ମହତାବ ଓ ବିଜୁଙ୍କର ଥିଲା ଗୁରୁ-ଶିଷ୍ୟ ସଂପର୍କ
୧୯୬୧ରେ ଡକ୍ଟର ହରେକୃଷ୍ଣ ମହତାବ ଅନୁଗୁଳ ଲୋକସଭା ଆସନରୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ। କିନ୍ତୁ ସେତେବେଳେ ସୁନ୍ଦରମଣି ପଟେଲ ତାଙ୍କ ବିରୋଧରେ ପ୍ରଥମେ ପ୍ରାର୍ଥୀ ହୋଇ ନଥିଲେ। ବାମଡ଼ାର ରାଣୀ ସାହେବା ସ୍ବତନ୍ତ୍ର ପାର୍ଟିରୁ ଡକ୍ଟର ମହତାବଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ରାଣୀ ସାହେବା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବାରୁ ଡକ୍ଟର ମହତାବ ନିର୍ବିରୋଧ ନିର୍ବାଚିତ ହୋଇଥିଲେ। ବାମଡ଼ାର ରାଣୀ ସାହେବା ଥିଲେ ବଲାଙ୍ଗୀରର ରାଜେନ୍ଦ୍ରନାରାୟଣ ସିଂହଦେଓଙ୍କ ଭଉଣୀ। ଲୋକସଭାକୁ ଡକ୍ଟର ମହତାବ ନିର୍ବାଚିତ ହେବା ପରେ ସେ କଂଗ୍ରେସ ସଂସଦୀୟ ଦଳର ଉପନେତା ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ପଣ୍ଡିତ ଜବାହରଲାଲ ନେହରୁ ଥିଲେ କଂଗ୍ରେସ ସଂସଦୀୟ ଦଳର ନେତା। ସେହି ସମୟରେ ଭାରତ-ଚୀନ ଯୁଦ୍ଧ ପରବର୍ତ୍ତୀ ସ୍ଥିତିରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଣା ମେନନ୍ଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବାରେ ଡକ୍ଟର ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯଦି ୧୯୬୧ରେ ଡକ୍ଟର ମହତାବ କେବଳ ନାମକୁ ମାତ୍ର ଜଣେ ସାଂସଦ ହୋଇ ରହିଥାନ୍ତେ, ତେବେ ସେ ସେହି ସମୟରେ ଆଫ୍ରିକୀୟ ଦେଶକୁ ଯାଇଥିବା ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ବ ହୁଏତ ନେଇ ନଥାନ୍ତେ।
ଅନ୍ୟପଟେ ୧୯୬୧ରେ ବିଜୁ ପଟ୍ଟନାୟକ ଉପ ନିର୍ବାଚନରେ ବିଜୟୀ ହେବା ପରେ ସେ ଡକ୍ଟର ମହତାବଙ୍କୁ ଅନୁରୋଧ କରିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବାକୁ। କିନ୍ତୁ ଡକ୍ଟର ମହତାବ ନିର୍ଦ୍ଦିଷ୍ଟ ଭାବେ କହିଥିଲେ ଯେ ବିଜୁ ବାବୁଙ୍କ ନେତୃତ୍ବରେ କଂଗ୍ରେସକୁ ଜନାଦେଶ ମିଳିଛି। ତେଣୁ ସେ ହିଁ ନେତୃତ୍ବ ନେବା ଆବଶ୍ୟକ। ଡକ୍ଟର ମହତାବ ଓ ବିଜୁ ବାବୁଙ୍କ ମଧ୍ୟରେ ରାଜନୈତିକ ମତଭେଦ ରହିଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ଗୁରୁ-ଶିଷ୍ୟ ସଂପର୍କ ରହିଥିଲା, ଯାହାର କି ମୁଁ ହେଉଛି ସାକ୍ଷୀ।
ପରବର୍ତ୍ତୀ ସମୟରେ କିନ୍ତୁ ୧୯୬୭ରେ ଡକ୍ଟର ମହତାବ ଓ ଡକ୍ଟର ରାଧାନାଥ ରଥ ବିଜୁ ବାବୁଙ୍କ ପରାଜୟର ଅନ୍ୟତମ ସୂତ୍ରଧର ଥିଲେ। ୧୯୭୧ରେ ବିଜୁ ପଟ୍ଟନାୟକ ଡକ୍ଟର ମହତାବଙ୍କ ବିରୋଧରେ ଭୁବନେଶ୍ବରରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। କିନ୍ତୁ ସେମାନେ ୧୯୭୩ରେ ଏକାଠି ହୋଇ ପ୍ରଗତି ଦଳ ଗଠନ କରିଥିଲେ। ଡକ୍ଟର ମହତାବ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ତୁଳନାରେ ବିଜୁ ବାବୁ କମ୍ ବୟସ୍କ ଥିଲେ। ତେଣୁ ତାଙ୍କୁ ଦଳର ନେତୃତ୍ବ ନେବାକୁ କୁହାଯାଇଥିଲା। ଡକ୍ଟର ମହତାବ ଓ ଆର. ଏନ୍. ସିଂହଦେଓ ୧୯୭୪ ପରଠାରୁ ନିର୍ବାଚନ ରାଜନୀତିରୁ ଅବସର ନେଇ ଯାଇଥିଲେ। କିନ୍ତୁ ଦେଶର ଜରୁରିକାଳୀନ ପରିସ୍ଥିତିରେ ଡକ୍ଟର ମହତାବ ୧୮ ମାସ ଜେଲ୍ରେ ରହିଥିଲେ ଏବଂ ଆର. ଏନ୍. ସିଂହଦେଓଙ୍କର ୧୯୭୫ରେ ପରଲୋକ ଘଟିଥିଲା।
- ଭର୍ତ୍ତୃହରି ମହତାବ, ସାଂସଦ, କଟକ
୧୮ ନଭେମ୍ବରର ଏହି ସ୍ତମ୍ଭରେ ‘ଲୋକସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ’, ‘ତଥାପି ଅଲୋଡ଼ା ହେଲେ’ ‘ମହତାବ-ବିଜୁ ସମ୍ପର୍କ ତିକ୍ତ’ ଶିରୋନାମାରେ ସ୍ତମ୍ଭକାର ରାଜେଶ ଅଗ୍ରୱାଲ ଦୁଇଟି କ୍ଷୁଦ୍ର ଆଲେଖ୍ୟରେ ମହତାବଙ୍କ ନିର୍ବାଚନୀ ଅଭିଜ୍ଞତା ଓ ବିଜୁଙ୍କ ସହ ତାଙ୍କର ରାଜନୈତିକ ସମ୍ପର୍କକୁ ନେଇ କିଛି ତଥ୍ୟ ଓ ମତ ଉପସ୍ଥାପନ କରିଥିଲେ। ଡ. ମହତାବଙ୍କ ପୁତ୍ର ତଥା କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟାର କିୟଦଂଶ ପ୍ରକାଶ କରୁଛୁ। ଶ୍ରୀ ଅଗ୍ରୱାଲଙ୍କ ଉତ୍ତର ମଧ୍ୟ ଏଠାରେ ଦିଆଯାଇଛି।
ଭର୍ତ୍ତୃହରି ମହତାବଙ୍କୁ ଉତ୍ତର
ଆପଣ ଲେଖିଛନ୍ତି ବାମଣ୍ଡା ରାଣୀ ସାହେବା, ବଲାଙ୍ଗୀରର ଆର୍ଏନ୍ ସିଂହଦେଓଙ୍କ ଭଉଣୀ। ମାତ୍ର ଏହା ସତ୍ୟ ନୁହେଁ। ବାମଣ୍ଡା ରାଣୀସାହେବା ଜ୍ୟୋତିମଞ୍ଜରୀ ଦେବୀ, ଯେ କି ୧୯୫୭ ଦେବଗଡ଼ ବିଧାନସଭା (ଦ୍ବୈତ)ରୁ ନିର୍ବାଚିତ ହୋଇଥିଲେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ଭଉଣୀ। ୧୯୬୧ ଦେବଗଡ଼ ବିଧାନସଭା ନିର୍ବାଚନ ସମୟରେ ଦେବଗଡ଼ ଆଦିବାସୀ ପାଇଁ ସଂରକ୍ଷିତ ହେବାରୁ ସେ ନିର୍ବାଚନ ଲଢ଼ିଲେ ନାହିଁ। ତାଙ୍କ ସ୍ବାମୀ ଭାନୁଗଙ୍ଗ ତ୍ରିଭୂବନ ଦେବ ରେଢ଼ାଖୋଲରୁ ଗଣତନ୍ତ୍ର ପରିଷଦ ଟିକେଟ୍ରେ ନିର୍ବାଚିତ ହୋଇଥିଲେ। ରାଣୀ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ୧୯୬୨ ଲୋକସଭା ନିର୍ବାଚନରେ ସୁନ୍ଦରମଣି ପଟେଲ ଅନୁଗୁଳରେ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା ପୂର୍ବରୁ ଶ୍ରଦ୍ଧାକର ସୂପକାର ସମ୍ପାଦକ ଥିବା ସମୟରେ ‘ହୀରଖଣ୍ଡ’ରେ ପ୍ରକାଶିତ ହୋଇଥିଲା। ଏ ବାବଦରେ ସୁନ୍ଦରରମଣି ପଟେଲଙ୍କୁ ୧୯୮୫-୮୬ରେ ପଚାରିବାରୁ ତାଙ୍କ ଉତ୍ତର ଥିଲା, ‘ମୋତେ ଲଢ଼ିବା ପାଇଁ କହିଲେ, ଅଥଚ ସ୍ବତନ୍ତ୍ର ଦଳର କେହି ଦେଖା ଦେଲେ ନାହିଁ। ମହତାବଙ୍କ ସହ ଲଢ଼ିବା ପାଇଁ ବେଶି ଅର୍ଥ ଦରକାର।
ମୋ ପାଖରେ ଅର୍ଥବଳ ନଥିଲା, ଏଣୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଦେଲି।’ ସେ ବେଳେ ସେ ଭୁବନେଶ୍ବର ଗଲେ ଶ୍ରଦ୍ଧାକର ସୂପକାରଙ୍କ ଏମ୍ଏଲ୍ଏ କ୍ବାର୍ଟର୍ସ (ଯେଉଁଠି ତାଙ୍କ ସମ୍ପର୍କୀୟ ମାଧବ ପଟେଲ ରହୁଥିଲେ ଓ ମୁଁ ଗଲେ ମଧ୍ୟ ରହୁଥିଲି)ରେ ରହୁଥିଲେ। ଅଧିକାଂଶ ସମୟ ମୁଁ ତାଙ୍କ ସହିତ କଥାବାର୍ତ୍ତା କରୁଥିଲି। ଏହାର ସତ୍ୟତା ସିଇଓରେ ଉପଲବ୍ଧ ହୋଇପାରେ। ‘ନିର୍ବାଚନ ପରେ ମହତାବ ଏକାକୀ ହୋଇଗଲେ ଓ କୌଣସି ପଦ ପାଇଲେ ନାହିଁ’। ଏହି ପ୍ରସଙ୍ଗରେ ଯାହା ଲେଖାଯାଇଛି ତା’ର ଅର୍ଥ ହେଲା ମନ୍ତ୍ରୀପଦକୁ ହିସାବ କରି ତାହା ଲେଖାଯାଇଛି। ଏ ବାବଦରେ ଶ୍ରଦ୍ଧାକର ସୂପକାର ତାଙ୍କ ଆତ୍ମକଥା ‘ମଧ୍ୟମ ପୁରୁଷ’, ପୃଷ୍ଠା ୨୭୮ରେ ଲେଖିଛନ୍ତି- ‘କଂଗ୍ରେସ ଦଳ ପ୍ରାର୍ଥୀ ହରେକୃଷ୍ଣ ମହତାବଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ମତେ କହିଲେ, xxx ତୃତୀୟ ଲୋକସଭାରେ ମହତାବ ଏକ ସାଧାରଣ ସଭ୍ୟ ହୋଇ ରହିଗଲେ। ବିଜୁ ହିଁ ପ୍ରଧାନମନ୍ତ୍ରୀ ନେହରୁଙ୍କ ଅତି ପ୍ରିୟ ହୋଇଗଲେ।’ ନୀଳମଣି ରାଉତରାଙ୍କ ‘ସ୍ମୃତି ଓ ଅନୁଭୂତି’, ପୃଷ୍ଠା ୩୪୪ରେ ଲେଖାଅଛି, ‘ମହତାବ ବିଧାନସଭା ପ୍ରାର୍ଥୀ ହେବା ପାଇଁ ମନା କଲେ।’’ ଲେଖା ମଧ୍ୟରେ କୌଣସି ସ୍ଥାନରେ ଲେଖା ନାହିଁ, ‘ତଥାପି ଅଲୋଡ଼ା ହେଲେ’। ତେବେ ଲେଖାଟିର ସାରାଂଶକୁ ଭିତ୍ତିକରି କରାଯାଇଥିବା ଶିରୋନାମା ଯୋଗୁଁ ବୋଧେ ଏହି ପ୍ରତିକ୍ରିୟା। ବିଜୁଙ୍କ ସହିତ ମହତାବଙ୍କ ଭଲ ନଥିବା କଥା ସମସ୍ତେ କହନ୍ତି। ବସନ୍ତ ଦାସ ମଧ୍ୟ ‘Foot prints of eventful day’ରେ ବିଶେଷ ଭାବରେ ବର୍ଣ୍ଣନା କରିଛନ୍ତି। ଏ ବାବଦରେ ପୂର୍ବରୁ ମୋର ଏକ ଲେଖା ୩୧.୧.୨୦୨୩ରେ ‘ଜୁଗାର’ରେ ପ୍ରକାଶିତ ହୋଇଥିଲା ତାକୁ ପଠାଇଲି। ‘ହୀରାଖଣ୍ଡ’ ଲେଖା ମୋ ପାଖରେ ନାହିଁ। ପୂର୍ବରୁ ଏ ବାବଦରେ ପଢ଼ିଥିବା ବହି ଖୋଜି ପାଉନାହିଁ, ମିଳିପାରେ।
- ରାଜେଶ ଅଗ୍ରୱାଲ