କରୋନା ମୁକାବିଲା ଲାଗି ଆସନ୍ତା ମଙ୍ଗଳବାର ଠାରୁ କଟକରେ ଆଣ୍ଟିଜେନ ଟେଷ୍ଟ

କଟକ: କଟକ ସହରରେ ଥିବା ପ୍ରମୁଖ ହସ୍‌ପିଟାଲରେ ସଂକ୍ରମଣ ରୋକିବା ପାଇଁ ତଥା କରୋନା ମୁକାବିଲା ଲାଗି ଆସନ୍ତା ମଙ୍ଗଳବାର ଠାରୁ କଟକରେ ଆଣ୍ଟିଜେନ ଟେଷ୍ଟ ହେବ। ଏସସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ, ଶିଶୁଭବନ ଓ ସିଟି ହସ୍‌ପିଟାଲରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି।

ଆଣ୍ଟିଜେନ୍‌ ଟେଷ୍ଟ ମାଧ୍ୟମରେ ଲୋକଙ୍କର ଠାରେ କୋଭିଡ ଷ୍ଟାଟସ ୨ରୁ ୩ ଘଣ୍ଟା ମଧ୍ୟରେ ଜାଣି ହେବ। ଏଥି ସହିତ ମେଡିକାଲକୁ ଆସୁଥିବା ଲୋକଙ୍କର କୋଭିଡ ସ୍ଥିତି ଜଣାପଡ଼ିବ। କଟକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, କୋଭିଡ-୧୯ ଯୋଗୁଁ ସମଗ୍ର ରାଜ୍ୟର ଚିନ୍ତା ବଢ଼ିଯାଇଛି। ମହାମାରୀ ସଂକ୍ରମଣ ଯୋଗୁଁ ଗଂଜାମ (୨୧୮୨ ଜଣ କରୋନା ଆକ୍ରାନ୍ତ) ଓ ଖୋର୍ଦ୍ଧା (୯୭୧ ଜଣ କରୋନା ପଜିଟିଭ) ପରେ କଟକ ଜିଲ୍ଲା ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଛି। ସେଥିପାଇଁ ପ୍ରଶାସନର ଚିନ୍ତା ବଢ଼ିଛି। କଟକ ଜିଲ୍ଲାରେ କରୋନା ଭାଇରସ କାୟା ମେଳାଇଛି। ଏପର୍ଯ୍ୟନ୍ତ ଜିଲ୍ଲାରୁ ୮୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୭୮ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୫୨୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ କରୋନାରୁ ସୁସ୍ଥ ହେବା ପରେ ଜୀବନ ହାରିଛନ୍ତି।

କଟକ ମହାନଗର ନିଗମ ଅଂଚଳରୁ ଏପର୍ଯ୍ୟନ୍ତ ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୧୬୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅଛନ୍ତି। ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲରୁ ଏଯାଏଁ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଏସସିବିରୁ ମଧ୍ୟ କିଛି ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର