ହାଇକୋର୍ଟରେ ଅନୁଭବ-ବର୍ଷା ବିବାଦ: ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେବେନି କି ଭିଡିଓ ଛାଡ଼ିବେନି

କଟକ/ଭୁବନେଶ୍ବର‌ : ସାମାଜିକ ଗଣମାଧ୍ୟମରେ ପତ୍ନୀ ବର୍ଷାଙ୍କ ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଆଉ କୌଣସି ଭିଡିଓ ଅପଲୋଡ୍ କରିପାରିବେ ନାହିଁ କି କିଛି ମନ୍ତବ୍ୟ ରଖିବେ ନାହିଁ। ଶୁକ୍ରବାର ଦିନ ହାଇକୋର୍ଟ ମାମଲାର ଶୁଣାଣି କରି ଏଭଳି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ସୋସିଆଲ ମିଡିଆ ବା ଗଣମାଧ୍ୟମରେ ଏଭଳି କୌଣସି ଭିଡିଓ ନ ଛାଡ଼ିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ କୌଣସି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିପାରିବେ ନାହିଁ ବୋଲି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଛନ୍ତି। ଆଜି ମାମଲାର ପ୍ରାରମ୍ଭିକ ଶୁଣାଣି ସମୟରେ ଅନୁଭବଙ୍କ ତରଫରୁ ଆଇନଜୀବୀ ଉପସ୍ଥିତ ଥିଲେ। ବର୍ଷାଙ୍କ ଆବେଦନର ଏକ କପି ଅନୁଭବଙ୍କ ଆଇନଜୀବୀଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାପୂର୍ବରୁ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କିଛିଦିନ ହେବ ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ କଥା କହୁଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ଓ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଅନ୍ୟପଟେ, ରାୟ ପ୍ରକାଶ ପୂର୍ବରୁ ପତ୍ନୀ ବର୍ଷାଙ୍କ ନାଁ ନ ନେଇ ଆଜି ସାଂସଦ ଅନୁଭବ ମହାନ୍ତି ପୁଣିଥରେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନା କରିଛନ୍ତି। ଆଜି ସକାଳୁ ସକାଳୁ ପୋଷ୍ଟ୍‌ କରିଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ତାଙ୍କ ଜୀବନ ବଦଳି ଯାଇଛି। ରାତିରେ ତାଙ୍କୁ ନିଦ ହେଉନି। ସେ ନିଜ ଘରଛାଡ଼ି ପରିବାର ସହ କିଭଳି ଭଡ଼ାଘରେ ରହୁଛନ୍ତି ଓ ତାଙ୍କ ବାପା, ବଡ଼ବାପା ନିଜ ଘରକୁ ଭୁଲି ପାରୁନାହାନ୍ତି, ସେ ବିଷୟରେ କହିଛନ୍ତି।

ସମ୍ବନ୍ଧିତ ଖବର