ମତେ ଓ ବର୍ଷାଙ୍କୁ ନେଇ ମନଗଢା କାହାଣୀ ସୃଷ୍ଟି ନ କରାଯାଉ: ଅନୁଭବ

ଭୁବନେଶ୍ଵର: ଓଲିଉଡ ସୁପରଷ୍ଟାର ଯୋଡି ବର୍ଷା ଓ ଅନୁଭବଙ୍କ ବିବାଦ ବଢିଚାଲିଥିବା ବେଳେ ମତ ରଖିଛନ୍ତି କେନ୍ଦ୍ରାପଡା ସାଂସଦ । ଏକ ପ୍ରେସ ବିବୃତି ଜାରି କରି ଅନୁଭବ କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଜୀବନକୁ ପଦାରେ ନ ପକାଇବା ପାଇଁ ସେ କିଛି ମାସ ଧରି ନିରବ ରହିଥିଲେ । ତେବେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଉଦ୍ଦେଶ୍ୟମୂଳକ ଖବର ପ୍ରକାଶ ପାଇବା ପରେ ସେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି| ସେ କହିଛନ୍ତି, ପ୍ରତ୍ୟେକ ମଣିଷର ଆତ୍ମସମ୍ମାନ ତାର ଅଧିକାର । ଏହା ସହ ଅନୁଭବ ତାଙ୍କ ପ୍ରେସ ରିଲିଜରେ ଲେଖିଛନ୍ତି ପ୍ରତ୍ୟେକ କାହାଣୀର ଦୁଇଟି ଦିଗ ରହିଛି । ସେ ଲେଖିଛନ୍ତି ବର୍ଷାକୁ ମୁଁ ଗଭୀର ଭାବରେ ଭଲ ପାଇ ବିବାହ କରିଥିଲି । ତାଙ୍କୁ ଜଣେ ସଫଳ ମହିଳା ହିସାବରେ ମୁଁ ସମ୍ମାନ ଦିଏ । ହେଲେ ମୋର ବୈବାହିକ ଜୀବନ ଦୀର୍ଘଦିନ ଧରି ଖରାପ ସମୟ ଦେଇ ଗତି କରୁଥିଲା ।

ତେବେ ସେ ଏହାକୁ ସୁଧାରିବା ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ । କିନ୍ତୁ ତାହା ଫଳପ୍ରଦ ହୋଇ ନଥିଲା । ଅନୁଭବ ଆହୁରି ଲେଖିଛନ୍ତି, ପରସ୍ପରର ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ରକ୍ଷା ପାଇଁ ସହମତି ଭିତିରେ ଛାଡପତ୍ର ଦେବାପାଇଁ ସେ ଓ ତାଙ୍କ ପରିବାର ଉଦ୍ୟମ କରିଥିଲେ | ଏହା ଫଳପ୍ରଦ ନହେବାରୁ ସେ ଛାଡପତ୍ର ପାଇଁ ଜୁଲାଇ ୨୦୨୦ରେ କୋର୍ଟରେ ଡିଭୋର୍ସ ପିଟିସନ ଦାଖଲ କରିଥିଲେ । ତାଙ୍କର ଡିଭୋର୍ସ ପିଟିସନ ଯେପରି ଲିକ ନହୁଏ, ସେଥିପାଇଁ ସେ ଓ ତାଙ୍କର ଓକିଲ ଉଦ୍ୟମ କରିଆସୁଥିଲେ ।

ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା ଓ ତାଙ୍କ ସମ୍ପର୍କକୁ ନେଇ ବିଭିନ୍ନ ମନଗଢା କାହାଣୀ ଏବଂ ତାଙ୍କ ବିରୋଧରେ ଅମୁଳକ ଅଭିଯୋଗ ତାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଛି । ପ୍ରେସ ରିଲିଜରେ ଅନୁଭବ ଲେଖିଛନ୍ତି, ବିଚାର ବିଭାଗ ଏବଂ ଭଗବାନଙ୍କ ଉପରେ ତାଙ୍କର ସମ୍ପୁର୍ଣ୍ଣ ଆସ୍ଥା ରହିଛି । କୋର୍ଟରେ ମାମଲା ଥିବାରୁ ଏହା ଉପରେ ଅଧିକ କିଛି କହିବା ଉଚିତ ହେବନାହିଁ ବୋଲି ସେ ଉଲ୍ଲେଖ କହରିଛନ୍ତି । ଏହା ସହ ସେ ଅନୁରୋଧ କରିଛନ୍ତି, ତାଙ୍କର ଓ ତାଙ୍କ ପରିବାରର ସମ୍ମାନ, ବର୍ଷା ଓ ବର୍ଷାଙ୍କ ପରିବାରର ସମ୍ମାନକୁ ସମସ୍ତେ ସମ୍ମାନ ଦିଅନ୍ତୁ । ଏନେଇ କୌଣସି ଗୁଜବ କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର