କଟକ : ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ଅଭିଯୋଗର ଏକ ପରୋକ୍ଷ ଜବାବ ରଖିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ସେ ଚଳିତ ବର୍ଷ ତାଙ୍କ ଘରେ କରାଯାଇଥିବା ଗଶେଷ ପୂଜାର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଦୟାକରି ଟିକିଏ ଧୈର୍ଯ୍ୟ ଧରନ୍ତୁ ଏବଂ ଏହି ଭିଡିଓଟିକୁ ଦେଖନ୍ତୁ। ଏହି ଭିଡିଓ କୌଣସି କ୍ରମେ ଏପରି ବାର୍ତ୍ତା ଦେଉଛି କି ‘ସମ୍ମାନନୀୟ କେହିଜଣେ’ ଘରୋଇ ହିଂସାର ଶିକାର ହେଉଛନ୍ତି? ‘ସମ୍ମାନନୀୟ କେହିଜଣେ’ ମୋ ଅଭିଭାବକଙ୍କ ଘରେ ମୋ ପରିବାର ସହିତ ଗଣେଶ ଚତୁର୍ଥୀ ୨୦୨୦ ପାଳନ କରୁଛନ୍ତି।’ ମୋଟାମୋଟି ଏହି ଭିଡିଓ ମାଧ୍ୟମରେ ଅନୁଭବ ମହାନ୍ତି ଏହା ସ୍ପଷ୍ଟ କରିବାକୁ ଚାହିଛନ୍ତି କି ବର୍ଷା ପ୍ରିୟଦର୍ଶିନୀ ଆଦୌ ପାରିବାରିକ ହିଂସାର ଶିକାର ନୁହନ୍ତି।
ବର୍ଷାଙ୍କର ଅଭିଯୋଗକୁ ଗତକାଲି ଗଣମାଧ୍ୟମ ସାମ୍ନାରେ ଅନୁଭବ ‘ଫେକ୍ ଆଲିଗେସନ୍’ ବା ମିଥ୍ୟା ଅଭିଯୋଗ ବୋଲି କହିଥିଲେ। ସେହିପରି ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । ସେ କହିଥିଲେ, ଯଦି ବର୍ଷା ଘରୋଇ ହିଂସାର ଶିକାର ହୋଇଛନ୍ତି, ଆମେ ତାଙ୍କୁ ହଇରାଣ କରୁଛୁ, ତେବେ ସେ ଏବେ ବି କିଭଳି ମୋ ଘରେ ରହିଛନ୍ତି।
Kindly have little patience and watch the shared video. Does this video in any way convey that Hon’ble SOMEONE is facing DOMESTIC VIOLENCE !?!?!?!?!?
Hon’ble SOMEONE celebrating SHREE GANESH CHATURTHI’2020 with my sweet family at my Parent’s house🙏🏻@ashwani_dube @DeepikaBhardwaj pic.twitter.com/aXDhpo2MBM— Anubhav Mohanty (@AnubhavMohanty_) September 8, 2020
ଅନ୍ୟ ପକ୍ଷରେ ଆଜି ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡିବେନି ବରଂ ଶାଶୁ ଘରେ ରହି ହିଁ ମାମଲା ଲଢ଼ିବେ ବୋଲି କହିଥିଲେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସକୁ ସୁରକ୍ଷା ମାଗିଥିଲେ ବର୍ଷା । ଏ ନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ କୁହାଯାଉଥିବା ସୁଜିତ ଓ ଖଗେନ୍ଦ୍ର ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ବର୍ଷା ଏଥିରେ ଭୟଭୀତ ହୋଇ ପୁଲିସ କଣ୍ଟ୍ରୋଲ ରୁମ୍ ନମ୍ବର ୧୦୦କୁ ଫୋନ୍ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଆଜି କଟକ ପୁରୀଘାଟ ଥାନାରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ କରାଯାଇଥିଲା। ସମନ ମୁତାବକ ଏହି ଦୁଇ ଯୁବକ ଥାନାରେ ହାଜର ହୋଇଥିବା ସୂଚନା ମିଳିଛି।