ଭୁବନେଶ୍ୱର : କରୋନା ଭୂତାଣୁ ଲାଗି ରାଜ୍ୟର ଘରୋଇ ହସ୍ପିଟାଲ, ନର୍ସିଂହୋମ ଓ ଲାବରେଟୋରିରେ ଆଣ୍ଟିଜେନ ଓ ଆରଟି ପିସିଆର ପରୀକ୍ଷା ପାଇଁ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଆଜି ନିର୍ଦେଶାବଳି ଜାରି ହୋଇଛି। କେବଳ ପଞ୍ଜୀକୃତ ଓ ଏନ୍ଏବିଏଲ ସ୍ୱୀକୃତିପ୍ରାପ୍ତ ଘରୋଇ ସଂସ୍ଥାଗୁଡ଼ିକ ଆଣ୍ଟିଜେନ୍ ପରୀକ୍ଷା କରିପାରିବେ। ଆଣ୍ଟିଜେନ୍ ପରୀକ୍ଷା ସମୟରେ ଆଇସିଏମଆର ଗାଇଡ୍ଲାଇନ୍ ପାଳନ କରିବେ। ଏହାସହ ଆଇସିଏମ୍ଆର୍ ଦ୍ବାରା ନିର୍ଦ୍ଧାରିତ ଏସ୍ଓପି ପାଳନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ ଆଇସିଏମଆର୍ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ। ପରୀକ୍ଷା କରୁଥିବା ଲାବରୋଟାରିଗୁଡ଼ିକର ଟେକ୍ନିସିଆନ୍ମାନେ ତାଲିମପ୍ରାପ୍ତ ହୋଇଥିବା ଆବଶ୍ୟକ। ଏହାସହ ସମ୍ପୃକ୍ତ ସ୍ବାସ୍ଥ୍ୟାନୁଷ୍ଠାନରେ ସ୍ବତନ୍ତ୍ର ଭାବେ ଏକ ସ୍ବାବ୍ ସଂଗ୍ରହ ବୁଥ୍ ରହିବା ନିତାନ୍ତ ଜରୁରୀ। ସ୍ବାବ୍ ପରୀକ୍ଷାର ଫଳାଫଳ ପ୍ରଥମେ ସରକାରଙ୍କୁ ଜଣାଇବେ ଓ ୨୪ଘଣ୍ଟା ମଧ୍ୟରେ ସ୍ବାବ୍ ଦେଇଥିବା ବ୍ୟକ୍ତିଙ୍କୁ ଜଣାଇବାକୁ କୁହାଯାଇଛି। ଏସବୁ ଘରୋଇ ହସ୍ପିଟାଲ, ନର୍ସିଂହୋମ୍ ଲ୍ୟାବ୍ଗୁଡ଼ିକ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ନିର୍ଦ୍ଧାରଣ ହୋଇଥିବା ଦର ଅନୁସାରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରିବେ। ଏବେ ଆଣ୍ଟିଜେନ୍ କିଟ୍ ପରୀକ୍ଷାର ଦର ସରକାରଙ୍କ ପକ୍ଷରୁ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକ ଖୋଲା ବଜାରରୁ ଏହି କିଟ୍ କିଣିପାରିବେ। ଆଇସିଏମ୍ଆର୍ ନିୟମ ପାଳନ କରି ଏସବୁ ଲାବରୋଟାରିରେ ଆରଟି-ପିସିଆର୍ ମେସିନ୍ ଲଗାଯିବ। ଡିଏଚ୍ଆର୍ ଗାଇଡ୍ଲାଇନ୍ ଅନୁସାରେ ଆରଏମଆରସି ଏସବୁ ଘରୋଇ ଲ୍ୟାବଗୁଡ଼ିକର ଗୁଣବତ୍ତା ନିଶ୍ଚିତ କରିବେ। ଲ୍ୟାବ୍ଗୁଡ଼ିକ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ନିର୍ଦ୍ଧାରିତ ଦର ଅନୁସାରେ ପରୀକ୍ଷା କରିପାରିବେ। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ହସ୍ପିଟାଲରେ ଆରଟିପିସିଆର୍ ପରୀକ୍ଷା ପାଇଁ ୨୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା।