ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କୋଭିଡ୍ - ୧୯ ସମ୍ପର୍କିତ କଟକଣା ଉଲ୍ଲଂଘନ ପାଇଁ ଗତ ୪୦ ଦିନ ଭିତରେ ଉଲ୍ଲଂଘନକାରୀଙ୍କଠାରୁ ୨ ଲକ୍ଷ ୩୬ ହଜାର ୩୦୦ ଟଙ୍କା ଆଦାୟ କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Advertisment

ଗତ ୧୭ ମାର୍ଚ୍ଚରୁ ଏପ୍ରିଲ ୨୭ ତାରିଖ ଭିତରେ ଏନେଇ  ଅନୁଗୁଳ ଜିଲ୍ଲାରେ ମୋଟ୍ ୨୬୧ଟି ମାମଲା ପଞ୍ଜିକୃତ ହୋଇଛି | ୭୯୨ଜଣ କଟକଣା ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏବଂ ମାସ୍କ ପିନ୍ଧି ନଥିବା ୧୧୬୦ଜଣ ଲୋକଙ୍କଠାରୁ ଜରିମାନା ବାବଦରେ ୨ ଲକ୍ଷ ୩୬ ହଜାର ୩୦୦ ଟଙ୍କା ଆଦାୟ କରାଯାଇଛି । ଏହାଛଡ଼ା ୨୭୭ଟି ଗାଡ଼ି ସିଜ୍ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ନିଜାମୁଦ୍ଦିନ ଧର୍ମସଭା ସହିତ ଲିଙ୍କ୍ ରହିଥିବା ଅନୁଗୁଳର ୩୩ ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା। ଧର୍ମଶିକ୍ଷା ପ୍ରଦାନ ନିମନ୍ତେ ଗତ ମାସ ୧୭ ତାରିଖ ଦିନ ୧୦ ଜଣ ବ୍ୟକ୍ତି ଅନୁଗୁଳ ଜିଲ୍ଲାକୁ ଆସିଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା। ଏମାନଙ୍କ  ସ୍ବାବ୍ ନମୁନା ରିପୋର୍ଟ  ନେଗେଟିଭ୍ ରହିଥିବା ଜଣାପଡ଼ିଥିଲା।  ଏଦୃଷ୍ଟିରୁ ଅନୁଗୁଳ ଜିଲ୍ଲାରେଏଯାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।