ଦିଲ୍ଳୀର ପଟିଆଲା ହାଉସ୍‌ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହେଲା ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା

କଟକ: ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ। ତେବେ ଆଜିର ଶୁଣାଣି ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ । ସେ କହିଛନ୍ତି, ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରି ନଥିଲେ, ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା। ଏପରିକି ଯଥାଶୀଘ୍ର ଶୁଣାଣି ଆରମ୍ଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ। ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ।

ଏହି ବହୁଚର୍ଚ୍ଚିତ ଷ୍ଟାର କପଲଙ୍କ ଭିତରେ ପାରିବାରିକ ବିବାଦ ରହିଆସିଛି । ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି। ଏହାପରେ ଭରଣପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟକୁ ଯାଇଥିଲେ ବର୍ଷା । ପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲି କୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବର୍ଷା । ଆଜି ଏହି ମାମଲାର ଶୁଣାଣି କରି କଟକକୁ ମାମଲା ସ୍ଥାନାନ୍ତର କରିଛନ୍ତି ଅଦାଲତ।

ସମ୍ବନ୍ଧିତ ଖବର