ଅନୁଗୁଳ: ପୌରରେ ବିଜେଡିର ବାଜିମାତ, ସବୁ ସହରରେ ବିଜେଡି ପୌରାଧ୍ୟକ୍ଷ

ଧର୍ମେନ୍ଦ୍ରଙ୍କ ସହରରେ ବିଜେପି ହାରିଲା, ଢେଙ୍କାନାଳରେ ବିଜେପି

ଅନୁଗୁଳ : ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ସପ‌କ୍ଷରେ ଯେଉଁ ଜନମତ ସୃଷ୍ଟି ‌ହୋଇଥିଲା, ପୌର ନିର୍ବାଚନରେ ବି କାଏମ ରହିଲା। ଅନୁଗୁଳ ଜିଲ୍ଲା‌ର ୩ଟି ଯାକ ପୌରାଧ୍ୟକ୍ଷ ଆସନକୁ ବିଜେଡି ହାତେଇ ନିଜ ସ୍ଥିତିକୁ ଆହୁରି ମଜବୁତ କରିଛି। ଏପଟେ ବିଜେପି ଅନୁଗୁଳ ପୌରପରିଷଦରେ କଡ଼ା ଫାଇଟ୍‌ ଦେଇଥିଲାବେଳେ ତାଳଚେର ଓ ଆଠମଲ୍ଲିକରେ ହାତ ଟେକି ଦେଇଛି। ଆଉ ସବୁଠାରୁ ଶୋଚନୀୟ ପ୍ରଦର୍ଶନ କରିଛି କଂଗ୍ରେସ।

ଅନୁଗୁଳ ପୌରପରିଷଦରେ ଥରେ ହେଲେ ବି ନଗରପାଳ ପଦବି ପାଇ ନ ଥିବା ବିଜେଡି ଏଥର ଇତିହାସ ବଦଳାଇଛି। ଏଠାରେ ଏଥର ଭିନ୍ନ ଧରଣର ମତଦାନ ହୋଇଛି। କାଉନସିଲର ପଦବିରେ ବିଜେପିକୁ ଲୋକମାନେ ପସନ୍ଦ କରିଥିଲାବେଳେ ନଗରପାଳ ଭାବେ କିନ୍ତୁ ବିଜେଡିକୁ ବାଛିଛନ୍ତି। କଷ୍ଟରେ ହେଲେ ବି ବିଜେଡି ପ୍ରାର୍ଥୀ ଅକ୍ଷୟ ସାମନ୍ତ ନଗରପାଳ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ବିଜେପିଠାରୁ କଡ଼ା ମୁକାବିଲାର ସାମନା କରିବାକୁ ପଡ଼ିଛି। ମାତ୍ର ୯୭ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜେପିଠାରୁ ଜିତିଥିଲେ ମଧ୍ୟ ବିଜେପିରୁ ଅଧିକ କାଉନସିଲର ଜିତିଛନ୍ତି। ସମୁଦାୟ ୨୩ଟି ୱାର୍ଡରୁ ୧୩ଟି ବିଜେପି ହାତେଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେଡିକୁ ମିଳିଛି ୧୦ଟି ଆସନ।

ତାଳଚେର ପୌରପାଳିକାରେ ବିଜେଡି କିନ୍ତୁ ଏକତରଫା ଜିତିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୋଇ ମଇଦାନ ତାଳଚେର ହୋଇଥିଲେ ମଧ୍ୟ ଏଠା‌ରେ ବିଜେପି ସେମିତି କିଛି କମାଲ କରିପାରିନି। ବରଂ, ବିଜେଡି ଆଗରେ ଏକରକମ ହାତ ଟେକି ଦେଇଛି। ବିଜେଡି ପାଇଥିବା ଭୋଟର ଅଧା ଭୋଟ ମଧ୍ୟ ବିଜେପି ଖାତାକୁ ଆସିନି। ଏପଟେ ଏଠାରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇବା ସହ ଆପ୍‌ ପ୍ରାର୍ଥୀଙ୍କଠାରୁ କମ୍‌ ଭୋଟ ପାଇଛନ୍ତି। ସେହିପରି କାଉନସିଲର ନିର୍ବାଚନରେ ବିଜେଡି ୨୧ରୁ ୧୮ଟି ହାସଲ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେପି ମାତ୍ର ୩ଟି ଆସନ ପାଇଥିଲାବେଳେ କଂଗ୍ରେସ ଗୋଟିଏ ହେଲେ ସୁଦ୍ଧା ଆସନ ଜିତିପାରିନି।

ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଏଥର ବିଜେପି ଓ କଂଗ୍ରେସକୁ ନିରାଶ କରିଛି। ଏହି ସହରରେ କଂଗ୍ରେସର ଦବଦବା ରହି ଆସିଥିଲେ ମଧ୍ୟ ଏଥର ଦଳ ଚତୁର୍ଥ ସ୍ଥାନକୁ ଖସି ଆସିଛି। ଗୋଟିଏ ହେଲେ ବି କାଉନସିଲର୍‌ ଜିତିପାରିନି। ସେହିପରି ସଂଜୀବ ସାହୁଙ୍କ ନେତୃତ୍ବରେ ଲଢୁଥିବା ବିଜେପି ତୃତୀୟ ସ୍ଥାନରେ ରହିଛି। ଏଠାରେ ବିଜେଡି ଓ ବିଦ୍ରୋହୀ ବିଜେଡି ପ୍ରାର୍ଥୀଙ୍କ ଭିତରେ ଏଥର ନଗରପାଳ ପଦବି ପାଇଁ ମୁକାବିଲା ହେଉଥିଲା। ଏଥିରେ ବିଜେଡି ବାଜି ମାରି ନେଇଛି। କଡ଼ା ମୁକାବିଲା ସତ୍ତ୍ବେ ବିଜେଡି ପାଖାପାଖି ୩ ଶହ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ୧୧ଟି ୱାର୍ଡରୁ ଦଳ ୯ଟି ହାତେଇଥିଲାବେଳେ ବିଜେପି ଗୋଟିଏ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି। ବିଧାୟକ ରମେଶ ସାଏଙ୍କ ଅନୁପସ୍ଥିତିରେ ନିର୍ବାଚନ ପରିଚାଳନା ଦାୟିତ୍ବ ନିଜ କାନ୍ଧକୁ ନେଇଥିବା ନଳିନୀ ପ୍ରଧାନଙ୍କ ଯାଦୁ କାମ ଦେଇଥିବା କୁହାଯାଉଛି।

ଢେଙ୍କାନାଳରେ ବିଜେପି

ଢେଙ୍କାନାଳ : ଜିଲ୍ଲାର ତିନିଟି ଯାକ ପୌରାଞ୍ଚଳ ମଧ୍ୟରୁ କେବଳ ଢେଙ୍କାନାଳ ପୌରପାଳିକା ବିଜେପିର ମାନ ରଖିଛି। ଅନ୍ୟ ଦୁଇଟି କାମାକ୍ଷାନଗର ଏବଂ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡି ହାତକୁ ଯାଇଛି। ଢେଙ୍କାନାଳ ପୌର ପରିଷଦରେ ସର୍ବାଧିକ ୧୬ହଜାର ୮୬୪ଖଣ୍ଡ ଭୋଟ୍ ପାଇ ବିଜେପି ପ୍ରାର୍ଥିନୀ ଜୟନ୍ତୀ ପାତ୍ର ପୌରାଧ୍ୟକ୍ଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥିନୀ ଅନିମା ନାଏକ ୧୨ହଜାର ୭୧୯ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। କାଉନ୍‌ସିଲର୍‌ ନିର୍ବାଚନରେ ବିଜେପି ଅପେକ୍ଷା ବିଜେଡି ଭଲ ପ୍ରଦର୍ଶନ କରିଛି। ଢେଙ୍କାନାଳ ପୌରପାଳିକାର ମୋଟ୍ ୨୩ଟି ୱାର୍ଡରୁ ୧୩ଟି ବିଜେଡି ଖାତାକୁ ଯାଇଥିବା ବେଳେ ୯ଟିକୁ ବିଜେପି କବ୍‌ଜା କରିଛି। ଗୋଟିଏ ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇଥିବା ବେଳେ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇପାରିନାହିଁ।

ସମ୍ବନ୍ଧିତ ଖବର