ଲକ ଡାଉନ: ବସ ଚଳାଚଳ ଠପ୍ ହେବା ଯୋଗୁ କଷ୍ଟ ଭୋଗୁଛନ୍ତି ଅନୁଗୁଳ ଜିଲ୍ଲାର ୫୦୦ ପରିବାର

ମାସିକ କିସ୍ତି ଚିନ୍ତାରେ ବସ୍ ମାଲିକ

ଅନୁଗୁଳ: ମହାମାରୀ କରୋନା ବିଶ୍ୱର ଅର୍ଥନୀତିକୁ ଦୋହ ଲେଇବାକୁ ଯାଉଥିବା ବେଳେ ସେଥିରୁ ବାଦ ପଡ଼ିନାହାନ୍ତି ବସ ମାଲିକ ଏବଂ ବସ ବ୍ୟବସାୟ ସହ ଜଡ଼ିତ ଶ୍ରମିକ, ଗାଡ଼ି ଚାଳକ ପରିବାର। ଅନୁଗୁଳ ଜିଲ୍ଲାରେ ଲକ ଡାଉନ ପର ଠାରୁ ପ୍ରାୟ ୧୭୦/୧୮୦ ଯାତ୍ରୀବାହୀ ବସ ଠିଆ ହୋଇଛି। ବସ ଯାତ୍ରା ଠପ୍ ହେବା ଯୋଗୁ ପ୍ରାୟ ୫୦୦ରୁ ଅଧିକ ଗାଡ଼ିଚାଳକ ଏବଂ କଣ୍ଡକ୍ଟର୍ ପରିବାର କେବଳ ହାତ ଟେକି ବସି ନାହାନ୍ତି, ବରଂ ମାସିକ କିସ୍ତି କେଉଁଠୁ ଆଣିବେ ? ଇନ୍ସୁରାନ୍ସ ଭରଣା କେମିତି ହେବ ସେ ଚିନ୍ତା ମଧ୍ୟ ଘାରିଛି।
ଉଲ୍ଲେଖଯୋଗ୍ୟ, ବସ ଯାତ୍ରାକୁ ନେଇ ବ୍ୟବସାୟ କରୁଥିବା ମାଲିକଙ୍କ ପାଇଁ ବଡ଼ ଚାଲେଞ୍ଜ ଥିଲା ପରିବହନ ବିଭାଗକୁ ମାସିକ ଦେବାକୁ ଥିବା ଟିକସ, ଯାହାକୁ ନିକଟରେ ସରକାର କୋହଳ କରିଛନ୍ତି। ଗାଡ଼ି ଚାଲୁ ନ ଥିଲେ, ଅନ ଲାଇନ ଜରିଆରେ ଗାଡ଼ି ଚାଲୁ ନ ଥିବା କଥା ଦର୍ଶାଇବାକୁ କହିଛନ୍ତି। ଅନୁଗୁଳ ଜିଲ୍ଲାର ବସ ମାଲିକ ସେୟା କରି ସାରିଲେଣି। ହାତରୁ ବାଜିବାକୁ ଥିବା ଟିକସ ଚିନ୍ତା ଆଉ ଯଦିଓ ନାହିଁ, କିନ୍ତୁ ଇନ୍ସୁରାନ୍ସ ବାବଦକୁ ପୈଠ କରାଯିବାକୁ ଥିବା ପାଉଣା ବାଧିବ ବୋଲି ଅନୁଗୁଳ ବସ ମାଲିକ ସଂଘର ସମ୍ପାଦକ ସନ୍ତୋଷ କୁମାର ମିଶ୍ର କହିଛନ୍ତି।

ତାଙ୍କ କହିବା ମୁତାବକ, ଚଳିତ ଏକୋଇଶ ଦିନିଆ ଲକ ଡାଉନରେ ବେପାର ପୂରା ମାଡ଼ ଖାଇଛି। ଟଙ୍କାଟିଏ ଲାଭ ନାହିଁ। ଘର ଆଗରେ ଗାଡ଼ି ଠିଆ ହୋଇଛି। ଗୋଟିଏ ଗାଡ଼ିର ଚାଳକ, ହେଲ୍ପର ଓ କଣ୍ଡକ୍ଟରକୁ ମିଶାଇଲେ ତିନୋଟି ପରିବାର ଏବେ ଲକ ଡାଉନର କଷ୍ଟ ଭୋଗୁଛନ୍ତି। ଆମ ଜିଲ୍ଲାରେ ଛଅ ଚକିଆ ବସ ପ୍ରାୟ ୧୭୦/୧୮୦ ଟି ଚାଲୁଛି। ଏମିତି ଦେଖିଲେ ପ୍ରାୟ ୫୦୦ରୁ ଅଧିକ ପରିବାର ଲକ ଡାଉନ ଦୁଃଖ ଭୋଗୁଛନ୍ତି ବୋଲି ଶ୍ରୀ ମିଶ୍ର ଆକଳନ କରି କହିଛନ୍ତି। କେବଳ ସେମାନେ ନୁହନ୍ତି, ଆମ ଉପରେ ବି ଆର୍ଥିକ ଚାପ ପଡିଛି। ନିକଟରେ ଆରବିଆଇ ମାସିକ ବ୍ୟାଙ୍କ କିସ୍ତି ତିନି ମାସ ଯାଏ କୋହଳ କଲେ ବୋଲି ଘୋଷଣା କଲେ। କିନ୍ତୁ ବାସ୍ତବରେ କିଛି ବ୍ୟାଙ୍କ ଓ ଘରୋଇ ଅନୁଷ୍ଠାନ କିସ୍ତି କୋହଳ କରିବାକୁ ନାରାଜ। ବେପାର ନ ହେଲେ ବି ଗାଡ଼ି କିସ୍ତି ଆମକୁ ଭରଣା କରିବାକୁ ପଡ଼ୁଛି। ଏହା ଆମ ଉପରେ ଆର୍ଥିକ ଚାପ ତିଆରି କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ଅଳ୍ପ ହେଲେ ବି ଇନ୍ସୁରାନ୍ସ ଟଙ୍କା ବି କିଛି କମ୍ ଚାପ ନୁହେଁ। ଗୋଟିଏ ଗାଡ଼ି ପିଛା ଆମେ ବର୍ଷକୁ ପ୍ରାୟ ୬୦ ହଜାର ଟଙ୍କା ଇନ୍ସୁରାନ୍ସ ବହନ କରୁଛୁ। ଏମିତି ହିସାବ କଲେ ମାସିକ ୫ ହଜାର ଟଙ୍କା ଇନ୍ସୁରାନ୍ସ କଂପାନି ଟାଣୁଛି। ବର୍ତ୍ତମାନ ଗାଡ଼ିରୁ ଟଙ୍କାଟିଏ ଆୟ ହେଉ ନ ଥିବା ବେଳେ ୫ ହଜାର ଟଙ୍କା ବହନ କରିବା କଷ୍ଟ ହେଉଛି ବୋଲି ସେ କହିଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର