ଜୋରଦାର ହେବ ମାଓ ଅପରେସନ୍‌: ଡିଜି

ଭୁବନେଶ୍ୱର : ଦୁଇ ଦିନ ତଳେ ଛତିଶଗଡ଼ର ବସ୍ତର ଅଞ୍ଚଳରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ୍‌ ପ୍ରହାର’ରେ ବେଶ ସଫଳତା ମିଳିଥିଲା। ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରାଯିବା ସହିତ ବହୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା। ସମାନ ଢ଼ଙ୍ଗରେ ଖୁବ ଶୀଘ୍ର ଓଡ଼ିଶାରେ ଅପରେସନ୍‌ ପ୍ରହାର ଆରମ୍ଭ କରାଯିବ। ଏଥିପାଇଁ ଆଜି ଅପରାହ୍‌ଣରେ ରାଜ୍ୟ ମୁଖ୍ୟ ଗୁଇନ୍ଦା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ି ଅଧ୍ୟକ୍ଷତା କରିଥିଲେ।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି, ଗତିବିଧି ଓ କାର୍ଯ୍ୟକଳାପ ନେଇ ଆଲୋଚନା ହୋଇଥିଲା। ମାଓବାଦୀମାନଙ୍କୁ କେଉଁମାନେ ନୈତିକ ସମର୍ଥନ ଦେଉଛନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା। ତେଣୁ ଖୁବ ଶୀଘ୍ର ଗୁଇନ୍ଦା ତଥ୍ୟକୁ ଆଧାର କରି ରାଜ୍ୟରେ ଅପରେସନ୍‌ ପ୍ରହାର ଆରମ୍ଭ ହେବ। ଏଥିରେ ଏସ୍‌ଓଜି, ବିଏସ୍‌ଏଫ୍‌ ଓ ସିଆରପିଏଫ୍‌ ଜବାନ ସାମିଲ ହେବେ। ଆବଶ୍ୟକ ହେଲେ ବିଏସ୍‌ଏଫ୍‌ର ହେଲିକପ୍ଟରର ସହଯୋଗ ନିଆଯିବ। ବୈଠକରେ ଲଳିତ ଦାସ, ସନ୍ତୋଷ ବାଲା, ଅରୁଣ ଷଢ଼ଙ୍ଗୀ, ସୁନୀଲ ରୟ ପ୍ରମୁଖ ବରିଷ୍ଠ ଆଇପିଏସ ଅଧିକାରୀ, ଗୁଇନ୍ଦା ଅଧିକାରୀ ବିଏସ୍‌ଏଫ୍‌ ଆଇଜି ଏକେ ସିଂହ, ସିଆରପିଏଫ୍‌ ଆଇଜି ଏକେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର