ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜ୍ୟ ସରକାର ଭୂମିହୀନ, ବାସହୀନଙ୍କୁ ପକ୍କା ଘର ଯୋଗାଇ ଦେବାକୁ ‘ଅନ୍ତ୍ୟୋଦୟ ଯୋଜନା’ ଆରମ୍ଭ କରିଛନ୍ତି। ଉଦ୍ଦେଶ୍ୟ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ। ଏଥିପାଇଁ ୨୫ ବର୍ଗ ମିଟର ବା ୨୭୦ ବର୍ଗ ଫୁଟର ଘର କରିବାକୁ ୧ଲକ୍ଷ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଦେବେ। ହେଲେ ଏତିକି ଟଙ୍କାରେ ଜଣେ ଗରିବ ଲୋକ କ’ଣ ପକ୍କାଘରଟିଏ କରିପାରିବ? ଅନ୍ତ୍ୟୋଦୟ ଯୋଜନା ଗରିବଙ୍କ ପ୍ରତି ସରକାରଙ୍କ ‘ଉପହାସ’ ନୁହେଁ କି?
ନିୟମ କରିଛନ୍ତି, ଘରର କାର୍ପେଟ ଅଞ୍ଚଳ ସର୍ବନିମ୍ନ ୨୫ ବର୍ଗମିଟର ହେବ। ଅର୍ଥାତ୍ ଘରର କାନ୍ଥକୁ ଛାଡ଼ି ଘର ଭିତରେ ଚଳିବା ପାଇଁ ଯେତିକି ଅଞ୍ଚଳ ରହିବ ତାହା ୨୭୦ବର୍ଗଫୁଟର ହୋଇଥିବା ଦରକାର। ଚାରିପଟର କାନ୍ଥ ଯଦି ମିଶିବ ତେବେ ଏହା ୩୦୦ ବର୍ଗଫୁଟ ଟପିଯିବ। ଅର୍ଥାତ୍, ୩୦୦ବର୍ଗଫୁଟର ଘର କରିବାକୁ ୧ଲକ୍ଷ ୨୦ହଜାର ଟଙ୍କା ମିଳିବ। ପ୍ରଶ୍ନ ଉଠିବାର କାରଣ ହେଉଛି, ଖୋଦ୍ ରାଜ୍ୟ ସରକାର ଯେଉଁ ସରକାରୀ କୋଠା ନିର୍ମାଣ କରୁଛନ୍ତି ସେଥିପାଇଁ ପ୍ରତି ବର୍ଗଫୁଟ ପିଛା ୧୬୦୦ରୁ ୧୮୦୦ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଗରିବ ଲୋକଟି ପାଇଁ ବର୍ଗଫୁଟ ପିଛା ୪୦୦ଟଙ୍କାରେ ଧାର୍ଯ୍ୟ ହେଉଛି। ଆହୁରି ସରଳ ଭାବେ କହିଲେ, ଏହି ୩୦୦ବର୍ଗଫୁଟର ଘରଟିଏ ନିର୍ମାଣ କରିବାକୁ ରାଜ୍ୟ ସରକାର ଯଦି ଟେଣ୍ଡର ଡାକିବେ ତେବେ ପ୍ରତି ବର୍ଗଫୁଟ ପିଛା ସର୍ବନିମ୍ନ ୧୬୦୦ଟଙ୍କା ହିସାବରେ ୪ଲକ୍ଷ ୮୦ହଜାର ଟଙ୍କା ଖର୍ଚ୍ଚ କରିବେ। ବିଡ଼ମ୍ବନାର ବିଷୟ ସେହି ସମାନ ଘରକୁ ଜଣେ ଗରିବ ଲୋକକୁ ୧ଲକ୍ଷ ୨୦ହଜାର ଟଙ୍କାରେ କରିବାକୁ କୁହାଯାଉଛି। ଏମିତିରେ ବି ମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କ ଶୌଚାଳୟ ନିର୍ମାଣ କ୍ଷେତ୍ରରେ ପ୍ରାୟ ୧ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।
ଯନ୍ତ୍ରୀମାନଙ୍କର କହିବା କଥା ହେଲା, ଜଣେ ୩୦୦ଫୁଟର ଛାତଘର ପାଇଁ ୬ଟି ପିଲାର୍, ଡିପିସି, ବିମ୍ ପକାଇ ଛାତ ପକାଇଲେ ୪ଲକ୍ଷ ଟଙ୍କାରୁ କମ୍ ଖର୍ଚ୍ଚ ହେବନି। ହିସାବ ଦେଖିଲେ ବଜାରରେ ଏବେ ବାଲି ଟ୍ରିପ୍ ୧୧ହଜାର ଟଙ୍କା, ଲୁହା ଛଡ଼ କ୍ବିଣ୍ଟାଲ ୫ହଜାର ଟଙ୍କା, ଗୋଡ଼ି ଟ୍ରିପ୍ ୩୦ହଜାର ଟଙ୍କା, ଇଟା ୧୨୦୦କୁ ୧୨୦୦୦ ଟଙ୍କା, ସିମେଣ୍ଟ ବସ୍ତା ୩୫୦ଟଙ୍କାରୁ କମ୍ ନାହିଁ। ଏଥିରେ ୩୦୦ ବର୍ଗଫୁଟର ଘରଟିଏ କଲେ ୧୫୦ବସ୍ତା ସିମେଣ୍ଟ ପାଇଁ ୫୨୫୦୦ ଟଙ୍କା, ବାଲି ୩ଟ୍ରିପ୍ ପାଇଁ ୩୩ହଜାର, ଲୁହାଛଡ଼ ୭.୫କ୍ବିଣ୍ଟାଲ ପାଇଁ ୪୦ହଜାର, ଗୋଡ଼ି ୨ଟ୍ରିପ୍କୁ ୬୦ହଜାର, ଇଟା ୭ହଜାରକୁ ୮୪ହଜାର ଟଙ୍କା, ଘର ତିଆରି ମଜୁରି ୫୦ହଜାର, ଘରର ନିଅଁ ଖୋଳା ପାଇଁ ୫ହଜାର, ଘର ତିଆରି ସରିବା ପରେ ରଙ୍ଗ, ଇଲେକ୍ଟ୍ରିକ୍ କାମ, କବାଟ, ଚଉକାଠ, ଝରକା ଏବଂ ଅନ୍ୟାନ୍ୟ ବାବଦକୁ ୮୦ହଜାର ଟଙ୍କା ଧରିଲେ ୪ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ପଛେ ଟଙ୍କାଟିଏ କମ୍ ଖର୍ଚ୍ଚ ହେବନି।
ଲକ୍ଷେ ୨୦ହଜାରରେ କେମିତି ହେବ ୩୦୦ ବର୍ଗଫୁଟର ଘର?
ମନ୍ତ୍ରୀ, ସଚିବଙ୍କ ଶୌଚାଳୟ ନବୀକରଣରେ ଖର୍ଚ୍ଚ ହେଉଛି ଲକ୍ଷଲକ୍ଷ
୨୦୨୫-୨୬ରେ ୭୫ହଜାର ଘର ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର
ହିସାବରେ ଯଦି ପିଲାର କରିବନି, ଡିପିସି ପକାଇବନି ତେବେ ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା କମିଯିବ। ୪ଲକ୍ଷ ଜାଗାରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ହେଲେ ଓଡ଼ିଶାର ଜଳବାୟୁ ଓ ଭୌଗୋଳିକ ସ୍ଥିତି ଯାହା, ହଠାତ୍ ପ୍ରବଳ ଖରା, ପ୍ରବଳ ବର୍ଷା, ଭୂ-କମ୍ପ ଜୋନ୍ରେ ୧୫ରୁ ଅଧିକ ଜିଲ୍ଲା ରହୁଥିବାରୁ ଯେଉଁ ଘର ନିର୍ମାଣ ହେବ ତାହା ୪ରୁ ୫ବର୍ଷରେ ଭାଙ୍ଗିବା ଥୟ। ଛାତ ଫାଟିବା ସହ କାନ୍ଥ ଫାଟି ଘର ଦବିବ। ବିନା ପିଲାର୍ ଓ ଡିପିସିରେ ଘରଟିଏ କଲେ ଏହା ଉପରେ ଆଉ ଘର କରିହେବନି। ଅର୍ଥାତ୍ ଯେଉଁ ଗରିବ ବାସହୀନ ଓ ଭୂମିହୀନ ଲୋକଟିଏ ସରକାରଙ୍କ ସହାୟତାରେ ଆଜି ଘରଟିଏ କରିଛି, ଭବିଷ୍ୟତରେ ଯଦି ସେ ସ୍ବଚ୍ଛଳ ହେବେ ତେବେ ସେ ସେହି ଘରେ ରହିବାକୁ ବାଧ୍ୟ ହେବ। ଯେଉଁ ଗରିବକୁ ସେହି ଗରିବ ହୋଇ ରହିବ।
ରାଜ୍ୟ ସରକାର ନିୟମ କରିଛନ୍ତି ୩ଟି କିସ୍ତିରେ ହିତାଧିକାରୀଙ୍କୁ ଏହି ୧ଲକ୍ଷ ୨୦ହଜାର ଟଙ୍କା ମିଳିବ। ୱାର୍କ ଅର୍ଡର ଦେବା ବେଳେ ୪୦ହଜାର ଟଙ୍କା, ଛାତ ପର୍ଯ୍ୟନ୍ତ କାନ୍ଥ ଉଠିଲେ ୬୫ହଜାର ଟଙ୍କା, ଘର ସରିଲେ ୧୫ହଜାର ଟଙ୍କରା ମିଳିବ। ଯେଉଁଟି ଘର କରିବାକୁ ପ୍ରାୟ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେବ ସେଠାରେ ସରକାର ଘର କରିବା ଭିତରେ ୧ଲକ୍ଷ ୫ହଜାର ଟଙ୍କା ଦେବେ। ଘର କରିସାରିଲେ ବାକି ୧୫ହଜାର। ଏହାସହ ଘୋଷଣା କରିଛନ୍ତି ଯଦି ପ୍ରଥମ କିସ୍ତି ନେବାର ୪ମାସରେ ଘର ସରିବ ତେବେ ୨୦ହଜାର, ୬ମାସରେ ସରିଲେ ୧୦ହଜାର ଟଙ୍କା ଅଧିକ ସହାୟତା ମିଳିବ।
ଗରିବ ଲୋକଟିର ଜମି ନଥିବ କିମ୍ବା ଜମି ଥାଇ ବି ଯଦି ଝୁମ୍ପୁଡ଼ି ଘରେ ରହୁଥିବ; ତାହା ଯଦି ବାତ୍ୟା, ବନ୍ୟାରେ ପୂରା ଭାଙ୍ଗିଗଲା, ନିଆଁ ଲାଗି ପୋଡ଼ି ଗଲା କି ଦଙ୍ଗା ବା କୌଣସି କାରଣରୁ ନଷ୍ଟ ହୋଇଗଲା ତା’ର ତ ସର୍ବସ୍ବ ଚାଲିଯିବ। ଏହିଭଳି ଲୋକକୁ କିଏ ଘର କରିବାକୁ କରଜ ଦେବ ଯେ ସେ ଲକ୍ଷେ ୫ହଜାର ଟଙ୍କାରେ ଘର କରିଦେବ? ଯିଏ ଭୂମିହୀନ, ସର୍ବହରା ସେ ସରକାରଙ୍କ ୧ଲକ୍ଷ ୨୦ହଜାର ଟଙ୍କାରେ ଆଉ କେତେ ଟଙ୍କା ମିଶାଇଲେ ଛାତ ଘର କରିପାରିବ ସରକାର ହିସାବ କରିଛନ୍ତି ତ! ଯେ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ୨୦୨୫-୨୬ରେ ୭୫ହଜାର ଘର ଆବଣ୍ଟନ କରିବାକୁ ଟାର୍ଗେଟ୍ ରଖିଥିବାବେଳେ ଏଥିପାଇଁ ୨୬୦୩କୋଟି ଟଙ୍କା ବଜେଟ୍ରେ ବରାଦ ହୋଇଛି। ୩ବର୍ଷରେ ଏହି ଯୋଜନାରେ ୨ଲକ୍ଷ ୨୫ହଜାର ଘର ଆବଣ୍ଟନ ହେବାକୁ ଥିବାବେଳେ ଏଥିପାଇଁ ୭୫୫୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି।