ଗୋପ : ଗୋପ ଥାନା ନାଗପୁର ପଂଚାୟତର ଷୋଳପୁର ଗ୍ରାମ ଶ୍ମଶାନରୁ ଆଜି ଜଣେ ଅଜଣା ଯୁବକଙ୍କ ମୃତଦେହ ଗୋପ ପୋଲିସ ଜବତ କରିଛି। ମୃତ ଯୁବକଙ୍କ ଜଣକ ବୟସ ୩୦ରୁ ୩୫ ବର୍ଷ ହୋଇଥିବା ବେଳେ ସେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ପଡ଼ିରହିଥିଲେ। ଶରୀରର ସମସ୍ତ ଚର୍ମକୁ ପିମ୍ପୁଡି ଖାଇ ଯାଇଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନାରୁ ଜଣାପଡ଼ିଛି, ଷୋଳପୁର ଗ୍ରାମର ଜନୈକ ବ୍ୟକ୍ତି ଉକ୍ତ ଶ୍ମଶାନରୁ ଜାଳେଣି ସଂଗ୍ରହ କରୁଥିବା ବେଳେ ଏକ ବିକଟାଳ ରଡି ଶୁଣି ଭୟରେ ସେଠାରୁ ଦୌଡି ପଳାଇ ଆସିଥିଲେ ଓ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଏହା ପରେ ଗ୍ରାମବାସୀ ଶ୍ମଶାନରେ ପହଞ୍ଚିଥିଲେ। ଯୁବକ ଜଣକ ମୃତ୍ୟୁ ସହିତ ଲଢୁଥିବା ଦେଖିବା ପରେ ଗ୍ରାମବାସୀ ପ୍ରଥମେ ଆମ୍ବୁଲାନ୍ସ ଓ ପରେ ଗୋପ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଗୋପ ଦମକଳ କେନ୍ଦ୍ରର ଅଧିକାରୀ ସୁକାନ୍ତ କୁମାର ଜେନାଙ୍କ ସହ ଅଗ୍ନିଶମ କର୍ମଚାରୀ ସେଠାରେ ତୁରନ୍ତ ପହଞ୍ଚିଥିବା ବେଳେ ସେତେବେଳକୁ ଯୁବକଟିର ମୃତ୍ୟୁ ହୋଇସାରିଥିଲା। ପରେ ଗୋପ ଥାନାଧିକାରୀ ରଂଜନ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ଯୁବକ ଜଣକ ତିନି ଦିନ ହେଲା ଏହି ଅଂଚଳରେ ବୁଲୁଥିବା ଗ୍ରାମବାସୀମାନେ କହିଛନ୍ତି। ଏ ସଂପର୍କରେ ଗୋପ ଥାନାଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି, ଯୁବକଟିର ଶରୀରରେ କୌଣସି ସନ୍ଦେହଜନକ ଦାଗ ନାହିଁ। ପାରିପାର୍ଶ୍ବିକ ଅବସ୍ଥାରୁ ଯାହା ଜଣାପଡୁଛି ଯୁବକ ଜଣକ ପାଗଳ କିମ୍ବା ନିଶାଗ୍ରସ୍ତ। ଶରୀରରେ ଥିବା ଖଣ୍ତିଆ ଖାବରା ରାତିରେ ସେଠାରେ ପଡିରହିଥିବା ଯୋଗୁ ପିମ୍ପୁଡିମାନେ ତାଙ୍କୁ ଖାଇଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ କିଛି ଜଣାପଡିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/body-2.jpg)