ଅନୁଗୁଳର ଚାଞ୍ଚଲ୍ୟକର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ହାଇକୋର୍ଟକୁ ଆସିଲା ତଳକୋର୍ଟର ଫାଶୀ ଦଣ୍ଡ ମାମଲା

କଟକ : ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ସଂପର୍କିତ ମାମଲା ହାଇକୋର୍ଟରେ ପହଞ୍ଚିଛି।

ଏହି ମାମଲାରେ ଅଭିଯୁକ୍ତ ଅନାମ ଦେହୁରୀ ଓରଫ ଶ୍ରୀନିବାସକୁ ଅନୁଗୁଳ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଜୁଲାଇ ୨୬ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ନିମ୍ନ ଅଦାଲତ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା(ଡିଏସଆରଇଏଫ୍) ହାଇକୋର୍ଟରେ ଦାୟର ହୋଇଛି। ମୃତ୍ୟୁଦଣ୍ଡାଦେଶ ଅନୁମୋଦନ ସଂପର୍କିତ ଏହା ହେଉଛି ୨୦୧୯ରେ ହାଇକୋର୍ଟରେ ପ୍ରଥମ ମାମଲା। ପୂର୍ବରୁ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଗୁଣପୁର ଅତିରିକ୍ତ ଦୌରା ଜଜ୍‌ ଅଦାଲତ ପ୍ରଦାନ କରିଥିବା ଫାଶୀ ଦଣ୍ତ ସ˚ପର୍କିତ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ଜାନୁଆରି ୨୦ ଅପରାହ୍ନ ୨ଟା ସମୟରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଅନୁ‌ଗୁଳ ଜିଲ୍ଲା ଗାଁ ମଶାଣି ଭୂଇଁ ନିକଟରେ ଘଟିଥିଲା। ଗ୍ରାମର ସରୋଜ ମହାରଣାଙ୍କ ୧୨ ବର୍ଷିୟା ଝିଅ ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ଅନାମ ହାବୁଡରେ ପଡିଥିଲା। ଏକୁଟିଆ ପାଇ ଅନାମ ସେଦିନ ପୀଡିତାକୁ କଣ୍ଟାଗଛ ମୂଳକୁ ଘୋସାରି ନେଇ ଦୁଷ୍କର୍ମ କରିଥିଲା। ଏହାପରେ ଘଟଣା ବାହାରେ ପ୍ରଘଟ ହେବା ଭୟରେ ଅନାମ ପଥରେ ଛେଚି ଘଟଣାସ୍ଥଳରେ ପୀଡିତାକୁ ହତ୍ୟା କରିଥିଲା।

ପ୍ରାୟ ଏକ ମାସ ଭିତରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକସୋ ଅଦ‌ାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ୩୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋ‌ଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଘଟଣାର ୬ ମାସ ୬ ଦିନରେ ଏହି ରାୟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର