ବର୍ଷା-ଅନୁଭବ ବିବାଦ ଘନେଇଲା, ଭୟଭୀତ ହୋଇ ପୁଲିସ ସୁରକ୍ଷା ଲୋଡ଼ିଲେ ବର୍ଷା

ବର୍ଷା ଖାଉଥିବା ବେଳର ଭିଡିଓ ରେକର୍ଡ କଲେ ଅନୁଭବଙ୍କ ଘରୋଇ କର୍ମଚାରୀ

କଟକ: ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଆଜି ପୁଣି ନୂଆ ମୋଡ଼ ନେଇଛି। ଗୋଟିଏ ପଟେ ଆଜି ବର୍ଷାଙ୍କ ପକ୍ଷରୁ ଦାୟର ଦୁଇଟି ମାମଲାର ଶୁଣାଣି ହୋଇ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଅନ୍ୟପଟେ ବର୍ଷା ନିଜ ସୁରକ୍ଷା ପାଇଁ ପୁଲିସ ସହାୟତା ନେଇଛନ୍ତି। ଏଭଳି ସ୍ଥିତିରେ ଅନୁଭବଙ୍କ ଘରେ ବର୍ଷା ରହିଥିବା ସୂଚନା ଘଟଣାକୁ ଆହୁରି ରୋଚକ ମୋଡ଼କୁ ନେଇଛି। ଘରୋଇ ହିଂସାର ଶିକାର ହୋଇ ନିଜକୁ ଅସୁରକ୍ଷିତ ମନେ କରୁଥିବା ବର୍ଷା ଆଜି ବି କିଭଳି ତାଙ୍କ ଘରେ ରହିଛନ୍ତି ବୋଲି ଅଭିନେତା, ସାଂସଦ ଅନୁଭବ ମହାନ୍ତି ଗଣମାଧ୍ୟମ ସାମନାରେ ପ୍ରଶ୍ନ କରିଛନ୍ତି। ଫଳରେ, ବର୍ଷା-ଅନୁଭବଙ୍କ ବିବାଦ ଅଦାଲତି ଲଢ଼େଇରୁ ବାହାରି ପୁଲିସ ଓ ଗଣମାଧ୍ୟମରେ ପହଞ୍ଚିଛି। ବର୍ଷା କଟକ ଏସଡିଜେଏମଙ୍କ ଅଦାଲତରେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା, ଭରଣପୋଷଣ ଓ କ୍ଷତିପୂରଣ ଦାବିରେ ଯେଉଁ ମାମଲା ରୁଜୁ କରିଛନ୍ତି, ତାହାର ଆଜି ଶୁଣାଣି ହୋଇଥିଲା। କିନ୍ତୁ ବ୍ୟବସ୍ଥା ଅନୁଯାୟୀ ଆଜି ଜିଲ୍ଲାର ସୁରକ୍ଷା ଅଧିକାରୀ (ପ୍ରୋଟେକ୍ସନ ଅଫିସର) ରିପୋର୍ଟ ଦାଖଲ କରି ନ ଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି। କିନ୍ତୁ ଆଜି ସୁରକ୍ଷା ଅଧିକାରୀ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି। ସୁରକ୍ଷା ଅଧିକାରୀ ମଞ୍ଜୁଲତା ନାୟକ ବର୍ଷାଙ୍କୁ କ’ଣ ସବୁ ନିର୍ଦ୍ଦିଷ୍ଟ ଭାବେ ଘରୋଇ ହିଂସା ସଂପର୍କିତ ଅଭିଯୋଗ ରହିଛି, ସେ ସଂପର୍କରେ ପଚାରି ବୁଝିଥିଲେ। ବର୍ଷା ଏ ସଂପର୍କରେ କହିଛନ୍ତି ଯେ, ପାରିବାରିକ ଘଟଣା ସଂକ୍ରାନ୍ତରେ ବିଭିନ୍ନ ପ୍ରଶ୍ନ ପଚାରି ସୁରକ୍ଷା ଅଧିକାରୀ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେ କେବେ ଠାରୁ ଏଭଳି ନିର୍ଯାତନାର ଶିକାର ହେଉଛନ୍ତି, କାହା ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଅଭିଯୋଗ ରହିଛି ସେ ନେଇ ତାଙ୍କୁ ସୁରକ୍ଷା ଅଧିକାରୀ ପଚାରି ଥିଲେ। ‌ଯୌତୁକ ଦାବି ଓ ଅନ୍ୟ ଘରୋଇ ବିବାଦ ପ୍ରସଂଗରେ ବର୍ଷାଙ୍କର କ’ଣ ଅଭିଯୋଗ ରହିଛି, ସେ ନେଇ ମଧ୍ୟ ସୁରକ୍ଷା ଅଧିକାରୀ ପଚାରି ବୁଝିବା ସହିତ ନିର୍ଦ୍ଦିଷ୍ଟ ଫର୍ମରେ ଲେଖିଥିଲେ। ଫର୍ମର ଥିବା ୭ଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଓ ଅନ୍ୟ ତଥ୍ୟ ପୂରଣ କରାଯିବା ପରେ ବର୍ଷା ସେଥିରେ ସ୍ବାକ୍ଷର କରିଥିଲେ। ଆଜି ସକାଳେ ସୁରକ୍ଷା ଅଧିକାରୀ ବର୍ଷା ରହୁଥିବା ଅନୁଭବଙ୍କ ପୈତୃକ ନନ୍ଦୀ ସାହି ଘରକୁ ଯାଇ ଫେରି ଥିବାବେଳେ ପୁଣି ମଧ୍ୟାହ୍ନରେ ଯାଇ ପ୍ରାୟ ଅଧଘଣ୍ଟା କାଳ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ତଥ୍ୟ ସଂଗ୍ରହ ପରେ ଅପରାହ୍ନରେ କଟକ ସଦର ଏସଡିଜେଏମ୍ ଅଦାଲତରେ ଏ ସଂପର୍କିତ ରିପୋର୍ଟ ସୁରକ୍ଷା ଅଧିକାରୀ ଦାଖଲ କରିଥିବା ସୂଚନା ମିଳିଛି।

