ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟ ଯିବା ପ୍ରସଙ୍ଗ : ଅନୁଭବଙ୍କ ଓକିଲ କହିଲେ, ରୋଜଗାର ଅଛି ଦିଲ୍ଲୀ ଆସି ମାମଲା ଲଢିବାରେ ଅସୁବିଧା ନାହିଁ

ବର୍ଷାଙ୍କ ପାଖରେ ରୋଜଗାରର ବାଟ ଥିଲେ ବି ଦିଲ୍ଲୀରେ ଘର ନାହିଁ, ମାମଲା କଟକ ଆସିବାରେ ଅସୁବିଧା ନାହିଁ : ବର୍ଷାଙ୍କ ଓକିଲ

ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦ  ଅନୁଭବ ମହାନ୍ତି  କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱନୀ ଦୁବେ । ସେ କହିଛନ୍ତି ବର୍ଷାଙ୍କ ନିଜସ୍ୱ ଆୟ ରହିଛି । ତେଣୁ ଦିଲ୍ଲୀ ଆସି କେସ ଲଢ଼ିବାରେ କୌଣସି ସମସ୍ୟା ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ ।

ଅନୁଭବ ଓକିଲଙ୍କ ବୟନ ପରେ ମୁହଁ ଖୋଲିଛନ୍ତି ବର୍ଷାଙ୍କ ଓକିଲ । ସେ କହିଛନ୍ତି ବର୍ଷାଙ୍କ ପାଖରେ ରୋଜଗାରର ବାଟ ଥିଲେ ବି ଦିଲ୍ଲୀରେ ଘର ନାହିଁ । ଅନୁଭବଙ୍କ ଘର ଉଭୟ କଟକ ଓ ଦିଲ୍ଲୀରେ ରହିଛି । ତେଣୁ ମାମଲା କଟକ ଆସିବାରେ କିଛି ଅସୁବିଧା ନାହିଁ ।

ଓଲିଉଡର ସୁପରହିଟ ଯୋଡି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଦିଲ୍ଲୀରୁ କଟକକୁ ମାମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ପାଇଁ ଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏକ ପିଟିସନ ଦାଖଲ କରିଛନ୍ତି । ତେବେ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ବର୍ଷା । ତେଣୁ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ପୂର୍ବରୁ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ବର୍ଷା କଟକ ଫ୍ୟାମଲି କୋର୍ଟରେ ମାମଲା ରୁଜୁ କରିଛନ୍ତି । ତେଣୁ ଅନୁଭବଙ୍କ ଆବେଦନକୁ କଟକ ଫ୍ୟାମଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ସମ୍ବନ୍ଧିତ ଖବର