ଅଜାତିରେ ବାହାହେବାରୁ ନିଆଁ, ପାଣି ବନ୍ଦ ! ଅନୁଗୁଳ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ଫେରାଦ

ସାନ୍ତରାପୁରରେ ଅଜବ ନିୟମ

ଅନୁଗୁଳ: ପ୍ରେମ କରି ଅଜାତିରେ ବିବାହ କଲା ଝିଅ। ବାପାକୁ ମିଳିଲା ୫୦ହଜାର ଆର୍ଥିକ ଦଣ୍ଡ। ଝିଅର ଅସୁସ୍ଥ ବାପା ଏତେ ଟଙ୍କା ଦେବାକୁ ନିଜର ଅସହାୟତା ପ୍ରକାଶ କଲା ବୋଲି ଗାଁରୁ ସେ ହେଲେ ବାସନ୍ଦ। ତାଙ୍କ ପାଇଁ ଦୋକାନ, ନିଆଁ, ପାଣି ହେଲା ବନ୍ଦ। ଏଭଳି ଘଟଣା ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍‌ ସାନ୍ତରାପୁର(କ) ଗାଁରେ ଦେଖିବାକୁ ମିଳିଛି। ଗାଁରେ ଚାଲିଥିବା ଏ କଙ୍ଗାରୁ କୋର୍ଟ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି, ଯାହାକୁ ନେଇ ଗୁରୁବାର କିଛି ବାସନ୍ଦ ପରିବାର ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ‌ ହୋଇଛନ୍ତି।

ଲିଖିତ ଅଭିଯୋଗ ମୁତାବକ, ଗାଁ ବାସିନ୍ଦା ନୀଳକଣ୍ଠ ନାଏକ କିଛି ଦିନ ହେଲା ଗ୍ରାମରେ ରହୁ ନାହାନ୍ତି। ଅନୁଗୁଳରେ ଘର କରି ରହିଲେଣି। ସେ ଗାଁରେ ଚାନ୍ଦା ନ ଦେବାରୁ ତାଙ୍କ ବିରୋଧରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଗଲା। ତାଙ୍କୁ ବାସନ୍ଦ ଘୋଷଣା କରି କୌଣସି ବ୍ୟକ୍ତି ତାଙ୍କର କୌଣସି କାମ ନ କରିବାକୁ କୁହାଗଲା। ଏମିତିକି, ଶ୍ରୀ ନାଏକଙ୍କର ଆମ୍ବ ବଗିଚା ଜଗୁଥିବା ବ୍ୟକ୍ତିଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ ହେଲା। ଭାଗରେ ତାଙ୍କର ଜମି ଧରୁଥିବା ଲୋକଙ୍କୁ ଚାଷ କରିବାକୁ ମନା କରାଗଲା।

ସେହିପରି ଗାଁର ବିଜୟ ଦାସ ବାହାରେ ଚାକିରି କରୁଛନ୍ତି। ସେ ଗ୍ରାମସଭାରେ ଉପସ୍ଥିତ ହେଲେ ନାହିଁ ବୋଲି ତାଙ୍କୁ ଗାଁରୁ ଅଲଗା କରାଯାଇଛି। ପଞ୍ଚାୟତର ପୂର୍ବତନ ସରପଞ୍ଚ କଳ୍ପତରୁ ଦାସ ସମାନ କାରଣ ପାଇଁ ଦଣ୍ଡିତ ହୋଇଛନ୍ତି। ଗ୍ରାମସଭାରେ ଉପସ୍ଥିତ କାହିଁକି ହେଲେ ନାହିଁ ବୋଲି ତାଙ୍କୁ ଓ ତାଙ୍କ ପୁଅକୁ ବାସନ୍ଦ ଦଣ୍ଡ ମିଳିଥିବା ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।