ଭୟଭୀତ ହୋଇ ପୁଲିସ ସୁରକ୍ଷା ଲୋଡ଼ିଲେ ବର୍ଷା
ବର୍ଷାଙ୍କ ଦୁଇଟି ଅଭିଯୋଗର ଶୁଣାଣି ଅକ୍ଟୋବରକୁ ଘୁଞ୍ଚିଲା
ବର୍ଷା ଆଜି ବି ମୋ ଘରେ ଅଛନ୍ତି, ଘରୋଇ ହିଂସା କିଭଳି: ଅନୁଭବ

ଅନ୍ୟପଟେ ବର୍ଷାଙ୍କ ପକ୍ଷରୁ କଟକ ପରିବାର ଅଦାଲତରେ ତାଙ୍କ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ଦାୟର ମାମଲାର ଶୁଣାଣି ମଧ୍ୟ ଘୁଞ୍ଚିଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪କୁ ଧାର୍ଯ୍ୟ କରାଯାଇଛି। ଉଭୟ ମାମଲାରେ ଏ ପର୍ଯ୍ୟନ୍ତ ଅନୁଭବଙ୍କୁ ନୋଟିସ୍ ହୋଇନାହିଁ। ତେଣୁ ଅନୁଭବଙ୍କ ପକ୍ଷରୁ କେହି ଅଦାଲତରେ ହାଜର ହୋଇ ନଥିବା ସୂଚନା ମିଳିଛି। ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍‌ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ଜୁଲାଇ ୧୬‌ରେ ଯେଉଁ ପିଟିସନ୍ ଦାଖଲ କରିଥିଲେ, ତା’ର ଶୁଣାଣି ମଧ୍ୟ ଆସନ୍ତା ମାସରେ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅନୁଭବ ଦିଲ୍ଲୀରେ ଛାଡ଼ପତ୍ର ପାଇଁ ଦାୟର କରିଥିବା ମାମଲା ଲଢିବା ପାଇଁ ବର୍ଷାଙ୍କ ପକ୍ଷେ ଦିଲ୍ଲୀ ଯିବା ସମ୍ଭବ ନୁହେଁ। ତେଣୁ ଏହି ମାମଲା କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଆଜି ତାଙ୍କ ଓକିଲ ଆର.କେ.ରଥ ସୂଚନା ଦେଇଛନ୍ତି।

ଏଭଳି ସ୍ଥିତିରେ କିନ୍ତୁ ଆଜି ନିଜ ସୁରକ୍ଷା ପାଇଁ ବର୍ଷା ପୁଲିସକୁ ଫୋନରେ ଅବଗତ କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଆଜି ବର୍ଷାଙ୍କୁ ତାଙ୍କ ରୋଷେୟା ଖାଇବାକୁ ଦେଉଥିବାବେଳେ ଜଣେ ଯୁବକ ବର୍ଷାଙ୍କ ଫଟୋ ଉଠାଇବା ଘଟଣାରେ ବର୍ଷା ଭୟଭୀତ ହୋଇ ଏ ସଂକ୍ରାନ୍ତରେ କମିସନରେଟ୍ ପୁଲିସକୁ ଅବଗତ କରିଥିଲେ। ପୁଲିସ ଅନୁଭବଙ୍କ ଘରେ ପହଞ୍ଚି ଘଟଣାର ଛାନଭିନ୍ କରିଥିଲା। ଅନୁଭବଙ୍କ ପୈତୃକ ଘର ଚୌଧୁରୀ ବଜାର ନନ୍ଦୀ ସାହିରେ ଏବେ ବି ବର୍ଷା ରହୁଛନ୍ତି। ରୋଷେୟା ଆଜି ତାଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିବା ସମୟରେ ଘରେ କାମ କରୁଥିବା ଜଣେ କର୍ମଚାରୀ ବର୍ଷାଙ୍କ ଫଟୋ ଉଠାଇଥିଲେ। ବର୍ଷା ଏଥିରେ ଭୟଭୀତ ହୋଇ ପୁଲିସ କଣ୍ଟ୍ରୋଲ ରୁମ୍ ନମ୍ବର ୧୦୦କୁ ଫୋନ୍ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଡିସିପି ପ୍ରତୀକ ସିଂହ ପୁରୀଘାଟ ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁଙ୍କୁ ଅପରାହ୍ନ ପ୍ରାୟ ୪ଟା ବେଳେ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେବା ପରେ ପୁରୀଘାଟ ଥାନାର ଦୁଇ ଜଣ ପୁଲିସ ଅଫିସର ତୁରନ୍ତ ନନ୍ଦୀ ସାହିରେ ପହଞ୍ଚିଥିଲେ। ପରେ ପରେ ମହିଳା ଥାନା ଆଇଆଇସି ଅନସୂୟା ନାୟକ ଏବଂ ଅନ୍ୟ ଜଣେ ମହିଳା କର୍ମଚାରୀ ପହଞ୍ଚି ଘଟଣା ସମ୍ପର୍କରେ ବର୍ଷାଙ୍କୁ ପଚାରି ବୁଝିଥିଲେ। ପ୍ରାୟ ୨ ଘଣ୍ଟା କାଳ ପୁଲିସ ଅନୁଭବଙ୍କ ଘରେ ରହିଥିଲା।

ଏଭଳି ଘଟଣା ସଂପର୍କରେ ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ ପୁଲିସରେ କ’ଣ ଅଭିଯୋଗ ହୋଇଛି ସେ ଜାଣିନାହାନ୍ତି। ଏବେ ମାମଲା ବିଚାରାଧୀନ ରହିଛି। ଏଇଟା ସଂପୂର୍ଣ୍ଣ ବ୍ୟକ୍ତିଗତ ମାମଲା। ନ୍ୟାୟାଳୟ ଆଉ ଈଶ୍ବରଙ୍କ ଉପରେ ଭରସା ଅଛି। ଯିଏ ଦୋଷୀ ସିଏ ଦଣ୍ଡ ପାଇବ। ଯିଏ ନ୍ୟାୟରେ ଥିବ ସିଏ ଜିତିବ। କିନ୍ତୁ ଆସନ୍ତାକାଲି ଯଦି ପ୍ରମାଣ ହେବ ଯେ ମୁଁ ଓ ମୋ ପରିବାର ସତ କହୁଥିଲୁ ଏବଂ ମୋ ବିରୋଧରେ ହୋଇଥିବା ଅଭିଯୋଗ ମିଛ, ତେବେ ବର୍ତ୍ତମାନ ଗଣମାଧ୍ୟମର ଟିଆରପି ଲଢ଼େଇରେ ମୋ ଅସୁସ୍ଥ ପିତାଙ୍କ ଯଦି ଅଧିକ କିଛି ଦେହ ଖରାପ ହୁଏ ତେବେ ସେଥିପାଇଁ କେଉଁ ଗଣମାଧ୍ୟମ ଦାୟୀ ରହିବ,’ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି। ଯଦି ବର୍ଷା ଘରୋଇ ହିଂସାର ଶିକାର ହୋଇଛନ୍ତି, ଆମେ ତାଙ୍କୁ ହଇରାଣ କରୁଛୁ, ତେବେ ସେ ଏବେ ବି କିଭଳି ମୋ ଘରେ ରହିଛନ୍ତି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି। ତାଙ୍କର ଗୋଟିଏ ଛୋଟିଆ ଭୁଲ ନିଷ୍ପତ୍ତି ଯୋଗୁଁ ତାଙ୍କ ପରିବାର ଅନେକ ବର୍ଷ କଷ୍ଟ ଭୋଗି ସାରିଲେଣି ବୋଲି ଅନୁଭବ କହିଛନ୍ତି।

ସମ୍ବନ୍ଧିତ ଖବର