ ଆଇଇଡି ଖଞ୍ଜି ଯେଉଁ ବିସ୍ଫୋରଣ ଘଟାଇଥିଲେ, ସେଥିରେ ୭ ଜଣ ସୁରକ୍ଷା ଯବାନ୍‌ ସହିଦ୍‌ ହୋଇଛନ୍ତି। ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ବିସ୍ଫୋରଣସ୍ଥଳ ପରିଦର୍ଶନ କରିବା ସହ ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଯବାନମାନେ ଏସ୍‌ଓପି (ସ୍ପେଶାଲ୍‌ ଅପରେସନ୍‌ ପ୍ରୋସିଜିଓର୍‌ ବା ବିଶେଷ ଅପରେସନ୍‌ ପ୍ରକ୍ରିୟା) ପାଳନ କରିଥିଲେ ନା’ ନାହିଁ, କେତେ ନକ୍ସଲ ଏହି ଘଟଣାରେ ସଂପୃକ୍ତ ଥିଲେ, ସେମାନଙ୍କ ନେତୃତ୍ୱ କିଏ ନେଉଥିଲା, ଘଟଣା ପରେ ନକ୍ସଲ କେଉଁ ରାସ୍ତା ଦେଇ ଯାଇଥିଲେ ଯାଞ୍ଚ କରିଥିଲା- ଏସବୁର ଅନୁଧ୍ୟାନ ପରେ ତଦନ୍ତକାରୀ ଦଳକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।

ମିଳିଥିବା ତଥ୍ୟ ଅନୁସାରେ, ଏକ ବଡ଼ଧରଣର ଆକ୍ରମଣ କରିବା ପାଇଁ ନକ୍ସଲମାନେ ବହୁ ପୂର୍ବରୁ ଯୋଜନା କରିଥିଲେ। ସୁରକ୍ଷା ଯବାନମାନେ ଏକ ଘରୋଇ ଗାଡ଼ିରେ ଯାଉଥିବା ସମ୍ପର୍କରେ ସୂଚନା ପାଇବା ପରେ ଏହି ସୁଯୋଗକୁ ସେମାନେ ହାତଛଡ଼ା କରିନଥିଲେ। କମାଣ୍ଡର ବିନୋଦ ନେତୃତ୍ୱରେ ଘଟଣାସ୍ଥଳ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ୨ ଶହରୁ ଊର୍ଧ୍ୱ ନକ୍ସଲ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୦ରୁ ୩୦ଜଣ ସାଦା ପୋଷାକରେ ଥିବାବେଳେ ଅନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ୟୁନିଫର୍ମ ପିନ୍ଧି ରହିଥିଲେ। ଗାଡ଼ିକୁ ଦେଖିବା ପରେ ପ୍ରଥମେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଏହାପରେ ଆଖିବୁଜା ଗୁଳି ଚଳାଇ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ କରିଥିଲେ। ତେବେ ବିସ୍ଫୋରଣ ଯୋଗୁଁ ବହୁ ଦୂରରେ ପଡିଥିବା ଗୋଟିଏ ଏକେ-୪୭ ରାଇଫଲ୍‌ ନେଇପାରି ନାହାନ୍ତି। ଯାହାକୁ ଆଜି ତଦନ୍ତକାରୀ ଦଳ ଜବତ କରିଛି। ଯବାନମାନେ ରାସ୍ତା କାମକୁ ସୁରକ୍ଷା ଯୋଗାଇ ଦେବାକୁ ଯିବା ସମୟରେ ଏସଓପି ପାଳନ କରି ନଥିଲେ। ଫଳରେ, ଏହିଭଳି ଏକ ଅଭାବନୀୟ ଘଟିଥିବା ତଦନ୍ତକାରୀ ଦଳ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଏହି ଘଟଣା ଘଟାଇବା ପରେ ଆକ୍ରମଣରେ ସାମିଲ୍‌ ହୋଇଥିବା ୨୦୦ ନକ୍ସଲ ମାଲକାନଗିରି ସୀମାକୁ ଚାଲି ଆସିଛନ୍ତି। ଗତକାଲିର ବିସ୍ଫୋରଣସ୍ଥଳ ଚଲନାରା ମାଲକାନଗିିରି ସୀମାଠାରୁ ୭୦ କିଲୋମିଟର ଦୂର। ସେମାନେ ଏବେ ସୀମାର ପାଖାପାଖି ୨୦ରୁ ୩୦ କିଲୋମିଟର ପାଖକୁ ଚାଲି ଆସିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସେମାନଙ୍କୁ ଛତିଶଗଡ଼ ଓ ମାଲାକାନଗିରି ପଟୁ ସୁରକ୍ଷା ଯବାନ୍‌ମାନେ ଘେରାଉ କରି ରଖିଛନ୍ତି।

ଗତକାଲିର ଘଟଣା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ଛତିଶଗଡ଼ ଗସ୍ତରେ ଆସିଥିଲେ। ନକ୍ସଲ ଦମନ ପାଇଁ ସେ ବରିଷ୍ଠ ପୁଲିସ ଅଧିକାରୀ ଓ ସିଆରପିଏଫ ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ତାଙ୍କୁ ଗତକାଲିର ଘଟଣା ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ନକ୍ସଲଙ୍କୁ ଦମନ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରି ଅପରେସନ୍‌କୁ ଜୋର୍‌ଦାର୍‌ କରାଯିବ। ଏଥିସହିତ ସେମାନଙ୍କ ଗଡ଼ରେ ପଶିବା ପାଇଁ ନିର୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ, ଛତିଶଗଡ଼ରେ ମାଓବାଦୀ ଦମନ ପାଇଁ ଗ୍ରେହାଉଣ୍ଡ ସ୍ତରର ଏକ ନୂଆ ନକ୍ସଲ ବିରୋଧୀ ବାହିନୀ ‘ବ୍ଲାକ ପାନ୍ଥର’ ମୁତୟନ କରାଯିବ। ଏହି ନୂତନ ବାହିନୀର ଏବେ ତାଲିମ ଚାଲିଥିବା ବେଳେ ଅତିଶୀଘ୍ର ସେମାନଙ୍କୁ ମାଓ ଦମନ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଶ୍ରୀ ସିଂହ କହିଥିଲେ।

ଏହି ନିର୍ଦ୍ଦେଶ ପାଇବା ପରେ ଏବେ ଉଭୟ ଛତିଶଗଡ଼ ଓ ମାଲକାନଗିରି ପଟୁ ସୁରକ୍ଷା ଯବାନ୍‌ ସଜାଗ ହୋଇରହିଛନ୍ତି। ଗତକାଲିର ଅପରେସନ୍‌ରେ ସାମିଲ୍‌ ହୋଇଥିବା ୨୦୦ ଜଣ ନକ୍ସଲ ସେମାନଙ୍କ ଘେରରେ ରହିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ଧରଣର ଅପରେସନ୍‌ ଆରମ୍ଭ ହେବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର