ଗଜପତିରେ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି : ସେରୋ ସର୍ଭେ

ଭୁବନେଶ୍ୱର : ଗଜପତିର ୬୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁ ନେଇ ଆଣ୍ଟିବଡି ସୃଷ୍ଟି ‌ସୃଷ୍ଟି ହୋଇଛି। ଯାହାକି ରାଜ୍ୟରେ ସର୍ବାଧିକ। ନିକଟରେ ପାରାଳାଖେମୁଣ୍ଡିରେ ହୋଇଥିବା ସେରୋ ସର୍ଭେରୁ ଏଭଳି ତଥ୍ୟ ମିଳିଛି। କିଛି ୱାର୍ଡରେ ୪୪ ପ୍ରତିଶତରୁ ଆରମ୍ଭ ହୋଇ ୯୨ ପ୍ରତିଶତ ପର୍ଯ୍ୟନ୍ତ ଆଣ୍ଟିବଡି ଦେଖିବାକୁ ମିଳିଛି। କରୋନା ଯୋଦ୍ଧାଙ୍କ କ୍ଷେତ୍ରରେ ଏହା ୪୦-୮୫ ପ୍ରତିଶତ ରହିଛି। ତହିଁରେ ପୁଲିସ୍‌ କର୍ମଚାରୀଙ୍କ କ୍ଷେତ୍ରରେ ସର୍ବାଧିକ ୫୪ ପ୍ରତିଶତ, ସ୍ବାସ୍ଥ୍ୟକର୍ମୀଙ୍କ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆଣ୍ଟିବଡି ଦେଖିବାକୁ ମିଳିଥିବା କହିଛନ୍ତି ଆରଏମ୍‌ଆରସିର ନିର୍ଦେଶିକା ଡା. ସଂଘମିତ୍ରା ପତି।

ଡା.ପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାରାଳାଖେମୁଣ୍ଡିରେ ପର୍ଯ୍ୟାୟକ୍ରମେ ସେରୋ ସର୍ଭେ ହୋଇଥିଲା।

ଏହା ସେପ୍ଟେମ୍ବର ୧୫ରୁ ୧୮ ପର୍ଯ୍ୟନ୍ତ ଚାଲିଥିବା ବେଳେ ଆରଏମ୍‌ଆରସିର ୫ଟି ଟିମ୍ ଏଥିରେ ନିୟୋଜିତ ହୋଇଥିଲେ। ସମୁଦାୟ ୧୫୧୫ ନମୁନା ସଂଗ୍ରହ ହୋଇଥିଲା। ଏଥିରେ ୯୮୪ଜଣଙ୍କ ନମୁନା ସାଧାରଣ ଲୋକଙ୍କ ରହିଥିବା ବେଳେ ୫୩୧ ସମ୍ବେଦନଶୀଳ ଲୋକଙ୍କ ନମୁନା ସଂଗ୍ରହ ହୋଇଥିଲା। ସଂଗୃହୀତ ଲୋକମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ନ ଥିଲା। ଅଧାରୁ ଅଧିକ ରାପିଡ୍ ଆଣ୍ଟିଜେନ୍‌ରେ ପରୀକ୍ଷା କରିଥିଲେ। ମାତ୍ର ଉଲ୍ଲେଖନୀୟ ଭାବେ ଗଜପତିରେ ମହିଳାଙ୍କ ମଧ୍ୟରେ ଆଶାତୀତ ଭାବେ ଆଣ୍ଟିବଡି ସୃଷ୍ଟି ହୋଇଛି। ଯାହାକି ପୂର୍ବରୁ ହୋଇଥିବା ସେରୋ ସର୍ଭେରେ ଦେଖିବାକୁ ମିଳି ନ ଥିଲା। ଆସନ୍ତା ୫ତାରିଖରୁ ମାଲକାନଗିରିରେ ସ‌େରୋ ସର୍ଭେ ଆରମ୍ଭ ହେବ। ଏହା ପରେ ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଓ କଟକରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ।

ତେବେ ଗଜପତିର ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ଆସିସାରିଛି କି ନାହିଁ ତାହା ଜାଣିବା ଲାଗି ନିୟମିତ ବ୍ୟବଧାନରେ ସେମାନଙ୍କ ଅନୁଧ୍ୟାନ କରିବାକୁ ପଡ଼ିବ। ପ୍ରକୃତରେ ତାହା ଭୂତାଣୁ ରୋକିବାରେ ସକ୍ଷମ ହୋଇପାରୁଛି କି ନାହିଁ ତାହା ପରବର୍ତୀ ସମୟରେ ଜଣାପଡ଼ିବ ବୋଲି ଡା. ପତି କହିଛନ୍ତି। ଏହା ପୂର୍ବରୁ ପୁରୀ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲାରେ ସେ‌ରୋ ସର୍ଭେ ହୋଇସାରିଛି। ପୁରୀରେ କେବଳ ସମ୍ବେଦନଶୀଳ ଲୋକମାନଙ୍କର ସେରୋ ସର୍ଭେ କରାଯାଇଥିଲା। ବ୍ରହ୍ମପୁରରେ ୩୧ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ବେଳେ ଭୁବନେଶ୍ବର‌ରେ ପ୍ରଥମ ପର୍ଯ୍ୟାୟରେ ୧.୪ ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ୫ ପ୍ରତିଶତ ଆଣ୍ଟିବଡି ଥିବା ଦେଖିବାକୁ ମିଳିଥିଲା। ରାଉରକେଲା‌ରେ ଏକ ଚତୁର୍ଥାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡି ରହିଥିବା ସେରୋ ସର୍ଭେରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର