କଟକ : ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାରେ ଆଜି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶେଷ ହୋଇଛି। ଉପଯୁକ୍ତ ତଥ୍ୟ ପ୍ରମାଣ ନ ଥାଇ ନିମ୍ନ ଅଦାଲତ ମୃତ୍ୟୁ ଦଣ୍ଡ ପ୍ରଦାନ କରିଥିଲେ ବୋଲି ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଦଣ୍ଡବିଧାନ ପ୍ରସଂଗରେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ପାଇଁ ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ କରାଯାଇଛି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜଷ୍ଟିସ ଏସ୍.କେ.ମିଶ୍ର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ନିମ୍ନ ଅଦାଲତ ଦଣ୍ଡାଦେଶକୁ ଚାଲେଞ୍ଜ କରି ଅନାମ ଦେହୁରୀ ଓରଫ ଶ୍ରୀନିବାସ ପକ୍ଷରୁ ଦାୟର ଅପିଲ ଓ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲାର ଏକତ୍ର ଶୁଣାଣି ଚାଲିଛି। ଏହି ବହୁ ଚର୍ଚ୍ଚିତ ମାମଲାରେ ଅଭିଯୁକ୍ତ ଅନାମକୁ ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଜୁଲାଇ ୨୬ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ୨୦୧୯, ଜାନୁଆରି ୨୦ ଅପରାହ୍ନ ୨ଟା ସମୟରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଅନୁ‌ଗୁଳ ଜିଲ୍ଲା ଗାଁ ମଶାଣି ଭୂଇଁ ନିକଟରେ ଘଟିଥିଲା। ଗ୍ରାମର ସରୋଜ ମହାରଣାଙ୍କ ୧୨ ବର୍ଷର ଝିଅକୁ ଅନାମ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା କରିଥିଲା। ଅନାମ ମୃତଦେହ ସହିତ ମଧ୍ୟ ଦୁଷ୍କର୍ମ କରିଥିଲା। ପୁଲିସ ଘଟଣାର ତଦନ୍ତ କରି ଅନାମକୁ କୋଲକାତାରୁ ଗିରଫ କରିଥିଲା। ଏହି ସମ୍ବେଦନଶୀଳ ମାମଲାକୁ ରେଡ୍ ଫ୍ଲାଗ୍ ମାମଲା ‌ଭାବେ ଗ୍ରହଣ କରାଯାଇଥିଲା। ପ୍ରାୟ ଏକ ମାସ ଭିତରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦ‌ାଲତରେ ଶୁଣାଣି କରାଯାଇ ୩୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋ‌ଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଘଟଣାର ୬ ମାସ ୬ ଦିନରେ ଏହି ରାୟ ପ୍ରକାଶ ପାଇଥିଲା।