ଅନୁଭବ-ବର୍ଷାଙ୍କ ସୋସିଆଲ୍ ମିଡିଆ ଯୁଦ୍ଧ, ଚାଲିଛି ଆରୋପ-ପ୍ରତ୍ୟାରୋପ

କଟକ : ଈଶ୍ବରଙ୍କୁ ଡର… ସତ କେବେ ଲୁଚି ରହେନା…ଆଇନରୁ କେହି ଊର୍ଦ୍ଧ୍ବରେ ନୁହନ୍ତି… ବ୍ୟକ୍ତିଗତ ମାମଲା କହି ସାଂସଦଙ୍କ ପ୍ୟାଡରେ ବିବୃତି ଛାଡୁଛନ୍ତି କେମିତି…୨ ମାସ ହେବ ମୋର ଦୁଇଟି ଫୋନକୁ ବ୍ଲକ କରିଛନ୍ତି କାହିଁକି….ଗଲା ୭ ତାରିଖରୁ ଆଜି ଭିତରେ ଏକାଧିକ ଟୁଇଟ୍ ଜରିଆରେ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବ ମହାନ୍ତିଙ୍କୁ ଏଭଳି ପ୍ରଶ୍ନ କରି ଚାଲିଛନ୍ତି। ଅନ୍ୟପଟେ ଅନୁଭବ ବି ଟୁଇଟରେ ଘରେ ହୋଇଥିବା ଗଣେଶ ପୂଜାର ଭିଡିଓ ସେୟାର କରି ଏହା କଣ ଘରୋଇ ହିଂସା କି ବୋଲି ପ୍ରଶ୍ନ କରିଛନ୍ତି। ଅଦାଲତ, ଥାନା ସହିତ ସୋସିଆଲ୍ ମିଡିଆ (ଟୁଇଟର)ରେ ଷ୍ଟାର ଦମ୍ପତି ଅନୁଭବ-ବର୍ଷାଙ୍କ ବିବାଦ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ମଥାର ସିନ୍ଦୂର ମୋ ପାଇଁ ଖେଳ ନୁହେଁ: ବର୍ଷା
ଘରୁ ବାହାରକୁ ଯାଇ ପୁଣି ଫେରିଲେ ବର୍ଷା

ଏହି ବିବାଦ ପ୍ରସଙ୍ଗରେ ବର୍ଷା ଏଯାଏ ୫ ଥର ଟୁଇଟ୍ କରି ସାରିଥିବା ବେଳେ ଅନୁଭବ ଦୁଇ ଥର ଟୁଇଟ୍ କରି ସାରିଲେଣି। ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ନିଜ ପ୍ୟାଡରେ ଏକ ବିବୃତ ଛାପି ତାହାକୁ ଜାରି କରିବା ସହିତ ଟୁଇଟରରେ ମଧ୍ୟ ସେୟାର କରିଥିଲେ। ପରେ ଗଣେଶ ପୂଜାର ଭିଡିଓ ସେୟାର କରି ସେଥିରେ ବର୍ଷା ଓ ତାଙ୍କ ପରିବାର ଲୋକ କିଭଳି ମିଳିମିଶି ପୂଜା କରୁଛନ୍ତି ତାହା ଦର୍ଶାଇବା ସହିତ ଏଭଳି ସ୍ଥିତିରେ ଥିବା ବର୍ଷା କଣ ଘରୋଇ ହିଂସାର ଶିକାର ହୋଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଘରୋଇ ହିଂସାର ଶିକାର ହୋଇଥିବା ବର୍ଷା ସେହି ଘରେ ରହିଛନ୍ତି କିଭଳି ବୋଲି ପ୍ରଶ୍ନ କରିଥିଲେ।

