ପିମ୍ପୁଡ଼ି ଆତଙ୍କ, ଗାଁ’ ଛାଡ଼ିବେ ଲୋକେ

ପିପିଲି : ପିପିଲି ବ୍ଲକ୍‌ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣସାହିରେ ଗତ ଦୁଇମାସ ହେବ ବିଷାକ୍ତ ପିମ୍ପୁଡ଼ି ଆତଙ୍କ ଦେଖାଦେଇଛି। ସ୍ଥାନୀୟ କେନାଲ ବନ୍ଧ ନିକଟରୁ ଗାଁ’ ଆଡ଼କୁ ମାଡ଼ି ଆସୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ବିଷାକ୍ତ ପିମ୍ପୁଡ଼ି। ଗାଁ’ ସାରା ନାଲି ରଙ୍ଗର ପିମ୍ପୁଡ଼ି ଛାଇଯିବା ସହ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ଏହି ପିମ୍ପୁଡ଼ି ଆକ୍ରମଣରେ ଅତିଷ୍ଠ ହୋଇ କୁମୁଦ ଦାଶଙ୍କ ପରିବାର ଗାଁ ଛାଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଏହି ପିମ୍ପୁଡ଼ିମାନଙ୍କର ଉତ୍ପାତ ଯୋଗୁ ସେମାନେ ବି ଗାଁ ଛାଡ଼ିବେ ବୋଲି କେତେକ ଗ୍ରାମବାସୀ କହିଛନ୍ତି। ଏସମ୍ପର୍କରେ ଚନ୍ଦ୍ରାଦେଇପୁର ପଞ୍ଚାୟତ ସରପଞ୍ଚ ପିପିଲି ବିଡିଓଙ୍କୁ ଜଣାଇ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି।

ଲକ୍ଷ ଲକ୍ଷ ସଂଖ୍ୟାରେ ପିମ୍ପୁଡ଼ି ଗାଁ ଆଡ଼କୁ ମାଡ଼ି ଆସିବା ସହ ଲୋକଙ୍କ ଶରୀରରେ ଚଢ଼ିଯାଉଛନ୍ତି। ଫଳରେ ଲୋକଙ୍କ ଶରୀର କୁଣ୍ତାଇ ହେବା ସହ ଘା’ ହୋଇଯାଉଛି। ଏହି ପିମ୍ପୁଡ଼ି ସଂସ୍ପର୍ଶରେ ଆସିଥିବା ଗ୍ରାମର କେତେକ ଲୋକଙ୍କ ଗୋଡ଼ରେ ଘା’ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ଗ୍ରାମର କେତେକ ଘରର କାନ୍ଥରେ ଏହି ପିମ୍ପୁଡ଼ି ବସା କରିସାରିଲେଣି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପିମ୍ପୁଡ଼ି ଝଟିପିଟି, ବିଛା, ସାପ, ବେଙ୍ଗ ଆଦି ଜନ୍ତୁଙ୍କୁ ସଂଘବଦ୍ଧ ଆକ୍ରମଣ କରୁଛନ୍ତି। ବିଲେଇ, କୁକୁର ମଧ୍ୟ ଏମାନଙ୍କର ଆକ୍ରମଣରୁ ବର୍ତ୍ତି ପାରୁନାହାନ୍ତି। ତେଣୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର