ରାଜ୍ୟର ସବୁଠୁ ତତଲା ସହର ଅନୁଗୁଳ

ଭୁବନେଶ୍ବର : ରାଜ୍ୟରେ ପାରଦସ୍ତର କ୍ରମାଗତ ଭା‌ବେ ଊର୍ଧ୍ବଗାମୀ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା ଗତ ୩ ଦିନ ହେଲା ୪୦ ଅତିକ୍ରମ କରିଥିବା ବେଳେ ଆଜି ଏହି ତାଲିକାରେ ଅନୁଗୁଳ ଓ ବୌଦ୍ଧ ମଧ୍ୟ ଯୋଡ଼ି ହୋଇଛନ୍ତି। ଗତ ଦୁଇ ଦିନ ଅପେକ୍ଷା ରାଜଧାନୀର ତାପମାତ୍ରା ଆଜି ଅପେକ୍ଷାକୃତ କମି ୪୦.୬ ଡିଗ୍ରିରୁ ୪୦ ଡିଗ୍ରିକୁ ଖସିଥିବା‌ ବେଳେ ଅନୁଗୁଳରେ ଗତକାଲି ଅପେକ୍ଷା ରବିବାର ଦିନ ତାପାମତ୍ରା ପ୍ରାୟ ୧.୨ ଡିଗ୍ରି ବଢ଼ି ରାଜ୍ୟର ସବୁଠୁ ତତଲା ସହରରେ ପରିଣତ ହୋଇଛି। ଏଠାରେ ରବିବାର ଦିନ ତାପମାତ୍ରା ୪୦.୧ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ବୌଦ୍ଧରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ଛୁଇଁଛି।

ଏହି ଦୌଡ଼ରେ ସାମିଲ ହୋଇଛନ୍ତି ବାରିପଦା(୩୯.୪ଡିଗ୍ରି) ଓ କଟକ(୩୯.୨ଡିଗ୍ରି)। ବାଲେଶ୍ବରର ତାପମାତ୍ରା ୩୫ ଡିଗ୍ରିକୁ ଖସିଛି। କିନ୍ତୁ ଚାନ୍ଦବାଲିର ତାପମାତ୍ରା ଗତକାଲି ଅପେକ୍ଷା ଦେଢ଼ ଡିଗ୍ରି ବଢ଼ି ୩୮.୨ ଡିଗ୍ରି ‌ରେକର୍ଡ ହୋଇଛି। ଏହାଛଡ଼ା ସମ୍ବଲପୁର, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର ଓ ନୟାଗଡ଼ର ତାପମାତ୍ରା ୩୮ ଡିଗ୍ରି ପାର୍‌ ହୋଇଛି। ତେବେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ଏହି ଭଳି ବୃଦ୍ଧି ଦେଖାଯିବ ଓ ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ବାଭାବିକଠାରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ସୂଚନା ମୁତାବକ, ଏବେ ତାପମାତ୍ରା ନିମ୍ନଗାମୀ ହେବାର କୌଣସି ସମ୍ଭାବନା ନାହିଁ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ହୁ ହୁ ହୋଇ ବଢ଼ିବ। ‌ଭୁବନେଶ୍ବର ସମେତ ଖୋର୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଅନୁଗୁଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ଲହରି ପ୍ରବାହିତ ହେବ। ଦିନର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ଏସବୁ ଅଞ୍ଚଳର ଲୋକଙ୍କୁ ଖରାରେ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଏଥିସହ ଆସନ୍ତାକାଲି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି ଓ କଟକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର