ଅନୁଗୁଳ: ରାଜ୍ୟ ରାଜନୀତିରେ ଅନୁଗୁଳ ସବୁବେଳେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରି ଆସିଛି। ଏଠାରୁ ବାହାରିଥିବା ଏକାଧିକ ନେତା ରାଜନୀତିରେ ନିଜ ଛାପ ଛାଡ଼ି ଯାଇଛନ୍ତି। ହେଲେ ଜିଲ୍ଲା ଗଠନକୁ ୩୦ ବର୍ଷ ପୁରିଥିଲେ ମଧ୍ୟ ରାଜ୍ୟ କ୍ୟାବିନେଟ୍ରେ ଅନୁଗୁଳର ପ୍ରତିନିଧିତ୍ବ ଅତି ଦୁର୍ବଳ। ଏହିସମୟରେ ଜିଲ୍ଲାରୁ ମାତ୍ର ଜଣେ ମନ୍ତ୍ରୀ ରାଜ୍ୟ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରମନ୍ତ୍ରୀ ଭାବେ ୪ ଜଣ ସୁଯୋଗ ପାଇଥିଲାବେଳେ ଗତ ୧୦ ବର୍ଷରେ ଜିଲ୍ଲାରୁ ଜଣେ ହେଲେ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିନାହିଁ। ଆଉ ସବୁଠାରୁ ବଡ଼ କଥା ହେଲା ବିଜେଡି ସରକାରରେ ଅନୁଗୁଳର ଜଣେ ହେଲେ ବି ନେତା ୫ ବର୍ଷିଆ ମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିନାହାନ୍ତି।
ଅଦ୍ବୈତ ପ୍ରସାଦ ସିଂହ, ଦେବେନ୍ଦ୍ର ପ୍ରଧାନ, ରବି ନାରାୟଣ ପାଣି, ଅମରନାଥ ପ୍ରଧାନ, ନଗେନ୍ଦ୍ର ପ୍ରଧାନ, ମହେଶ ସାହୁ, ଭଜମନ ବେହେରା, ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ନେତା ସୃଷ୍ଟି କରିଛି ଅନୁଗୁଳ। ତାଳଚେର ମାଟିର ପ୍ୟାରୀମୋହନ ମହାପାତ୍ର ଏକଦା ଓଡ଼ିଶା ରାଜନୀତିର ବେଶ୍ ପ୍ରଭାବଶାଳୀ ଥିଲେ। କିନ୍ତୁ ଏହି ଅନୁପାତରେ ଜିଲ୍ଲା ଅଧିକ ମନ୍ତ୍ରୀ ପାଇନି। ୧୯୯୩ରେ ଅନୁଗୁଳ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ଏଠାରୁ କେବଳ ଅଦ୍ବୈତ ପ୍ରସାଦ ସିଂହ, ଅମରନାଥ ପ୍ରଧାନ, ନଗେନ୍ଦ୍ର ପ୍ରଧାନ, ସଂଜୀବ ସାହୁ ଓ ରଜନୀକାନ୍ତ ସିଂହ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
ଅନୁଗୁଳ ବିଧାୟକ ଅଦ୍ବୈତ ପ୍ରସାଦ ସିଂହ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଥିଲେ। ସେ ୧୯୯୫ ପର୍ଯ୍ୟନ୍ତ ଏକାଧିକ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ରେ ପ୍ରଥମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ ଅଦ୍ବୈତବାବୁଙ୍କୁ ମଧ୍ୟ ନିଜ କ୍ୟାବିନେଟ୍ରେ ସ୍ଥାନ ଦେଇଥିଲେ। ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ପ୍ରଥମ ଅଦଳବଦଳ ସମୟରେ ତାଙ୍କୁ ବାଦ୍ ଦେଇଥିଲେ। ଏପଟେ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସ ସରକାର ଥିବା ସମୟରେ ଆଠମଲ୍ଲିକ ବିଧାୟକ ଅମରନାଥ ପ୍ରଧାନ ଏକାଧିକ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୦୪ରେ ବିଜେଡି-ବିଜେପି ସରକାରର ପୁଣି ନେତୃତ୍ବ ନେଇଥିଲେ ନବୀନ। ଏଥିରେ ଆଠମଲ୍ଲିକ ବିଧାୟକ ନଗେନ୍ଦ୍ର ପ୍ରଧାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ୨୦୦୬ରେ ତାଙ୍କୁ ବାଦ୍ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବୀରମହାରାଜପୁର ବିଧାୟକ ଭାବେ ଜିତିଥିବା ଅନୁଗୁଳ ଜିଲ୍ଲାର ସଂଜୀବ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଥିଲା। ଏହି ସମୟ ଭିତରେ ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ବ ସେ ତୁଲାଇଥିଲେ।
ବିଜେଡି ଓ ବିଜେପି ଭିତରେ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ପୁଣି ସରକାର ଗଢ଼ିଥିଲା ବିଜେଡି। ସେହିବର୍ଷ ଅନୁଗୁଳ ଜିଲ୍ଲାର ୪ ଆସନ ବିଜେଡି ଜିତିଥିଲାବେଳେ ସ୍ବାଧୀନ ଭାବେ ତାଳଚେରରୁ ବ୍ରଜ କିଶୋର ପ୍ରଧାନ ଜିତିଥିଲେ। ଅନୁଗୁଳରୁ ରଜନୀକାନ୍ତ ସିଂହ, ପାଳଲହଡ଼ାରୁ ରବି ନାରାୟଣ ପାଣି, ଆଠମଲ୍ଲିକରୁ ସଂଜୀବ ସାହୁ ଓ ଛେଣ୍ଡିପଦାରୁ ଖଗେଶ୍ବର ବେହେରା ବିଜେଡି ଟିକେଟ୍ରେ ଜିତିଥିଲେ। ରବି ନାରାୟଣ ପାଣି ଓ ରଜନୀକାନ୍ତ ସିଂହଙ୍କ ପରି ଅଭିଜ୍ଞ ବିଧାୟକ ଥିଲେ ମଧ୍ୟ ସଂଜୀବଙ୍କୁ ପୁଣି ଭରସା କରିଥିଲା ଦଳ। ଜିଲ୍ଲାର ଏକମାତ୍ର ବିଧାୟକ ଭାବେ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। କିନ୍ତୁ, ୫ ବର୍ଷ ପୂରଣ କରିବା ପୂର୍ବରୁ ସେ ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡ୍ନାଇଟ ଅପରେସନ’ ବିବାଦରେ ଫସିଥିଲେ। ତେଣୁ ୨୦୧୨ରେ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା। ଏହା ପରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଦେଇଥିଲେ ନବୀନ। ତାଙ୍କୁ ଖଣି ଓ ଇସ୍ପାତ ବିଭାଗ ମିଳିଥିଲା।
୨୦୧୪ ନିର୍ବାଚନରେ ଅନୁଗୁଳର ସମସ୍ତ ୫ଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଜିତିଥିଲେ। ଅନୁଗୁଳରୁ ରଜନୀକାନ୍ତ ସିଂହ, ପାଳଲହଡ଼ାରୁ ମହେଶ ସାହୁ, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକରୁ ସଂଜୀବ ସାହୁ ଓ ଛେଣ୍ଡିପଦାରୁ ସୁଶାନ୍ତ ବେହେରା ବିଧାୟକ ହୋଇଥିଲେ। ସୁଶାନ୍ତଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବିଧାୟକ ଅଭିଜ୍ଞ ଓ ପ୍ରଭାବଶାଳୀ ଥିବାରୁ ଅନୁଗୁଳ ଏକାଧିକ ମନ୍ତ୍ରୀ ପଦ ପାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ଜଣଙ୍କୁ ହେଲେ ବି ମନ୍ତ୍ରିମଣ୍ଡଳରେ ଜାଗା ମିଳି ନ ଥିଲା। ୨୦୧୯ରେ ବି ସମାନ ସ୍ଥିତି। ବିଜେଡି ସମସ୍ତ ୫ଟି ଯାକ ବିଧାୟକ ପଦ ହାତେଇଥିଲେ ବି ଜିଲ୍ଲାରୁ ଜଣେ ହେଲେ ବି ବିଧାୟକ ମନ୍ତ୍ରୀ ପଦ ପାଇନାହାନ୍ତି।