ପୁରୀ: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଓ ଆଷାଢ଼ ଦ୍ବିତୀୟା ତିଥିରେ ରଥଯାତ୍ରା ଆୟୋଜନ ମହାପ୍ରଭୁଙ୍କ ଆଦେଶ। ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ଦିନ ତାଙ୍କର ଯାତ୍ରା ପାଳନ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ଏହି ତିଥି ଓ ପରମ୍ପରାକୁ ଭାଙ୍ଗି ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ପରମ୍ପରା ବିରୋଧୀ। ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆମେରିକାସ୍ଥିତ ହୋଷ୍ଟନ୍ ଇସ୍କନ୍ ମନ୍ଦିର ସଭାପତି ଏଚ ଜି ସାରଙ୍ଗ ଠାକୁର ଦାସଙ୍କୁ ଏଭଳି ଢଙ୍ଗରେ ଚିଠି ଲେଖିଛନ୍ତି। ଅଦିନରେ ଏଭଳି ରଥଯାତ୍ରା ଆୟୋଜନ ପୁରାତନ ଶ୍ରୀଜଗନ୍ନାଥ ସଂସ୍କୃତିର ବିଧିବ୍ୟବସ୍ଥା ଓ ପରମ୍ପରା ବିରୋଧୀ। ଏଣୁ ସନାତନ ବୈଦିକ ଧର୍ମର ଏହି ବିଧିବ୍ୟବସ୍ଥା ଓ ପରମ୍ପରାକୁ ସମ୍ମାନ ଜଣାଇ ଅଦିନରେ ଏଭଳି ଆୟୋଜନକୁ ସ୍ଥଗିତ ରଖିବା ସହ ତିଥି ଓ ତାରିଖ ଅନୁସାରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବାକୁ ଗଜପତି ନିବେଦନ କରିଛନ୍ତି।
ଏହି ଚିଠିରେ ଗଜପତି ଲେଖିଛନ୍ତି, କିଛି ବର୍ଷ ପୂର୍ବରୁ ବିଶ୍ବର ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେ ନିଜେ ବ୍ୟକ୍ତିଗତ ଭାବେ ଇସ୍କନ୍ ସହ ଆଲୋଚନା କରିଥିଲେ। ଏହି ସମୟରେ ତିଥି ଅନୁସାରେ ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟାଠାରୁ ଦ୍ବାଦଶୀ ଅବା ତ୍ରୟୋଦଶୀ ଭିତରେ ଇସ୍କନ୍ ବିଶ୍ବବ୍ୟାପୀ ରଥଯାତ୍ରା ପାଳନ କରିବାକୁ କୁହାଯାଇଥିଲା। ଅନ୍ୟ କୌଣସି ତିଥିରେ ରଥଯାତ୍ରା ପାଳନ ନ କରିବାକୁ ଅନୁରୋଧ କରାଯାଇଥିଲା। ବାରମ୍ବାର ଏ ଉପରେ ଆଲୋଚନା ପରେ ଇସ୍କନ୍ ପରିଚାଳନା ପରିଷଦ ଶ୍ରୀମନ୍ଦିର ତିଥି ଅନୁସାରେ ଭାରତରେ ରଥଯାତ୍ରା ପାଳନ କରିବ ବୋଲି ଚିଠି କରି ଅବଗତ କରାଇଥିଲେ।
ଗଜପତି କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଶ୍ରୀକୃଷ୍ଣଙ୍କ ରଥଯାତ୍ରା ଭଳି ଏବଂ ଧାର୍ମିକ ବିଧିବ୍ୟବସ୍ଥା ଓ ପରମ୍ପରା ଆଧାରରେ ଗୋଟିଏ ତିଥିରେ ଏହା ପାଳନ ହେବା କଥା। କିନ୍ତୁ ଆଶ୍ଚର୍ଯ୍ୟର କଥା ଇସ୍କନ୍ ହୋଷ୍ଟନ୍ ଶାଖା ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ରଥଯାତ୍ରା ଆୟୋଜନ କରିଛି। ଯାହା ଧାର୍ମିକ ବିଧିବ୍ୟବସ୍ଥା ଓ ପରମ୍ପରା ବିରୋଧୀ। ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି, ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ତାଙ୍କର ଜନ୍ମୋତ୍ସବ ଭାବେ ସ୍ନାନଯାତ୍ରା କରିବାକୁ ଆଦେଶ ଦେଇଥିଲେ। ଏଣୁ କାହିଁ କେଉଁ ଅନାଦି କାଳରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୀ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ପାଳିତ ହୋଇ ଆସୁଛି। କିନ୍ତୁ ଜାଣିଶୁଣି ନିଜ ସୁବିଧା ଅନୁସାରେ ଅନ୍ୟ ତିଥିରେ ସ୍ନାନଯାତ୍ରା ପାଳନ ଗ୍ରହଣଯୋଗ୍ୟ ନୁହେଁ। ଯଦି ଶ୍ରୀକୃଷ୍ଣଙ୍କ ଜନ୍ମଦିନରେ ଜନ୍ମାଷ୍ଟମୀ ପାଳନ ନ ହୋଇ ଅନ୍ୟ ଦିନରେ ପାଳନ ହେବ, ଏହାକୁ କୌଣସି ପରିସ୍ଥିତିରେ ଶ୍ରୀକୃଷ୍ଣ ଭକ୍ତମାନେ ଗ୍ରହଣ କରିବେନି। ଯେଉଁଠି ସନାତନ ବୈଦିକ ଧର୍ମର ପରମ୍ପରା ଆଧାରରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଜନ୍ମ, ଶ୍ରୀରାମଜନ୍ମ ସହ ଅନ୍ୟ ଦେବଦେବୀଙ୍କ ପର୍ବପର୍ବାଣି ପାଳିତ ହୋଇ ଆସୁଛି, ସେଠି ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରାରେ ଏଭଳି ବ୍ୟତିକ୍ରମ କାହିଁକି?
ଏଠି ପୁଣିଥରେ ମନେପକାଇ ଦେବାକୁ ଚାହେଁ, ଶ୍ରୀମନ୍ଦିରର ଚତୁର୍ଦ୍ଧାବିଗ୍ରହ ହେଉଛନ୍ତି ମୂଳ ବିଗ୍ରହ। ଉତ୍ସବ ବିଗ୍ରହ କିମ୍ବା ଚଳନ୍ତି ବିଗ୍ରହ ନୁହଁନ୍ତି ଯେ ତାଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀମନ୍ଦିର ବାହାରକୁ ନିଆଯିବ। ସବୁ ପର୍ବପର୍ବାଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭାବେ ଶ୍ରୀମଦନମୋହନ ଶ୍ରୀମନ୍ଦିର ବାହାରକୁ ଆସିଥାନ୍ତି। ସ୍ନାନଯାତ୍ରା ଓ ରଥଯାତ୍ରା ହେଉଛି ଅତ୍ୟନ୍ତ ପବିତ୍ର ପର୍ବ, ଯେଉଁ ସମୟରେ ଚତୁର୍ଦ୍ଧା ବିଗ୍ରହ ଶ୍ରୀମନ୍ଦିର ବାହାରକୁ ଆସିଥାନ୍ତି। ଏହା ମହାପ୍ରଭୁଙ୍କ ଆଦେଶ ଅନୁସାରେ ହେଉଛି। କିନ୍ତୁ ତିଥି ବାହାରେ ଅନ୍ୟ କୌଣସି ଦିନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣିବା ପରମ୍ପରା ବିରୋଧୀ ବୋଲି ଗଜପତି ଲେଖିଛନ୍ତି।