ପରିବାର ଅଦାଲତରେ ବର୍ଷା-ଅନୁଭବ ମାମଲା: ଅନୁଭବଙ୍କୁ ଜେରା

କଟକ: କଟକ ପରିବାର ଅଦାଲତରେ ଅନୁଭବ-ବର୍ଷା ମାମଲାର ଆଜି ଶୁଣାଣି ହୋଇଛି। ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ସେ ଆଜି ଅତାଲତରେ ହାଜର ହୋଇଥିଲେ। ଅନୁଭବଙ୍କୁ ବର୍ଷାଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜେରା କରିଥିଲେ। ଆଜି ପ୍ରାୟ ଦୁଇ ଘଣ୍ଟା ଧରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଚାଲିଥିଲା। ଆଜି ସାକ୍ଷ୍ୟଗ୍ରହଣ ଅଧା ରହିଥିବା ବେଳେ ମେ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଜେରା ସମୟରେ ମାମଲା ସହିତ କୌଣସି ସଂପର୍କ ନଥିବା ବହୁ ଅପ୍ରାସଂଗିକ ପ୍ରଶ୍ନ ପଚରାଯାଉଛି ବୋଲି ଦର୍ଶାଇ ଆଜି ଅନୁଭବଙ୍କ ତରଫରୁ ଏକ ମେମୋ ଅଦାଲତରେ ଦାଖଲ କରାଯାଇଛି। ଏଥି ସହିତ ପରିବାର ଅଦାଲତରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ଅନୁଭବଙ୍କ ତରଫରୁ ଆଜି ଏକ ପିଟିସନ୍ ଦାଖଲ କରାଯାଇଛି। ଏହି ପିଟିସନ ଉପରେ ପରବର୍ତ୍ତୀ ତାରିଖରେ ଶୁଣାଣି ହେବ।

ଉଲ୍ଲେଖ ଯୋଗ୍ୟ ଯେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦, ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ୨୦୨୧, ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅନୁଭବଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର