ମାଲକାନଗିରି : ଆଉ ପୋଷ୍ଟର ନୁହେଁ, ମାଓବାଦୀଙ୍କ ସହ ସିଧାସଳଖ ଲଢ଼େଇ ହେବ। ନକ୍ସଲ ପ୍ରଭାବିତ ଗାଁରେ ଲୋକଙ୍କୁ ସଚେତନ କରାଯିବ। ନକ୍ସଲଙ୍କ ବର୍ବରତା ଏବଂ ସରକାରଙ୍କ ବିକାଶ ସଂପର୍କରେ କୁହାଯିବ। ଆବଶ୍ୟକ ପଡ଼ିଲେ ଉନ୍ନୟନ ମୂଳକ କାମ ସହ ଲୋକଙ୍କୁ ସୁରକ୍ଷା ବି ଯୋଗାଇ ଦେବ। ସଶସ୍ତ୍ର ଆଦିବାସୀ ଯୁବକଙ୍କୁ ଏହି କାମରେ ନିୟୋଜିତ କରାଯିବ। ନକ୍ସଲ ବିରୋଧୀ ସଂଗଠନ ସଂପୂର୍ଣ୍ଣ ହିଂସା ମୁକ୍ତ ଅଭିଯାନ ଏମିତି ନିଷ୍ପତ୍ତି ନେଇଛି। ଏଥିପାଇଁ ଆଦିବାସୀ ଯୁବକଙ୍କୁ ତାଲିମ ଦିଆଯାଇ ସଂଗଠନରେ ଭର୍ତି କରିବାକୁ ବି ସଂଗଠନ ପ୍ରକ୍ରିୟା ଆରମ୍ଭ କରି ସାରିଲାଣି।
ନକ୍ସଲଙ୍କ ସହ ସମ୍ମୁଖ ଲଢ଼େଇ ପାଇଁ ଏଏନ୍ପିପିଏଫ୍ (ଆଣ୍ଟି ନକ୍ସଲ ପିପୁଲସ୍ ପିସ୍ ଫୋର୍ସ) ଗଠନ କରିଛି ସଂପୂର୍ଣ୍ଣ ହିଂସା ମୁକ୍ତ ଅଭିଯାନ। ଓଡ଼ିଶାର ନକ୍ସଲ ପ୍ରଭାବିତ ୫ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ ଏବଂ କଳହାଣ୍ଡି ଜିଲ୍ଲାରେ ଏହି ଫୋର୍ସ ଗଠନ କରି ନକ୍ସଲଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରାଯାଇଛି। ମାଲକାନଗିରି ଜିଲ୍ଲାରେ ୨୦୦, କୋରାପୁଟ ଜିଲ୍ଲାରେ ୧୦୦, ରାୟଗଡା ଜିଲ୍ଲାରେ ୧୦୦, କଳାହାଣ୍ଡି ଜିଲ୍ଲାରେ ୧୦୦ ଏବଂ କନ୍ଧମାଳ ଜିଲ୍ଲାରେ ୧୦୦ ଜଣ ଯୁବକଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ୬ଶହ ଯୁବକଙ୍କୁ ନେଇ ଗଠନ ହେବାକୁ ଥିବା ଏହି ଫୋର୍ସ ନକ୍ସଲଙ୍କ ପିପୁଲ୍ସ ଲିବେରେସନ ଗରିଲା ଆର୍ମି (ପିଏଲଜିଏ)କୁ ଟକ୍କର ଦେବାକୁ ଯାଉଛି। ଏଏନପିପିଏଫ ସଂପୂର୍ଣ୍ଣ ହିଂସାମୁକ୍ତ ଅଭିଯାନର ଆବାହକ ଭାରତ ଭୂଷଣଙ୍କ ମାର୍ଗଦର୍ଶନରେ ରାଜ୍ୟରେ କାମ କରିବ। ସେହିପରି ଏହି ଆଣ୍ଟି ନକ୍ସଲ ପିପୁଲସ୍ ପିସ୍ ଫୋର୍ସର ମାଲକାନଗିରି ଦାୟିତ୍ୱରେ ରହିବେ ଏସ.ଶିଶା, କୋରାପୁଟ ଏବଂ ରାୟଗଡା ଦାୟିତ୍ୱରେ ରହିବେ ତ୍ରିନାଥ କୁମାର, କଳାହାଣ୍ଡି ଏବଂ କନ୍ଧମାଳ ଦାୟିତ୍ୱରେ ରହିବେ ପି.ପଳାସି। ଏହାବ୍ୟତୀତ ସଂପୂର୍ଣ୍ଣ ରାଜ୍ୟ ଦାୟିତ୍ୱ ଏ.ଭୁୟାଁ ଏବଂ ପି.ବିଜୟ ନାଇଡୁଙ୍କୁ ଦିଆଯାଇଛି। ନକ୍ସଲ ହିଂସାରୁ ଜନତାଙ୍କୁ ସୁରକ୍ଷା ଦେବା ଏବଂ ରାଜ୍ୟର ବିଭିନ୍ନ ନକ୍ସଲ ପ୍ରବାଭିତ ଜିଲ୍ଲାରେ ବିକାଶ କାମକୁ ତ୍ୱରାନ୍ଵିତ କରିବାକୁ ହିଁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି। ତାଲିମ ପାଇଁ ବହୁ ଯୁବକଙ୍କୁ ଅତିଶୀଘ୍ର ଡକାଯିବ। ଏହାପରେ ସେମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଇ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ। ପାରଂପରିକ ଅସ୍ତ୍ରଶସ୍ତ୍ର ଧରି ଏହି ସେନା ନକ୍ସଲ ବିରୋଧରେ ରଣଭୂମିରେ ଓହ୍ଲାଇବ ବୋଲି ଭାରତ ଭୂଷଣ ପ୍ରକାଶ କରିଛନ୍ତି।
ଗତ କିଛି ମାସ ହେଲା ନକ୍ସଲ ଏବଂ ସଂପୂର୍ଣ୍ଣ ହିଂସାମୁକ୍ତ ଅଭିଯାନ ତରଫରୁ ପୋଷ୍ଟର ଯୁଦ୍ଧ ଜାରି ରହିଛି। କିନ୍ତୁ ନକ୍ସଲ ବାରମ୍ବାର ହିଂସାକାଣ୍ଡ ଘଟାଇ ସମର୍ଥନ ଜୁଟାଇବାକୁ ପ୍ରୟାସ ଚାଲିଥିବାରୁ ଏହାକୁ ବନ୍ଦ କରିବାକୁ ନୂଆ ସଂଗଠନ ଆରମ୍ଭ କରାଯାଇଥିବା କୁହାଯାଉଛି। ଏନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଏଭଳି ସଂଗଠନ ଗଠନ ପଛରେ ପରୋକ୍ଷରେ କାହାର ହାତ ରହିଛି ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ପୂର୍ବରୁ ଛତିଶଗଡ଼ରେ ସଲଓ୍ଵା ଜୁଡୁମ ଭଳି ସଂଗଠନ ରହିଥିବାରୁ ତାହାରି ଭଳି ଏହି ସମାନ୍ତରାଳ ଫୋର୍ସ ଗଠନ କରାଯାଇଥିବା ଅନୁମାନ କରାଯାଉଛି। ଆଗକୁ ଦେଖିବାକୁ ବାକି ରହିଲା ଏହି ସଂଗଠନ କେତେ ସଫଳ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/Mkg-naxal-ku-samna-kariba.jpg-f.jpg)