Update Odisha

ଅନୁଭବଙ୍କ ଟୁଇଟର ଜବାବ ଦେଇ ବର୍ଷା ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଚାଲିଛନ୍ତି। ସେ ଅନୁଭବଙ୍କୁ ସୁଧାରିବାକୁ ଉଦ୍ୟମ କରିଛନ୍ତି। ତାଙ୍କ ବାପାଙ୍କୁ ନିଜ ବାପା ଭଳି ସେବା କରିଛନ୍ତି। ଅନୁଭବଙ୍କ ବାପା ଅସୁସ୍ଥ ଥିଲା ବେଳେ ଅନୁଭବ ସଂସଦ ନ ଚାଲିଥିଲେ ବି ଦିଲ୍ଲୀରେ ରହୁଥିବା ବେଳେ ସେ କିନ୍ତୁ ଏଠାରେ ‌ରହି ତାଙ୍କର ସେବା କରିଛନ୍ତି। ସେ ସବୁ ବେଳେ ସଂପର୍କ ଯୋଡିବାକୁ, ଶାଶୂ ଘରେ ରହିବାକୁ, ଅନୁଭବଙ୍କ ପତ୍ନୀ ହୋଇ ରହିବାକୁ ଉଦ୍ୟମ କରି ଆସିଛନ୍ତି ବୋଲି ବର୍ଷା ଟୁଇଟରରେ ଲେଖିଛନ୍ତି। ଅନୁଭବଙ୍କ ପରକୀୟା ପ୍ରୀତି ଯୋଗୁଁ ସେ ଯନ୍ତ୍ରଣା ପାଇ ଚାଲିଥିଲେ ବି ସମ୍ମାନ ଦୃଷ୍ଟିରୁ ସବୁ କିଛି ଘରର ଚାରି କାନ୍ଥ ଭିତରେ ସୀମିତ ରଖୁଥିଲେ। ବାହାଘର ଓ ମୋ ମଥାର ସିନ୍ଦୂର ମୋ ପାଇଁ ଖେଳ ନୁହେଁ। ଆଜି ପର୍ଯ୍ୟନ୍ତ ମୁଁ ମୋ ସ୍ବାମୀଙ୍କ ପ୍ରତି ବିଶ୍ବସ୍ତ ହୋଇ ରହିଛି। ମୋ ସ୍ବାମୀ ଅବାଟକୁ ଚାଲି ଯାଇଛନ୍ତି। ତାଙ୍କୁ ଫେରାଇ ଆଣିବାର ବିଶ୍ବାସ ରଖିଛି। ମୋ ବାହାଘରକୁ ବଂଚାଇବାକୁ ମୋ ଶେ‌ଷ ନିଶ୍ବାସ ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିଥିବି। ଶାଶୂ ଘରେ ବି ଶେଷ ନିଶ୍ବାସ ପର୍ଯ୍ୟନ୍ତ ରହିବି। ଅନୁଭବଙ୍କ ଟୁଇଟର ଜବାବ ଦେଇ ବର୍ଷା ଏଭଳି କିଛି ଲେଖିଥିବା ବ‌େଳେ ତାଙ୍କୁ ଏ ପରିସ୍ଥିତିରେ ସୁରକ୍ଷା ଯୋଗାଇ ଦେଇଥିବାରୁ କଟକ ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ଟୁଇଟ କରି କୃତଜ୍ଞତା ଜଣାଇଛନ୍ତି।

୭ ତାରିଖରେ ବର୍ଷା ଖାଉଥିବା ବେଳେ ଅନୁଭବଙ୍କ ସହଯୋଗୀ ତାଙ୍କର ଭିଡିଓ କରିବା ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ସେଥିପାଇଁ ପୁଲିସ ତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଇଛି। ୩ ଜଣ ମହିଳା କନଷ୍ଟେବଳ ପାଳି ଭିତ୍ତିରେ ତାଙ୍କର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି। ଆଜି ବର୍ଷା କିଛି ସମୟ ପାଇଁ ନିଜ ଶାଶୂ ଘରୁ ଜଣେ ସଂପର୍କୀୟଙ୍କ ସହ ବାପ ଘରକୁ ଯାଇଥିଲେ। ତାଙ୍କ ସହିତ ମହିଳା ସୁରକ୍ଷା କର୍ମୀ ବି ଥିଲେ। ତାଙ୍କର ମା ଅସୁସ୍ଥ ଥିବା ବେଳେ ସେ ତାଙ୍କୁ ଦେଖି ପୁଣି ନନ୍ଦୀ ସାହି ଘରକୁ ଫେରି ଆସିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର