ଅନୁଗୁଳ : ‘ଜଣେ ସକ୍ରିୟ କର୍ମୀ ଅତି କମ୍‌ରେ ନିଜ ସହ ଦଶଜଣଙ୍କୁ ଯୋଡ଼ନ୍ତୁ। ୧୦ଜଣଙ୍କ ଭଲରେ ମନ୍ଦରେ ଛିଡ଼ା ହୁଅନ୍ତୁ। ପ୍ରତି ପଞ୍ଚାୟତରେ ଏମିତି ୨୦୦ କର୍ମୀ ସଂଗଠିତ ହୋଇଗଲେ ବିଜେଡିର ବିଜୟ ଧାରାକୁ କେହି ଅଟକାଇ ପାରିବେ ନାହିଁ। ଅନୁଗୁଳ କଳାକେନ୍ଦ୍ର ପରିସରରେ ଆଜି ଅନୁଷ୍ଠିତ ବିଜୁ ଜନତା ଦଳର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଖଣ୍ଡପଡ଼ା ବିଧାୟକ ତଥା ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ସୌମ୍ୟରଞ୍ଜନ ପଟ୍ଟନାୟକ କର୍ମକର୍ତ୍ତାଙ୍କୁ ଏମିତି ଗୁରୁମନ୍ତ୍ର ଦେଇଛନ୍ତି। ୨୦୧୯ ବିଧାନସଭା ନିର୍ବାଚନର ଫଳାଫଳକୁ ତୁଳନା କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସେ ୪ଲକ୍ଷ ଭୋଟ୍ ହାସଲ କରିବାକୁ କର୍ମୀଙ୍କୁ ଟାର୍ଗେଟ ଧରାଇଛନ୍ତି। ବିଧାନସଭା ନିର୍ବାଚନରେ ଦଳ ପାଉଥିବା ସଫଳତା ଆଗାମୀ ଜିଲ୍ଲା ପରିଷଦ ନିର୍ବ‌ାଚନରେ ଯେମିତି ପ୍ରତିଫଳିତ ହେବ ସେ ଦିଗରେ ସମସ୍ତେ ଯତ୍ନବାନ ଦେବାକୁ ପରାମର୍ଶ ଦେଇଛନ୍ତି ଦଳର ଏହି ବରିଷ୍ଠ ‌ଉପସଭାପତି।

Advertisment

ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଦଳର ସଫଳତା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ, କର୍ମକର୍ତ୍ତା ଓ ସକ୍ରିୟ କର୍ମୀମାନେ ‘ଏକ୍‌ କା ଦଶ ଫର୍ମୁଲା ଆପଣେଇ ଅଧିକ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ପଡ଼ିବ। ଗତ ବିଧାନସଭା ନିର୍ବାଚନରେ ୩ ପ୍ରମୁଖ ଦଳ ପାଇଥିବା ୭ଲକ୍ଷ ୧୩ହଜାର ଭୋଟ୍‌ ମଧ୍ୟରୁ କେବଳ ବିଜେଡି ୩ଲକ୍ଷ ୫୫ହଜାର ଭୋଟ୍ ହାତେଇଥିଲା। ଅର୍ଥାତ ୫୦ପ୍ରତିଶତ ଭୋଟ୍ ବିଜେଡି ଖାତାକୁ ଆସିଛି। ଏବେ ଜିଲ୍ଲାର ଜନସଂଖ୍ୟା ୧୪ଲକ୍ଷରେ ପହଞ୍ଚିଥିବା‌ ଆକଳନ କରାଯାଉଥିଲାବେଳେ ଭୋଟର ସଂଖ୍ୟା ପ୍ରାୟ ୮ଲକ୍ଷ ହେବ। ସେଥିରୁ ୫୦ପ୍ରତିଶତ ଅର୍ଥାତ୍‌ ୪ଲକ୍ଷ ଭୋଟକୁ ଆଖି ଆଗରେ ରଖି ସଂଗଠନକୁ ଆଗେଇ ନେବାକୁ କର୍ମୀମାନଙ୍କୁ ସେ ଆହ୍ବାନ ଦେଇଥିଲେ। ଭାରତୀୟ ହକି ଦଳର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କୁ ଧନ୍ୟବାଦ ପ୍ରସ୍ତାବ ପାରିତ କରିବାକୁ ସୌମ୍ୟରଂଜନ ଆହ୍ବାନ ଦେଇଥିଲେ।

ଜଗତ୍‌ସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମୁଦୁଲି ଦଳରେ କର୍ମୀଙ୍କ ଭୂମିକା ଏବଂ ମହତ୍ତ୍ବ କଥା ବୁଝାଇଥିଲେ। କହିଥିଲେ, ଅତୀତରେ କଲେଜ ମଧ୍ୟରେ ଯେଉଁଠି ଛାତ୍ର ସଂଗଠନ ସୀମିତ ରହୁଥିଲା, ଆଜି ଗାଁ ଯାଏ ତାହା ଲମ୍ବିଲାଣି। ପ୍ରତି ୱାର୍ଡରେ ଯୁବ ସଂଗଠନ, ମହିଳା ସଂଗଠନ ତିଆରି ସରିଲାଣି। ଡିଜିଟାଲ୍ ପ୍ଲାଟଫର୍ମରେ ବି ବିଜେଡି ଆଜି ରାଜ୍ୟରେ ଏକ ନମ୍ବର ହୋଇଛି। ସାଂସଦ ହୁଅନ୍ତୁ କି ବିଧାୟକ, ଏଠି କେହି ନେତା ନୁହନ୍ତି। ଆଗପଛ ହୋଇ ନିଜ ନିଜ ସ୍ତରରେ ସମସ୍ତେ ଜଣେ ଜଣେ କର୍ମୀ। ଏହି ମନୋଭାବରେ ସମସ୍ତେ ଅଭ୍ୟସ୍ତ ହେବାକୁ ଶ୍ରୀ ମୁଦୁଲି ଆହ୍ବାନ ଦେଇଥିଲେ। ଏହି ଅବସରରେ ପ୍ରତି ଜୋନ୍‌ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିବା ସହିତ ଆସନ୍ତା ୩୦ତାରିଖ ସୁଦ୍ଧା ପ୍ରତି ବ୍ଲକରେ ଦଳୀୟ ବୈଠକ ଶେଷ କରିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଢେଙ୍କାନାଳ ସାଂସଦ ମହେଶ ସାହୁ ଅତିଥି ଭାବେ ଯୋଗଦେଇ କର୍ମୀ ଏବଂ ସଂଗଠକର ପ୍ରଥମ ଗୁଣ ଧୈର୍ଯ୍ୟ ବୋଲି କହିଥିଲେ। ସ୍ନେହ, ଶ୍ରଦ୍ଧା, ସଂଘର୍ଷ ଏବଂ ସମ୍ପର୍କର ଅନ୍ୟ ନାମ ସଂଗଠନ। କୌଣସି ଆଶା ନ ରଖି ଏହା ପାଇଁ କାମ କଲେ ସଂଗଠନ ସରସ ସୁନ୍ଦର ହେବ ବୋଲି ସେ କହିଥିଲେ। ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରତିନିଧି ଅରୁଣାଭ ସିଂହ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ମୀନକେତନ ଅମାନ୍ତ, ଜିଲ୍ଲା ବିଜୁ ମହିଳା ଦଳର ସଭାନେତ୍ରୀ ବିଦ୍ୟୁତଲତା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖ ମଞ୍ଚାସୀନ ହୋଇ ଦଳକୁ ଆହୁରି କିପରି ସଂଗଠିତ କରାଯାଇପାରିବ ତା ଉପରେ ନିଜସ୍ବ ବିଚାର ବାଣ୍ଟିଥିଲେ। ବୈଠକରେ ଜିଲ୍ଲା ସମସ୍ତ ଦଳୀୟ ବ୍ଲକ ସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ କାର୍ଯ୍ୟକାରିଣୀ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ ଅତିଥି ପରିଚୟ ଓ ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରକାଶ ଡାଙ୍ଗ ଧନ୍ୟବାଦ ଦେଇଥିଲେ।