କିଛି ସରକାରୀ ଜମିରେ ଘର ନିର୍ମାଣ ହୋଇଥିବାରୁ ଅଧା ଘର ଭାଙ୍ଗିବାକୁ ବାଧ୍ୟ କରାଯାଉଛି। ନିଜ ଘର ଭାଙ୍ଗିବାକୁ ମନା କରିବାରୁ ରସାନନ୍ଦ ପ୍ରଧାନ ଓ ରମେଶ ପ୍ରଧାନଙ୍କ ଭଳି କିଛି ଗ୍ରାମବାସୀଙ୍କୁ ମଧ୍ୟ ବାସନ୍ଦ ଦଣ୍ଡ ମିଳିଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। କରୋନା ସମୟରେ ଗ୍ରୁପ୍‌ ଟଙ୍କା କିସ୍ତି ପରିଶୋଧ ନ କରିବାରୁ ଗୀତା ପ୍ରଧାନ ବାସନ୍ଦ ହୋଇଥିବା ବେଳେ ସୁଧ ଟଙ୍କା ପାଇଁ ମାଗତା ନାଏକ ବି ଅନୁରୂପ ଦଣ୍ଡ ଦିଆଯାଇଛି। ବାସନ୍ଦ ହେଲେ, ଗାଁ ମନ୍ଦିର ପୂଜା ମନା, ଦୋକାନରୁ ସଉଦା ମନା କରାଯାଉଛି ବୋଲି ବାସନ୍ଦ ପରିବାର ଅଭିଯୋଗ କରିଛନ୍ତି। ଏମିତିକି, ଆମମାନଙ୍କ ସହିତ କେହି କଥା ହେଲେ ତାଙ୍କଠାରୁ ଜରିମନା ଆଦାୟ କରାଯାଉଛି ବୋଲି ଗ୍ରାମର ରମେଶ ପ୍ରଧାନ, ରମେଶ ପ୍ରଧାନ, ରସାନନ୍ଦ ପ୍ରଧାନ, ସତ୍ୟଜିତ୍‌ ପ୍ରଧାନ, ସୁବର୍ଣ୍ଣ ଦାସ ପ୍ରମୁଖ ‘ସମ୍ବାଦ’କୁ କହିଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୁଅ ହେଉ ଅବା ଝିଅ, ଭିନ୍ନ ଜାତିରେ ବିବାହ କଲେ ଭିନ୍ନ ଜାତିର ଦମ୍ପତିଙ୍କୁ ସରକାର ଅଢ଼େଇ ଲକ୍ଷ ଟଙ୍କା ପୁରସ୍କାର ଦେଉଛନ୍ତି। କିନ୍ତୁ, ଭିନ୍ନ ଜାତିରେ ବିବାହ ପାଇଁ ସାନ୍ତରାପୁର ଗାଁରେ ୫୦ହଜାର ଟଙ୍କାର କଳୁଷିତ ଜରିମାନା ବ୍ୟବସ୍ଥା ରହିଛି, ଯାହାକୁ ପୂରା ବେଆଇନ୍‌ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ କହିଛନ୍ତି। ଭିନ୍ନ ଜାତିରେ ବିବାହ ପାଇଁ ସରକାରଙ୍କର ଅଢ଼େଇ ଲକ୍ଷ ଟଙ୍କାର ସହାୟତା ବ୍ୟବସ୍ଥା ଅଛି। ଏଥିପାଇଁ କେହି ବାସନ୍ଦ କଲେ ଆଇନ୍ ଅନୁସାରେ ଦଣ୍ଡ ବିଧାନ ରହିଛି। ବାସନ୍ଦ ପ୍ରମାଣିତ ହେଲେ ଭିନ୍ନ ଜାତିର ଦମ୍ପତିଙ୍କୁ ଅତିରିକ୍ତ ଲକ୍ଷେ ଟଙ୍କା ସରକାରୀ ସହାୟତାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ବାସନ୍ଦ କଥାକୁ ସାଆନ୍ତରାପୁର(କ) ସରପଞ୍ଚ ରେଣୁକା ପ୍ରଧାନ ସ୍ବୀକାର କରିଛନ୍ତି। ଏନେଇ ଗାଁର ରସାନନ୍ଦ ପ୍ରଧାନ ପଞ୍ଚାୟତକୁ ଲିଖିତ ଅଭିଯୋଗ କରିଛନ୍ତି। ଏହା ଉପରେ ଆଲୋଚନା ପାଇଁ ଖୁବ୍‌ ଶୀଘ୍ର ବୈଠକ ଡକାଯିବ ବୋଲି ଶ୍ରୀମତୀ ପ୍ରଧାନ ‘ସମ୍ବାଦ’କୁ କହିଛନ୍ତି। ଯୋଗାଯୋଗ ହୋଇ ନ ପାରିବାରୁ ଏ ସମ୍ପର୍କରେ ଗାଁ ସଭାପତିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର