ଅନୁଗୁଳ : ଦରକାର ୮ ହଜାର, ଦିଆଯାଇଛି ୭୦୪୯ କୁଇଣ୍ଟାଲ, ଏପର୍ଯ୍ୟନ୍ତ ପହଞ୍ଚିନି ୧ ହଜାର କୁଇଣ୍ଟାଲ ବିହନ

ଅନୁଗୁଳ : ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ଆସିଛି। ବର୍ଷା ବି ହେଉଛି। ହେଲେ ଆବଶ୍ୟକତା ମୁତାବକ ଚାଷୀମାନଙ୍କ ପାଖରେ ବିହନ ପହଂଚି ପାରି ନାହିଁ। ଏବେ ବି ପ୍ରାୟ ୧ ହଜାର କୁଇଣ୍ଟାଲ ବିହନ ଚାଷୀମାନଙ୍କ ପହଂଚିବା ବାକି ରହିଛି। ଏଭଳି ସ୍ଥିତି‌ରେ ବର୍ଷା ହେବା ସତ୍ତ୍ବେ ବିହନ ପାଇନଥିବା ଚାଷୀଙ୍କ କ୍ଷେତ୍ରରେ ଚାଷ କାର୍ଯ୍ୟ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଶିଳ୍ପାୟନ ଯୋଗୁଁ ଅନୁୁଗୁଳ ଜିଲ୍ଲାରେ ଚାଷ ଜମି ବର୍ତ୍ତମାନ ୨ ଲକ୍ଷ ୧୧ ହଜାର ୨୯୧ ହେକ୍ଟରକୁ ଖସି ଆସିଛି। ଜିଲ୍ଲାର ଅନୁଗୁଳ ବ୍ଲକରେ ୧୨,୫୯୫ ହେକ୍ଟର ଜମି ଧାନ ଚାଷ ପାଇଁ ଉପଯୋଗୀ ହୋଇଥିବାବେଳେ ୨୦,୫୯୫ ହେକ୍ଟର ଜମିରେ ଅଣଧାନ ଫସଲ କରାଯାଇପାରିବ। ସେହିପରି ବଅଁରପାଳ ବ୍ଲକରେ ୧୧,୦୫୦ ହେକ୍ଟର ଜମିରେ ଧାନ ଓ ୧୩,୮୫୪ ହେକ୍ଟର ଜମିରେ ଅଣଧାନ, ଛେଣ୍ଡିପଦାରେ ୧୩,୦୫୦ ହେକ୍ଟର ଜମିରେ ଧାନ ଓ ୨୩,୪୬୩ ହେକ୍ଟର ଜମିରେ ଅଣଧାନ, ଆଠମଲ୍ଲିକରେ ୧୨,୪୬୭ ହେକ୍ଟର ଜମିରେ ଧାନ ଓ ୨୩,୪୬୩ ହେକ୍ଟର ଜମି‌େର ଅଣଧାନ, କିଶୋରନଗରରେ ୮୮୧୫ ହେକ୍ଟର ଜମିରେ ଧାନ ଓ ୧୫,୪୩୫ ହେକ୍ଟର ଜମିରେ ଅଣଧାନ, ତାଳଚେରରେ ୭୯୭୦ ହେକ୍ଟର ଜମିରେ ଧାନ ଓ ୩୯୫୧ ହେକ୍ଟର ଜମିରେ ଅଣଧାନ, କଣିହାଁରେ ୧୨,୮୬୦ ହେକ୍ଟର ଜମିରେ ଧାନ ଓ ୧୩,୨୦୫ ହେକ୍ଟର ଜମିରେ ଅଣଧାନ ଏବଂ ପାଳଲହଡ଼ା ବ୍ଲକରେ ୧୦,୯୫୮ ହେକ୍ଟର ଜମିରେ ଧାନ ଓ ୯,୫୦୨ ହେକ୍ଟର ଜମିରେ ଅଣଧାନ ଫସଲ ହୋଇଥାଏ। ଅନୁଗୁଳ ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁଯୋଗ ନାହିଁ। ପ୍ରାୟ ୩୨ ପ୍ରତିଶତ ଚାଷ ଜମିରେ ଜଳସେଚନ ସୁବିଧା ରହିଛି। ଅଣଜଳସେଚିତ ଅଂଚଳ ଚାଷୀମାନେ ଧାନବୁଣାକୁ ଗୁରୁତ୍ବ ଦେଇଥାନ୍ତି। ଅକ୍ଷିମୁଠି ଅନୁକୂଳ କରିବା ପରେ ପରେ ଧାନ ବୁଣା ଆରମ୍ଭ ହୋଇଯାଇଥାଏ। ଅନୁଗୁଳ ଜିଲ୍ଲା ପାଇଁ ୮ ହଜାରରୁ ଅଧିକ କୁଇଣ୍ଟାଲ ଧାନ ବିହନ ଦରକାର ରହିଛି। ପ୍ରତୀକ୍ଷା, ନବୀନ, ସ୍ବର୍ଣ୍ଣ ଆଦି କିସମର ଧାନ ଅଧିକ ଚାହିଦା ରହିଥିବା ବେଳେ ସେସବୁ କିସମର ବିହନ ଆବଶ୍ୟକତା ମୁତାବକ ଯୋଗାଇ ଦିଆଯାଇ ନାହିଁ। ବର୍ତ୍ତମାନ ସୁଦ୍ଧା ୧୦୩ଟି ସୋସାଇଟି ଜରିଆରେ ଚାଷୀମାନଙ୍କୁ ୭୦୪୯ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଛି। ୧୦୦୯, ଏମ୍‌ପିଭି ୭୦୨୯, ଏମ୍୍‌ପିଭି ୧୦୦୧, ପୂଜା, ମୃଣାଳିନୀ, କଳାଚମ୍ପା, ଡିଆର୍‌ଆର୍‌ ୪୨ ଆଦି ୧୬ କିସମର ଧାନ ଦିଆଯାଇଛି। ଏଥିରୁ ବିହନ ଗ୍ରାମ ଯୋଜନା ଏବଂ ଜିଲ୍ଲାରେ ଥିବା ଦୁଇଟି ଫାର୍ମରୁ ପ୍ରାୟ ୪ ହଜାର କୁଇଣ୍ଟାଲ ଧାନ ବିହନ ସଂଗ୍ର‌ହ ହୋଇଥିଲା। ବାକି ବିହନ ରାଜ୍ୟ ବିହନ ଯୋଗାଣ ନିଗମ ‌ଜରିଆରେ ସଂଗ୍ରହ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। କିଛିବର୍ଷ ଆଗରୁ ରଥଯାତ୍ରା ସମୟରେ ଧାନ ବିହୁଡ଼ା ଆରମ୍ଭ ହୋଇଯାଉଥିଲା। କିନ୍ତୁ, ପରିବର୍ତ୍ତିତ ସ୍ଥିତିରେ ଧାନବୁଣା ସହିତ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଛି। ଅନେକ ଜାଗାରେ ଧାନବୁଣା ଆରମ୍ଭ ହୋଇନାହିଁ। ସେହିପରି ଜଳସେଚିତ ଅଂଚଳରେ ମଧ୍ୟ ତଳିପକା ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର