ପିଆରଏମ୍‌ରେ ବାହାର ନାଗରିକଙ୍କୁ ଆଣ୍ଟିଜେନ୍ ଟେଷ୍ଟ୍ ବାରଣ ପ୍ରସଙ୍ଗ : ଟେଷ୍ଟ୍ ପାଇଁ ଆସି ଫେରିଲେ ଜନସାଧାରଣ, ପିଆରଏମ୍‌ରେ ଉତ୍ତେଜନା

ବାରିପଦା : ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଏଣ୍ଡ୍ ହସ୍ପିଟାଲରେ ଆଜିଠାରୁ ବାହାରର ନାଗରିକଙ୍କ ପାଇଁ କୋଭିଡ୍ ଆଣ୍ଟିଜେନ୍ ପରୀକ୍ଷା ଉପରେ କଟକଣା ଲାଗୁ କରାଯାଇଛି । ଫଳରେ ଏଠାକୁ କରୋନା ପରୀକ୍ଷା ନିମନ୍ତେ ଆଜି ଆସିଥିବା ବ୍ୟକ୍ତିଙ୍କୁ ନିରାଶ ହେବାକୁ ପଡ଼ିଛି । ଏନେଇ ଜନଅସନ୍ତୋଷ ଦେଖା ଦେଇଛି। ପିଆରଏମରେ ପରୀକ୍ଷା ପାଇଁ ଆସିଥିବା ଲୋକମାନେ ହଟ୍ଟଗୋଳ କରିଥିଲେ। ବାରିପଦା ସହର ସମେତ କୁଳିଅଣା, ଶ୍ୟାମାଖୁଣ୍ଟା ଆଦି ବ୍ଲକ୍‌ରୁ ଆସିଥିବା ଲୋକମାନେ ଏନେଇ କାହିଁକି ସୂଚନା ଦିଆଯାଇନଥିଲା ପ୍ରଶ୍ନକରି ପାଟିତୁଣ୍ଡ କରିଥିଲେ। ସିଡିଏମଓ ଡ. ରୂପଭାନୁ ମିଶ୍ର, ଏଡିଏମ୍ଓ ଡ. ଏନ ଆର ଦାସଙ୍କୁ ଭେଟିବା ପରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ପିଆରଏମ୍ ଅଧୀକ୍ଷକଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଅଧୀକ୍ଷକଙ୍କ ସାକ୍ଷାତ ନ ପାଇ ନିରାଶ ହୋଇ ଅନେକ ଲୋକ ଫେରିବାକୁ ବାଧ୍ୟ ହୋଇଥିଲେ।

ତେବେ ହସ୍ପିଟାଲ ପରିସରରେ କେବଳ ହସ୍ପିଟାଲର ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ହସ୍ପିଟାଲରେ ଭର୍ତ୍ତି ରୋଗୀମାନଙ୍କର ଆଣ୍ଟିଜେନ୍ ଟେଷ୍ଟ୍ ପରୀକ୍ଷା କରାଯିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ସାଧାରଣ ଜନତାଙ୍କ ନିମନ୍ତେ ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ରପୁର ଏବଂ ମୁର୍ଗାବାଡ଼ି ଭଳି ଦୁଇଟି ସ୍ଥାନରେ କୋଭିଡ୍ ଆଣ୍ଟିଜେନ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ମାତ୍ର ଏ ବିଷୟରେ ଜନସାଧାରଣଙ୍କ ନିକଟରେ ସୂଚନା ନ ଥିବା ଓ ଦେବେନ୍ଦ୍ରପୁରରେ କେଉଁଠାରେ ହେଉଛି ସେହି ସ୍ଥାନ ବିଷୟରେ ଧାରଣ ନ ଥିବା କାରଣରୁ ଜନସାଧାରଣ ନିଜର କୋଭିଡ୍ ପରୀକ୍ଷା କରାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର