ଟିକା ନେବା ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା ଅନାବଶ୍ୟକ

କରୋନା ସଂକ୍ରମିତ ହେଲେ ୩ମାସ ପରେ ନେବେ ଟିକା
ପ୍ଲାଜମା ଥେରାପିକୁ ଚିକିତ୍ସାରୁ ବାଦ୍ ଦେବାକୁ ନିର୍ଦେଶ

ଭୁବନେଶ୍ବର : ଟିକା ନେବାକୁ ଚାହୁଥିବା ବ୍ୟକ୍ତିଙ୍କ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ। କରୋନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ଟିକାକରଣ ଜାତୀୟ ବିଶେଷଜ୍ଞ ଗ୍ରୁପ୍‌ ବା ଏନ୍‌ଇଜିଭିଏସି ପକ୍ଷରୁ ଏ ସଂପର୍କରେ ସ୍ପଷ୍ଟ କରାଯିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି। ଏ ଭିତ୍ତିରେ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ନଗର ନିଗମକୁ ଚିଠି ଜାରି ହୋଇଛି। ଏହାସହ ଏନ୍‌ଇଜିଭିଏସି ପକ୍ଷରୁ ଆଉ କେତେକ ଉପଦେଶାବଳୀ ମଧ୍ୟ ଜାରି କରାଯାଇଛି।

କରୋନା ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତି ୩ମାସ ପରେ ଟିକା ନେଇ ପାରିବେ। ସେହିପରି ସଂକ୍ରମିତ ବ୍ୟକ୍ତି ଯଦି କୌଣସି ମନୋକ୍ଲୋନାଲ ଆଣ୍ଟିବଡି କିମ୍ବା ପ୍ଲାଜମା ଥେରାପି ଚିକିତ୍ସା ନେଇଥା’ନ୍ତି, ସେ କ୍ଷେତ୍ରରେ ମଧ୍ୟ ହସ୍ପିଟାଲରୁ ଡିସଚାର୍ଜ ହେବାର ୩ ମାସ ପରେ ଟିକା ନେଇପାରିବେ। ଏପରିକି ଟିକାର ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଯଦି ପରବର୍ତ୍ତୀ ସମୟରେ କରୋନାରେ ସଂକ୍ରମିତ ହୁଅନ୍ତି, ତାହାଲେ ୩ମାସ ପରେ ଦ୍ବିତୀୟ ଡୋଜ୍ ଟିକା ନେବା ପାଇଁ କୁହାଯାଇଛି। ତେବେ କରୋନାରୁ ସୁସ୍ଥ ହେବା ଓ ଟିକା ନେବାର ୧୪ ଦିନ ପରେ ଜଣେ ବ୍ୟକ୍ତି ରକ୍ତଦାନ କରିବାରେ କୌଣସି ସମସ୍ୟା ନାହିଁ। ତେଣୁ ଜିଲ୍ଲାସ୍ତରରେ କାର୍ଯ୍ୟରତ ପ୍ରୋଗ୍ରାମ ଅଧିକାରୀ, ମ୍ୟାନେଜର, ସୁପରଭାଇଜର, ଟିକା ପ୍ରଦାନକାରୀଙ୍କୁ ଏ ସଂପର୍କରେ ତାଲିମ ପ୍ରଦାନ କରାଯାଇ ଏହାର କିଭଳି ସୁଫଳ କାର୍ଯ୍ୟକାରୀ ହୋଇପାରିବ ତାହାକୁ ଗୁରୁତ୍ବ ଦେବାକୁ ନିର୍ଦେଶ ଦିଆଯାଇଛି। ଲୋକମାନଙ୍କ ମଧ୍ୟରେ ଏ ସଂପର୍କିତ ସୂଚନା ପ୍ରଦାନ କରିବା ଲାଗି କୁହାଯାଇଛି।

ସେହିପରି ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଉପଯୋଗ ହେଉଥିବା ପ୍ଲାଜମା ଥେରାପିକୁ ଚିକିତ୍ସାରୁ ବାଦ୍ ଦେବାକୁ ସ୍ବାସ୍ଥ୍ୟ ବିଭାଗରୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ନିର୍ଦେଶାବଳୀ ଜାରି ହେବା ପରେ ରାଜ୍ୟର ୩ ଜଣିଆ ବୈଷୟିକ କମିଟି ତହିଁରୁ କେତେକ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ଚିହ୍ନଟ କରିଛନ୍ତି। ମେଡିକାଲ ପତ୍ରିକା ‘ଦି ଲାନସେଣ୍ଟ’ରେ ପ୍ରକାଶିତ ହାଇ-ଟାଇଟର ପ୍ଲାଜମା କରୋନା ରୋଗୀଙ୍କ ବଞ୍ଚିବା କ୍ଷେତ୍ରରେ ବିଶେଷ ଫଳପ୍ରଦ ହେଉ ନ ହେବା ସଂପର୍କ‌ରେ ଦର୍ଶାଯାଇଛି। ଏହାସହ ଚଳିତମାସ ୧୭ତାରିଖ ପର୍ଯ୍ୟନ୍ତ ଆଇସିଏମ୍‌ଆର ପକ୍ଷରୁ ଜାରି ହୋଇଥିବା ଚିକିତ୍ସା ପ୍ରୋଟୋକଲରେ ମଧ୍ୟ ପ୍ଲାଜମା ଥେରାପି ସାମିଲ ରହିଥିଲା। ଫଳରେ ପ୍ଲାଜମା ଥେରାପି ନେଇ କୌଣସି ପ୍ରମାଣଭିତ୍ତିକ ତଥ୍ୟ ନ ଥିବା ସତ୍ତ୍ବେ ଦେଶବ୍ୟାପୀ ଏହା ଜାରି ରହିଥିଲା। ତେବେ ଆମେରିକା ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଓ ଆଇଡିଏସ୍‌ଏ ମଧ୍ୟ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଫଳପ୍ରଦ ହେଉ ନ ଥିବା ଦର୍ଶାଇଥିଲା। ଏ ଦୃଷ୍ଟିରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିକୁ ବାଦ୍ ଦେବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ଥିବା ଏସ୍‌ସିବି, ଏମ୍‌କେସିଜି, ଭିମସାର, ଏସ୍‌ଏଲଏନ୍‌ କୋରାପୁଟ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ ରାଉରକେଲାକୁ ଚିଠି ଜାରି ହୋଇଛି।

ସମ୍ବନ୍ଧିତ ଖବର