କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଅଦାଲତି ଝଟକା ଲାଗିଛି। ଏଥିସହିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଧକ୍କା ଲାଗିଛି। କଟକ ପରିବାର ଅଦାଲତ ଅନୁଭବଙ୍କ ପକ୍ଷରୁ ଦାୟର ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ଖାରଜ କରିଛନ୍ତି। ବୈବାହିକ ପୂର୍ଣ୍ଣତା ପାଇଁ ବର୍ଷା ମନା କରିବା ସହିତ ତାଙ୍କୁ ମାନସିକ ଯାତନା ଦେଇଥିବା ନେଇ ରହିଥିବା ଅଭିଯୋଗ ପ୍ରମାଣ କରିବାରେ ଅନୁଭବ ବିଫଳ ହୋଇଛନ୍ତି ବୋଲି ପରିବାର ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି। ସେହିଭଳି ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ଦାବି କରିଥିବା ବେଳେ ସେ ଅନୁଭବଙ୍କ ବିରୋଧରେ ପ୍ରମାଣଶୂନ୍ୟ ଅଭିଯୋଗଗୁଡ଼ିକ କରିଛନ୍ତି।
ଘରୋଇ ହିଂସା ମାମଲାର ଶୁଣାଣି କରୁଥିବା ଅଦାଲତଙ୍କ ନିର୍ଦ୍ଦେଶରେ ବର୍ଷାଙ୍କୁ ପୁଲିସ ସୁରକ୍ଷା ମିଳିଥିବା ବେଳେ ସେ ଅନୁଭବଙ୍କ ବିରୋଧରେ କେତେକ ମାମଲା ଦାୟର କରିଥିଲେ, ଯାହା ବିଚାରାଧୀନ ରହିଛି। ସ୍ବାମୀଙ୍କ ଘରେ ପତ୍ନୀ ସୁରକ୍ଷିତ ମଣୁ ନ ଥିଲା ବେଳେ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପ୍ରସଂଗରେ ରହିଥିବା ପ୍ରାର୍ଥନା ଗ୍ରହଣ କରିବା ସୁରକ୍ଷିତ ନୁହେଁ ବୋଲି ଅଦାଲତ କହିଛନ୍ତି। ଜଣେ ବ୍ୟକ୍ତିଙ୍କ ବିବାହ ତାଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଭିତରେ ସୀମିତ ହୋଇଥାଏପାରେ। କିନ୍ତୁ ବିବାହ ବିଚ୍ଛେଦ ସମାଜକୁ ପ୍ରଭାବିତ କରିଥାଏ। ଛାଡ଼ପତ୍ର ଆଇନ ଏକ ସାମାଜିକ ବିଧି ବ୍ୟବସ୍ଥା, ଯାହା ଭୁଲ କରୁଥିବା ବ୍ୟକ୍ତିଙ୍କୁ ଏହାର ଫାଇଦା ନେବା ପାଇଁ ଅନୁମତି ଦିଏନାହିଁ। ତେଣୁ ହିନ୍ଦୁ ବିବାହ ଆଇନର ଧାରା ୨୩ ଅନୁସାରେ ଦୁଇ ପକ୍ଷ ନିଜନିଜ ସପକ୍ଷରେ ଅଦାଲତରୁ କୌଣସି ନିର୍ଦ୍ଦେଶ ପାଇବା ପାଇଁ ଯୋଗ୍ୟ ନୁହନ୍ତି। ଏଭଳି ସ୍ଥିତିରେ ଛାଡ଼ପତ୍ର ଓ ଦାମ୍ପତ୍ୟଜୀବନ ପୁନଃସ୍ଥାପନ ପାଇଁ ଦାୟର ଦୁଇ ଆବେଦନ ଖାରଜ କରାଯାଉଛି ବୋଲି ପରିବାର ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ଓ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ।