ଅନୁଗୁଳ: ପ୍ରଥମ ପର୍ଯ୍ୟାୟରେ ବିଜେଡିର ବାଜିମାତ

ଅନୁଗୁଳ : ଆରମ୍ଭ ହୋଇଛି ପଞ୍ଚାୟତ ଭୋଟ ଗଣତି। ଆଉ ଆରମ୍ଭରୁ ବିଜେଡି ଆଗରେ ରହିଛି। ବିଳମ୍ବିତ ରାତି ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବିଜେଡି ୮ଟି ଯାକ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି। ତେବେ ରାତି ୧୨ଟା ସୁଦ୍ଧା କୌଣସି ଜୋନର ଫଳାଫଳ ଘୋଷଣା କରାଯାଇନି।

ଆଜି ସକାଳ ୮ଟାରେ ପଞ୍ଚାୟତ ଭୋଟ ଗଣତି ଆରମ୍ଭ ହୋଇଥିଲା। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଥିବା ଏହି ଗଣତିରେ ପ୍ରଥମେ ୱାର୍ଡ ମେମ୍ବର ପାଇଁ ଭୋଟ ଗଣତି କରାଯାଇଥିଲା। ପରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯାଇଥିଲା। ତେଣୁ ଫଳାଫଳ ଆସିବାରେ ବିଳମ୍ବ ହୋଇଥିଲା। ଭୋଟ ଗଣତିର ପ୍ରଥମ କିଛି ରାଉଣ୍ଡ ପରେ ବିଜେପି ୫ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିଲା। କିନ୍ତୁ ଗଣତି ବଢିବା ସହ ବିଜେଡିର ଭୋଟ ବଢିଥିଲା। ଅପରାହ୍ଣ ବେଳକୁ ବିଜେଡି ୭ଟି ଆସନରେ ଆଗୁଆ ରହିଥିଲାବେଳେ ବିଜେପି ମାତ୍ର ଗୋଟିଏ ଜୋନରେ ଆଗୁଆ ଚାଲିଥିଲା। ରାତି ପର୍ଯ୍ୟନ୍ତ ଗଣତି ଚାଲିଥିଲାବେଳେ ଏହି ଟ୍ରେଣ୍ଡ ଶେଷ ପର୍ଯ୍ୟନ୍ତ ଚାଲିଛି। ଖବର ଲେଖା ହେବା ବେଳକୁ ଗୋଟିଏ ହେଲେ ବି ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇ ନ ଥିଲାବେଳେ ସମସ୍ତ ୮ଟି ଜୋନରେ ବିଜେଡି ଆଗରେ ଚାଲିଛି।
ଅନୁଗୁଳ ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଆରମ୍ଭରୁ ବିଜେଡି ଆଗୁଆ ରହିଛି। ଦଶମ ରାଉଣ୍ଡ ଗଣତି ସୁଦ୍ଧା ଏହି ଜୋନରେ ବିଜେଡି ପ୍ରାର୍ଥୀ କାଜଲ ପଟ୍ଟନାୟକ ୪୯୫୨ ଖଣ୍ଡ ଭୋଟରେ ଆଗୁଆ ଅଛନି। ଛେଣ୍ଡିପଦା ବ୍ଲକର ୧୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ୬୮୧ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଅଖିଳ କୁମାର ଗଡ଼ନାୟକଠାରୁ ଆଗୁଆ ଚାଲିଛନ୍ତି।

ବଅଁରପାଳ ବ୍ଳକ ୨୫ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ୧୮୮୪ ଖଣ୍ଡ ଭୋଟ ପାଇ ଆଗରେ ଅଛନ୍ତି। ତାଳଚେର ବ୍ଳକର ୧୮ ନମ୍ବର ଜୋନରେ ବିଜେଡି ଆଗୁଆ ରହିଛି। ଶେଷ ଖବର ସୁଦ୍ଧା ବିଜେଡି ପ୍ରାର୍ଥୀ ଅମୀୟ ପ୍ରଧାନ ୧୦୨୪ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ଆଗରେ ରହିଛନ୍ତି।

କଣିହାଁ ବ୍ଳକ ୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ରଶ୍ମିତା ସେଠୀ ଆଗରେ ଅଛନ୍ତି। ସେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଚନ୍ଦନ ସ୍ବରାଜଙ୍କ ପାଖରୁ ୧୨୨୪ ଖଣ୍ଡ ଭୋଟରେ ଆଗୁଆ ଚାଲିଛନ୍ତି। ଆଠମଲ୍ଲିକ ୫ ନମ୍ବର ଜୋନରେ ମଧ୍ୟ ବିଜେଡି ଆଗୁଆ ରହିଛି। ଶେଷ ଖବର ସୁଦ୍ଧା ଏଠାରେ ବିଜେଡି ପ୍ରାର୍ଥୀ ରଶ୍ମିରେଖା ମାହାର ୧୮୮୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଚିତ୍ତରଂଜନ ପ୍ରଧାନଙ୍କଠାରୁ ଆଗରେ ଅଛନ୍ତି। ପାଳଲହଡ଼ାରେ ୨୨ ନମ୍ବରେ ଜୋନରେ ବିଜେଡି ଆଗୁଆ ଚାଲିଛି। ଏଠାରେ ବିଜେଡି ପ୍ରାର୍ଥୀ ବୁଦ୍ଧୁରାମ ବୈପାଇ ୭୯୧ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଗୁରୁଚରଣ ହେମ୍ପ୍ରମଙ୍କଠାରୁ ଆଗରେ ଅଛନ୍ତି। କେବଳ କିଶୋରନଗର ବ୍ଲକରେ କଡ଼ା ମୁକାବିଲା ହେଉଛି। ତେବେ ବିଜେଡି ଆଗରେ ରହିଛି। ଏଠାରେ ବିଜେଡିର ବବିତା ପ୍ରଧାନ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀଙ୍କ ବିଜେପି ପ୍ରାର୍ଥୀ ଅନୀତା ପ୍ରଧାନ ନିକଟରୁ ୨୨୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ସମ୍ବନ୍ଧିତ ଖବର