ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ହୋଇପାରିବ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: କରୋନା ଭାଇରସ ଲାଗି ଘରୋଇ ହସ୍ପିଟାଲ, ନର୍ସିଂହୋମ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟ ହୋଇପାରିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । କେବଳ ପଂଜୀକୃତ ଓ ଏନଏବିଏଲ ସ୍ୱୀକୃତିପ୍ରାପ୍ତ  ଘରୋଇ ସଂସ୍ଥାଗୁଡ଼ିକ ଆଣ୍ଟିଜେନ ଟେଷ୍ଟ କରିପାରିବେ । ଆଣ୍ଟିଜେନ ଟେଷ୍ଟ ସମୟରେ ଆଇସିଏମଆର ଗାଇଡଲାଇନ ପାଳନ କରିବେ । ଏହା ସହିତ ଆଇସିଏମଆର ଦ୍ବାରା ନିର୍ଦ୍ଧାରିତ ଏସଓପି ପାଳନ କରିବେ ।

ଆଣ୍ଟିଜେନ ଟେଷ୍ଟିଂ ରିପୋର୍ଟ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ କରିବେ । ପରୀକ୍ଷା କରୁଥିବା ଲାବରେଟୋରୀଗୁଡିକର ଟେକନିସିଆନମାନେ ତାଲିମପ୍ରାପ୍ତ ହୋଇଥିବେ । ଟେଷ୍ଟର ଫଳାଫଳ ପ୍ରଥମେ ସରକାରଙ୍କୁ ଜଣାଇବେ ଓ ୨୪ ଘଣ୍ଟା ମଧ୍ୟରେ  ପରୀକ୍ଷା ହୋଇଥିବା ବ୍ୟକ୍ତିଙ୍କୁ ଜଣାଇବେ । ଏସବୁ ଘରୋଇ ହସ୍ପିଟାଲ, ନର୍ସିଂହୋମ ଲ୍ୟାବଗୁଡ଼ିକ  ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ନିର୍ଦ୍ଧାରଣ କରୁଥିବା ଦର ଅନୁସାରେ ରାପିଡ ଆଣ୍ଟିଜେନ ପରୀକ୍ଷା କରିବେ । ଏବେ ଏହି ପରୀକ୍ଷାର ଦର ୪୫୦ ଟଙ୍କା ରଖାଯାଇଛି । ଆଇସିଏମଆର ନିୟମ ପାଳନ କରି ଏସବୁ ଲାବରେଟୋରୀରେ ଆରଟି-ପିସିଆର ମେସିନ ଲଗାଯିବ । ଡିଏଚଆର ଗାଇଡଲାଇନ ଅନୁସାରେ ଆରଏମଆରସି ଏସବୁ ଘରୋଇ ଲାବଗୁଡ଼ିକର ଗୁଣବତ୍ତା ନିଶ୍ଚିତ କରିବେ ।

 

ସମ୍ବନ୍ଧିତ ଖବର