ନେତ୍ରୀ ଗଢ଼ିବାରେ ଅନୁଗୁଳ ପଛୁଆ : ଜଣେ ବି ମହିଳା ବିଧାନସଭା କି ସଂସଦ ଯାଇ ନାହାନ୍ତି, ମହିଳାଙ୍କୁ ଟିକେଟ ଦେବାକୁ ପ୍ରମୁଖ ଦଳ କୁନ୍ଥକୁନ୍ଥ

ଅନ୍ତର୍ଜାତୀୟ ମହିଳା ଦିବସ

ଅନୁଗୁଳ, (ପତିତପାବନ ସାହୁ): ମାଳମାଳ ନେତା ତିଆରି କରିଛି ଅନୁଗୁଳ। ଏଠାରୁ ନିର୍ବାଚନ ଜିତି ରାଜ୍ୟ ରାଜନୀତିରେ ବେଶ ପ୍ରଭାବ ପକାଇଛନ୍ତି ଏକାଧିକ ନେତା। କିନ୍ତୁ, ନେତ୍ରୀ ଗଢ଼ିବାରେ ଅନୁଗୁଳ ଜିଲ୍ଲା ପୂରା ପଛୁଆ। ଅନୁଗୁଳ ଜିଲ୍ଲାରୁ ଜଣେ ହେଲେ ବି ମହିଳାଙ୍କୁ ବିଧାୟକ କିମ୍ବା ସାଂସଦ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ମିଳିନି। ଯାହାଙ୍କୁ ଟିକେଟ ମିଳିଛି, ଲୋକେ ତାଙ୍କ ସପକ୍ଷରେ ଯିବାକୁ ମନ ବଳାଇନାହାନ୍ତି।

ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୯୫୧ ପରଠାରୁ ଏ ପର୍ଯ୍ୟନ୍ତ ୧୬ଥର ନିର୍ବାଚନ ହେଲାଣି। ଏ ଭିତରେ ୮ ଜଣ ନେତାଙ୍କୁ ବିଧାୟକ ଭାବେ ବାଛିଛି ଅନୁଗୁଳ। ଏବେକାର ବିଧାୟକ ରଜନୀକାନ୍ତ ସିଂହ ୪ ଥର ନିର୍ବାଚିତ ହୋଇଥିଲାବେଳେ ତାଙ୍କ ବାପା ଅଦ୍ବୈତ ପ୍ରସାଦ ସିଂହ ମଧ୍ୟ ୪ ଥର ବିଧାୟକ ହୋଇଛନ୍ତି। କିନ୍ତୁ ଏ ଭିତରେ ଜଣେ ହେଲେ ମହିଳା ଏଠାରୁ ନିର୍ବାଚିତ ହୋଇ ନାହାନ୍ତି। ଆଠମଲ୍ଲିକ ବିଧାନସଭା ନିର୍ବାଚନରେ ମଧ୍ୟ ମହିଳାମାନେ ଉପେକ୍ଷିତ ହୋଇ ରହିଛନ୍ତି। ୧୯୫୧ରୁ ଆଜି ପର୍ଯ୍ୟନ୍ତ ୧୭ଟି ନିର୍ବାଚନ ହୋଇଥିଲାବେଳେ ଏଠାରୁ କୌଣସି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇ ନାହାନ୍ତି। ଗତ ଦୁଇଟି ନିର୍ବାଚନରେ ପ୍ରମୁଖ ଦଳ ପକ୍ଷରୁ କୌଣସି ମହିଳା ପ୍ରାର୍ଥୀ ହୋଇ ନ ଥିଲେ। ଅବଶ୍ୟ, ୨୦୦୯ରେ କଂଗ୍ରେସ ଟିକେଟରେ ଆଠମଲ୍ଲିକ ଆସନରୁ ମୌସୁମୀ ପ୍ରଧାନ ନିର୍ବାଚନ ଲଢି ପ୍ରାୟ ୪୨ ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ଏ ପର୍ଯ୍ୟନ୍ତ ୧୬ ଥର ନିର୍ବାଚନ ହୋଇଥିଲାବେଳେ ମାତ୍ର ୬ ଜଣ ବିଧାୟକଙ୍କୁ ପାଇଛନ୍ତି ଲୋକେ। ୨୦୦୯ ଓ ୨୦୧୯ ନିର୍ବାଚନରେ ଏଠାରେ ପ୍ରମୁଖ ଦଳରୁ ମହିଳାଙ୍କୁ ଟିକେଟ ମିଳି ନ ଥିଲାବେଳେ ୨୦୧୪ରେ କଂଗ୍ରେସ ଟିକେଟରୁ ଲଢିଥିଲେ ସସ୍ମିତା ବେହେରା। ହେଲେ ତାଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ପାଳଲହଡା ବିଧାନସଭା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନରେ ବହୁ ହେଭିୱେଟ ନେତା ବିଧାନସଭାକୁ ଯିବାର ସୁଯୋଗ ପାଇଛନ୍ତି। ପବିତ୍ର ପ୍ରଧାନ, ବିଭୁଧେନ୍ଦ୍ର ପ୍ରତାପ ଦାସ, ନୃସିଂହ ସାହୁ, ଧର୍ମେନ୍ଦ୍ର ପ୍ରଧାନ, ରବି ନାରାୟଣ ପାଣି, ମହେଶ ସାହୁଙ୍କ ପରି ଟାଣୁଆ ନେତା ପାଳଲହଡା ବିଧାୟକ ହୋଇ ବିଭିନ୍ନ ପଦପଦବି ଅଳଙ୍କୃତ କରିଛନ୍ତି। କିନ୍ତୁ ଜଣେ ମହିଳାଙ୍କୁ ବିଧାୟକ ଭାବେ ପାଇନି ପାଳଲହଡା। ଏଠାରେ ମଧ୍ୟ ଗତ ୩ ଟି ନିର୍ବାଚନରେ କୌଣସି ମହିଳାଙ୍କୁ ୩ ପ୍ରମୁଖ ଦଳ ପକ୍ଷରୁ ଟିକେଟ ଦିଆଯାଇନି।

୨୦୦୯ରେ ନୂଆ କରି ତିଆରି ହୋଇଥିବା ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ଏ ଭିତରେ ୩ଟି ନିର୍ବାଚନ ଦେଖିଛି। ଗତ ନିର୍ବାଚନରେ ଏଠାରୁ କଂଗ୍ରେସ ଟିକେଟରେ ସସ୍ମିତା ବେହେରା ଲଢିଥିଲେ। କିନ୍ତୁ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଅନ୍ୟ ଦୁଇଟି ନିର୍ବାଚନରେ କୌଣସି ମହିଳାଙ୍କୁ ଲଢିବାର ସୁଯୋଗ ମିଳି ନ ଥିଲା। ଅପରପକ୍ଷରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପରିସରରେ ଅନୁଗୁଳ ଜିଲ୍ଲା ଆସୁଥିଲାବେଳେ ଏହି ନିର୍ବାଚନମଣ୍ଡଳୀ ଏ ପର୍ଯ୍ୟନ୍ତ କୌଣସି ମହିଳା ଜନପ୍ରତିନିଧି ପାଇନି। ଏଠାରୁ କେବଳ ନେତାମାନେ ସଂସଦର ନିମ୍ନ ସଦନକୁ ଯାଇଥିଲାବେଳେ ମହିଳାଙ୍କୁ ଉପଯୁକ୍ତ ସୁଯୋଗ ମିଳିନି।

ସମ୍ବନ୍ଧିତ ଖବର