ରାଉରକେଲା: ନକ୍ସଲ ସଙ୍ଗଠନକୁ ମୂଳପୋଛ କରିବା ପାଇଁ ଓଡ଼ିଶା-ଝାଡ଼ଖଣ୍ଡ-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ୍‌କୁ ଆହୁରି ଜୋରଦାର କରାଯିବ। ଏଥିରେ ୩ ରାଜ୍ୟର ସଶସ୍ତ୍ର ପୁଲିସ ସହିତ କେନ୍ଦ୍ରୀୟ ଯବାନ ସାମିଲ ହେବେ। ଯେଉଁ ଅଞ୍ଚଳରେ ନକ୍ସଲ ସଙ୍ଗଠନ ସକ୍ରିୟ ଅଛି, ସେହି ଅଞ୍ଚଳରେ ମିଳିତ ଅପରେସନ୍‌କୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ଆଜି ସୁନ୍ଦରଗଡ଼, କେନ୍ଦୁଝର ସହ ସୀମାନ୍ତ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ରାଉରକେଲା ପୁଲିସ ମୁଖ୍ୟାଳୟରେ ମିଳିତ ବୈଠକ ବସିଥିଲା। ଏଥିରେ ଉତ୍ତରାଞ୍ଚଳ (ସମ୍ବଲପୁର) ଆଇଜି ହିମାଂଶୁ ଲାଲ୍‌, ଝାଡ଼ଖଣ୍ଡ ଚାଇଁବସା ଏସ୍‌ପି ଆଶୁତୋଷ ଶେଖର, ସିଆର୍‌ପିଏଫ୍‌ ଡିଆଇଜି ପୁରନ ସିଂ, ଏଏସ୍‌ପି ଅପରେସନ୍‌ ପାରସ୍‌ ରାଣା, ମନୋହରପୁର ଏସ୍‌ଡିପିଓ ଜୟଦୀପ ଲାକ୍ରା, ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଓ କେନ୍ଦୁଝର ଏସ୍‌ପି କୁସଲକର ନୀତିନ ଦଗ୍‌ଡୁ ପ୍ରମୁଖ ଉପସ୍ଥିତ ଥିଲେ। 

Advertisment

ରାଉରକେଲାରେ ପୁଲିସ ମହାନିର୍ଦ୍ଦେଶକ
ଓଡ଼ିଶା-ଝାଡ଼ଖଣ୍ଡ ପୁଲିସର ମିଳିତ ବୈଠକ
ସୀମାନ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା

ବୈଠକରେ ସୁନ୍ଦରଗଡ଼, ରାଉରକେଲା, କେନ୍ଦୁଝର ଜିଲ୍ଲା ସମେତ ସୀମାନ୍ତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ, ନକ୍ସଲ ଗତିବିଧି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଯେଉଁସବୁ ସ୍ଥାନରେ ନକ୍ସଲ ସଙ୍ଗଠନର ଉପସ୍ଥିତି ରହିଛି, ତୁରନ୍ତ ସେ ସବୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରାଯିବ। ଏହାଛଡ଼ା ଅପରାଧ, ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା ସହ ଆଗାମୀ ଦିନର କାର୍ଯ୍ୟଶୈଳୀ ସମ୍ପର୍କରେ ବିଚାରବିମର୍ଶ କରାଯାଇଛି। ଶ୍ରୀ ଖୁରାନିଆ କହିଛନ୍ତି, ଓଡ଼ିଶା ପୁଲିସରେ ବର୍ତ୍ତମାନ ପ୍ରାୟ ୧୬ ହଜାର ୫୦୦ ପଦବି ଖାଲି ରହିଥିବାବେଳେ କନେଷ୍ଟବଳ ଓ ସବ୍‌ ଇନ୍ସପେକ୍ଟର ପଦବି ପୂରଣ ପ୍ରକ୍ରିୟା ଜାରି ରହିଛି। ପୁଲିସ ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। ରାଜ୍ୟରେ ମୋଟ ୧୨ ଜଣ ପାକିସ୍ତାନୀ ନାଗରିକ ଅଛନ୍ତି। ଏ ପର୍ଯ୍ୟନ୍ତ ଜଣେ ନାଗରିକ ଭାରତ ଛାଡ଼ିଥିବା ସୂଚନା ରହିଛି। ଯେଉଁମାନେ ଦୀର୍ଘକାଳୀନ ଭିସା ପାଇଛନ୍ତି ସେମାନଙ୍କ ଆବେଦନ ଗୃହ ମନ୍ତ୍ରଣାଳୟର ବିଚାରାଧୀନ ରହିଛି। ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ବା ନିର୍ଦ୍ଦେଶ ଦେବେ ତାହା ପାଳନ କରାଯିବ ବୋଲି ଶ୍ରୀ ଖୁରାନିଆ କହିଥିଲେ।