ପୁଣି ଟୁଇଟ୍ କଲେ ଅନୁଭବ : ମ୍ୟାଡମ୍ ବାସ୍ତବରେ ମୋର ପତ୍ନୀ ଥିଲେ ତ?

ସାମାଜିକ ସଂଗଠନ ସଦସ୍ୟାଙ୍କୁ ଭେଟିବାକୁ ମନା କଲେ ଅନୁଭବ
ଆଲୋଚନା କଲେ ବର୍ଷା, ଆପୋସ ସମାଧାନ ସପକ୍ଷରେ ବୋଲି ଦୋହରାଇଲେ

କଟକ : ‘ ମ୍ୟାଡାମ ବାସ୍ତବରେ ମୋର ପତ୍ନୀ ହୋଇଥିଲେ ତ? ଏହା କେବଳ ଏକ ସାମାଜିକ ବିବାହ। ଏହା କେବେବି ମାନସିକ କିମ୍ବା ଶାରୀରିକ ବିବାହ ନଥିଲା। ଏହା ହିଁ ବାସ୍ତବତା। ମୁଁ ବି ଏହାକୁ ସର୍ବସାଧାରଣରେ ଲେଖି ନିଜକୁ ଲଜ୍ଜିତ ମନେକରୁଛି। ଏଥିପାଇଁ ମୁଁ ଦୁଃଖିତ।’ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆକ୍ଷେପ କରି ଆଜି ଟୁଇଟର୍‌ରେ ଏହିଭଳି ଲେଖିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ଏଥିସହିତ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଏବେ ସାମାଜିକ ସଂଗଠନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିବାଦର ସମାଧାନ ପାଇଁ ସାମାଜିକ ସଂଗଠନ ଆନ୍ତର୍ଜାତିକ ମାନବାଧିକାର କମିସନର ସଦସ୍ୟା ଗତକାଲି ନନ୍ଦୀସାହି ଘରକୁ ଯାଇ ଷ୍ଟାର ଦମ୍ପତିଙ୍କୁ ଭେଟିଥିଲେ। କିନ୍ତୁ ଆଜି ସେମାନେ ପୁଣି ନନ୍ଦୀ ସାହି ଘରେ ପହଞ୍ଚି ଥିବାବେଳେ ସେମାନଙ୍କୁ ଭେଟିବା ପାଇଁ ଅନୁଭବ ମନା କରିଦେଇଥିଲେ। ବର୍ଷା କିନ୍ତୁ ସେମାନଙ୍କୁ ଭେଟି ଆଲୋଚନା କରିବା ସହିତ ବିବାଦର ଆପୋସ ସମାଧାନ ଚାହୁଁଛନ୍ତି ବୋଲି ଦୋହରାଇଥିଲେ।

ଅନ୍ୟପଟେ ଆଜି ଅନୁଭବ ଟୁଇଟ୍ କରି ନିଜ ପାରିବାରିକ ବିବାଦ ସଂପର୍କରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିବା ସହିତ ବିବାଦ ସମାଧାନ କରିବା ପାଇଁ ତାଙ୍କ ଘରକୁ ଆସିଥିବା ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି। ବିବାଦର ସମାଧାନ ପାଇଁ ଆସିଥିବା ଗୀତାଶ୍ରୀ ଦାସ ବର୍ଷାଙ୍କ ସାମାଜିକ ସଂଗଠନ ‘ସମ୍ମାନିତା’ରେ କାର୍ଯ୍ୟ କରୁଥିବା ଅନୁଭବ ଉଲ୍ଲେଖ କରିଛନ୍ତି। ଅନୁଭବ ଟୁଇଟରରେ ଲେଖିଛନ୍ତି ଯେ, ‘ମାନବାଧିକାର ସଂଗଠନ ତାଙ୍କ ସହ ଓ ପରିବାର ସହ ଛଳନା କରିଛି। ବାପା ଓ ମା’ ଉଭୟ ଅସୁସ୍ଥ ଥିଲେ ବି ସେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ସେମାନେ ମିଡିଆରେ କିଛି କହିବେନି ବୋଲି କହିଥିଲେ। କିନ୍ତୁ ସେମାନେ ସବୁ କିଛି କହିଥିଲେ ଓ ମିଛ କହିଥିଲେ।’ ଜଣେ ପ୍ରଶଂସକ ଗିତାଶ୍ରୀ ଦାସଙ୍କର ବର୍ଷାଙ୍କ ସହିତ ଥିବା ସଂପର୍କର ପ୍ରମାଣ ମାଗିଥିଲାବେଳେ ସେମାନଙ୍କର କିଛି ଫଟୋକୁ ମଧ୍ୟ ଅନୁଭବ ଟୁଇଟରରେ ପୋ‌ଷ୍ଟ କରିଛନ୍ତି। ଅନୁଭବ ଟୁଇଟରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ‘ମୋତେ ମୋ ମାତୃଭୂମିର ସେବା ପାଇଁ ଛାଡ଼ି ଦିଆଯାଉ। ମୋ ଜୀବନରେ କେବେବି କୌଣସି ନାରୀ ଉପରକୁ ହାତ ଉଠାଇନାହିଁ। ମୁଁ ବି ଆପଣମାନଙ୍କ ମଧ୍ୟରୁ ଜଣେ। ମୁଁ କାହାକୁ ମିଛ କହୁନାହିଁ। ହେଲେ ଯେଉଁଭଳି ଭାବେ ମୋତେ ଟାର୍ଗେଟ କରାଯାଉଛି, ଏହା ଆଦୌ ଗ୍ରହଣୀୟ ନୁହେଁ। ’

ଅନ୍ୟପକ୍ଷରେ, ସାମାଜିକ ସଂଗଠନର ସଦସ୍ୟାମାନେ ଅନୁଭବଙ୍କୁ ତାଙ୍କ ଘରେ ଭେଟି ନ ପାରି ଫେରିବା ପରେ କଡ଼ା ପ୍ରତିକ୍ରିୟା ରହିଛନ୍ତି। ସେମାନେ କହିଛନ୍ତି ଯେ, ଜଣେ ସାଂସଦ ହୋଇ ନିଜ କଥା ନିଜେ ରଖିପାରୁନାହାନ୍ତି। ଗତକାଲି ଅନୁଭବ କହିଥିଲେ ଯେ, ଶୁକ୍ରବାର ସକାଳେ ବର୍ଷା ଓ ସେ ଏକାଠି ହୋଇ ସାମ୍ନାସାମ୍ନି ମାନବାଧିକାର କର୍ମୀଙ୍କ ଆଗରେ ଆପୋସ ବୁଝାମଣା ପାଇଁ ଆଲୋଚନା କରିବେ। ହେଲେ ଆଜି ସେ କାହିଁକି ଦେଖା କରିବାକୁ ମନା କରିଦେଲେ ତାହା ବୁଝାପଡ଼ୁନାହିଁ ବୋଲି ମାନବାଧିକାର କର୍ମୀ ତଥା ପବ୍ଲିକ୍‌ ରାଇଟ୍ସ ଆସୋସିଏସନ୍‌ କଟକ ଶାଖା ସମ୍ପାଦକ ରଶ୍ମିତା ମିଶ୍ର କହିଛନ୍ତି। ତଥାପି ଉଭୟଙ୍କ ମଧ୍ୟରେ ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର