କଟକ: ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମାନବାଧିକାର କର୍ମୀ। ମାନବାଧିକାର ସଂଗଠନ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନର ୫ କର୍ମକର୍ତ୍ତା ଓ ସଦସ୍ୟା ଆଜି ଚୌଧୁରୀ ବଜାର ନନ୍ଦୀ ସାହିସ୍ଥିତ ଘରେ ପହଞ୍ଚି ଉଭୟ ଅନୁଭବ ଓ ବର୍ଷାଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ଦେଢ ଘଣ୍ଟା କାଳ ଉଭୟଙ୍କ ସହିତ ସେମାନେ ଆଲୋଚନା କରିଥିଲେ। ଉଭୟ ନିଜନିଜ ବିରୋଧରେ ଆଣିଥିବା ପୂର୍ବ ଅଭିଯୋଗକୁ ଦୋହରାଇଥିଲେ ବି ଶାଶୂ ଘରେ ରହି ବିବାଦର ସମାଧାନ କରିବା ପାଇଁ ବର୍ଷା ମତ ରଖିଥିଲେ। ଅନ୍ୟପଟେ ଅନୁଭବ କିନ୍ତୁ ବିବାହ ବିଚ୍ଛେଦ ସପକ୍ଷରେ ଥିବା ସୂଚନା ଦେଇଥିଲେ।
ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନ ପକ୍ଷରୁ ଆଜି ଏହି ପ୍ରତିନିଧି ଦଳ ଦିନ ପ୍ରାୟ ୧୨ଟା ୩୦ ବେଳେ ସାଂସଦ ଅନୁଭବଙ୍କ ଘରେ ପହଞ୍ଚିଥିଲା। ଦିନ ପ୍ରାୟ ୨ ଟା ଯାଏ ବର୍ଷା-ଅନୁଭବ ଓ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ପ୍ରତିନିଧିମାନେ ପ୍ରଥମେ ବର୍ଷାଙ୍କୁ ଭେଟି ପାରିବାରିକ ହିଂସା ଅଭିଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ବର୍ଷା କହିଥିଲେ ଯେ ଅନୁଭବଙ୍କ ବ୍ୟତୀତ ଘରର ଅନ୍ୟ କୌଣସି ସଦସ୍ୟ ତାଙ୍କୁ କୌଣସି ପ୍ରକାର ନିର୍ଯାତନା ଦେଇ ନାହାନ୍ତି। କେବଳ ଅନୁଭବ ହିଁ ଅନେକ ସମୟରେ ମଦ ପିଇ ଖରାପ ଭାଷାରେ ତାଙ୍କୁ ଗାଳିଗୁଲଜ କରିଛନ୍ତି। ତଥାପି ସେ ବିବାହ ବିଚ୍ଛେଦ ନୁହେଁ, ଘରେ ଭିତରେ ରହି ବିବାଦର ସମାଧାନ ଚାହୁଁଛନ୍ତି। ଅନୁଭବ କିନ୍ତୁ ବର୍ଷାଙ୍କ ଏ ପ୍ରକାର ଅଭିଯୋଗକୁ ମିଛ ବୋଲି କହିଛନ୍ତି। ସେ ବିବାହ ବିଚ୍ଛେଦ ଚାହୁଁଥିବା ପ୍ରତିନିଧି ମାନଙ୍କୁ କହିଥିଲେ। ଗଲା ୬ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସମ୍ପର୍କ ନଥିବା ଅନୁଭବ କମିସନଙ୍କ ସାମନାରେ ଦୋହରାଇଥିଲେ।
ଇଣ୍ଟରନ୍ୟାସନାଲ୍ ହ୍ୟୁମାନ ରାଇଟ୍ସ କମିସନ ପକ୍ଷରୁ ରାଜ୍ୟ ସଭାପତି ଗୀତାଶ୍ରୀ ଦାସ, ସଦସ୍ୟ ରଶ୍ମିତା ମିଶ୍ର, ମିଲନ ଜେନା, ଦିପ୍ତୀ ଦାସ, ବବିତା ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।