କଟକ/ନୂଆଦିଲ୍ଲୀ : ଷ୍ଟାର୍ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ପୁଣି ଦୁଇଟି ନୂଆ ଦିଗ ସାମ୍ନାକୁ ଆସିଛି। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀର ଏକ କୋର୍ଟରେ ମାମଲା ଦାୟର କରିଛନ୍ତି ବୋଲି ଗତକାଲି ‘ସମ୍ବାଦ’ରେ ପ୍ରକାଶ ପାଇଥିବା ବେଳେ ଅନୁଭବ ପିଟିସନ୍ରେ ଉଲ୍ଲେଖ କରିଥିବା ତଥ୍ୟ ଆଜି ସାମ୍ନାକୁ ଆସିଛି।
ଅନ୍ୟପଟେ ବର୍ଷା ଅନୁଭବଙ୍କ ବିରୋଧରେ କଟକ ଏସ୍ଡିଜେଏମ୍ କୋର୍ଟରେ ଘରୋଇ ହିଂସା, ଭରଣପୋଷଣ ଓ କ୍ଷତିପୂରଣ ମାମଲା ରୁଜୁ କରିଛନ୍ତି। ପରିବାର ଅଦାଲତରେ ନିଜ ବିବାହର ସୁରକ୍ଷା ପାଇଁ ଅନ୍ୟ ଏକ ଆବେଦନ ରୁଜୁ କରିଥିବା ଜଣାପଡ଼ିଛି।
ଗତ ଜୁଲାଇ ୧୬ ତାରିଖରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଘରେ ଚାଲିଥିବା ଏକ ହନୁମାନ ଚାଳିସା ପୂଜା କାର୍ଯ୍ୟକ୍ରମରେ ବର୍ଷାଙ୍କ ସହିତ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ପରିବାରର ସହମତିରେ ୨୦୧୪ ଫେବ୍ରୁଆରି ୮ରେ ବିବାହ ହୋଇଥିଲା।ବାସ୍ତବରେ ବିବାହ ପରଠାରୁ ସେମାନେ ୧୮ ମାସ ଏକାଠି ପତି-ପତ୍ନୀ ଭାବେ ରହିଛନ୍ତି। ତେବେ ବର୍ଷା ତାଙ୍କ ପରିବାର ସଦସ୍ୟଙ୍କ ସହ ମିଶି ରହିବାକୁ ଅଦୌ ରାଜି ହେଉ ନ ଥିଲେ। ତାଙ୍କ ସହ ଶାରୀରିକ ସଂପର୍କ ରଖୁ ନ ଥିଲେ। ସେ ସଂପର୍କ ସୁଧାରିବାକୁ ବାରମ୍ବାର ଉଦ୍ୟମ କରିଥିଲେ ବି ସେଥିରେ ସଫଳ ହୋଇପାରି ନ ଥିଲେ। ଏମିତି କି ୨୦୧୫ରେ ସେ ତାଙ୍କୁ ନେଇ ଆମେରିକା ଯାଇଥିଲେ ବି ସେଠାରେ ମଧ୍ୟ ବର୍ଷା ତାଙ୍କ ଠାରୁ ଦୂରେଇ ରହୁଥିଲେ। ତାଙ୍କର ବିଭିନ୍ନ ପାରିବାରିକ କାର୍ଯ୍ୟକ୍ରମରେ ବର୍ଷାଙ୍କ ଆଚାର ବ୍ୟବହାର ଅପମାନିତ କଲା ଭଳି ରହୁଥିବାବେଳେ ଏଥିପାଇଁ ସେ ଦୀର୍ଘଦିନ ଧରି ମାନସିକ ନିର୍ଯାତନାର ଶିକାର ହୋଇ ଆସୁଥିଲେ। ତାଙ୍କ ବହୁ ପ୍ରଚେଷ୍ଟା ସତ୍ତ୍ବେ ବର୍ଷାଙ୍କ ଏ ପ୍ରକାର ଆଚରଣ ଯୋଗୁଁ ସଂପର୍କରେ ସୁଧାର ଆସୁନାହିଁ। ତେଣୁ ତାଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି ବୋଲି ଅନୁଭବ ପିଟିସନରେ ଦର୍ଶାଇଛନ୍ତି।
ଅନୁଭବ ତାଙ୍କ ପିଟିସନରେ ଆହୁରି ଅଭିଯୋଗ କରିଛନ୍ତି ଯେ ବର୍ଷା ଶାଶୂ-ଶ୍ବଶୁର ଘରେ ରହିବାକୁ ଚାହୁଁନଥିଲେ। ମିଥ୍ୟା କେସରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବା ଲାଗି ବର୍ଷା ଅନେକ ସମୟରେ ଧମକ ଦେଉଥିଲେ। ଭଲ ପତ୍ନୀ ଓ ଭଳ ବୋହୂ ହେବାରେ ବର୍ଷା ବିଫଳ ହୋଇଥିବା ସେ କହିଛନ୍ତି।
ଅନ୍ୟପଟେ ତାଙ୍କର ସମ୍ମାନ, ସାମାଜିକ ସ୍ଥିତି, ରାଜନୈତିକ ଭବିଷ୍ୟତ ଏବଂ ବାପାଙ୍କ ଶାରୀରିକ ଅସୁସ୍ଥତା ଆଦି କାରଣ ରହିଥିବାରୁ ଏ ସଂପର୍କିତ ମାମଲା ଏବଂ ତାଙ୍କ ପିଟିସନର ସୂଚନାର ପ୍ରଚାର ପ୍ରସାର ଉପରେ ଅଦାଲତ ଅଙ୍କୁଶ ଲଗାନ୍ତୁ ବୋଲି ଅନୁଭବ ଅନୁରୋଧ କରିଛନ୍ତି। ତାଙ୍କ ମାନସିକ ଓ ପାରିବାରିକ ଅବସ୍ଥାକୁ ବିଚାରକୁ ନେଇ ଅଦାଲତ ମାମଲାର ତ୍ବରିତ ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ କଟକ ପରିବାର ଅଦାଲତରେ ବର୍ଷା ନିଜର ଦାମ୍ପତ୍ୟ ସଂପର୍କର ସୁରକ୍ଷାର ଅନୁରୋଧ କରି ରୁଜୁ କରିଥିବା ମାମଲାର ଶୁଣାଣି ଆସନ୍ତାକାଲିକୁ ରହିଛି।