ଏସିଆ ବୁକ୍ ଅଫ୍ ରେକର୍ଡରେ ଅନୁଗୁଳର ପୁଅ

ଅନୁଗୁଳ/ପାଇକସାହି : ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଅନୁଗୁଳର ପୁଅ ରୁବେଲାଲ ପ୍ରଧାନ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅର୍ନ୍ତଗତ କୁରୁମଟାପ୍ ଗାଁର ଏହି ଯୁବକ ଚଳିତବର୍ଷ ବିଶ୍ବ କର୍କଟ ଦିବସରେ ବାଲୁକା କଳାକୃତୀ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ୧୨,୧୪୪ ବର୍ଗଫୁଟ୍‌ ବିଶିଷ୍ଟ ବାଲୁକା କଳାକୃତୀ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ସହ ସ୍ବତନ୍ତ୍ର ଭାବେ ତାଙ୍କୁ ଗ୍ରାଣ୍ଡ ମାଷ୍ଟର ଉପାଧି ପ୍ରଦାନ କରାଯାଇଛି।

ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ କଟକର କାର୍ସିନୋଭା କ୍ୟାନସର୍‌ ହସ୍ପିଟାଲ୍ ଠାରେ ୧୩୨ ଫୁଟ୍‌ ଲମ୍ବ ଓ ୯୨ ଫୁଟ୍‌ ଚଉଡା ବିଶିଷ୍ଟ ଏକ ସଚେତନତା କଳାକୃତୀ ନିର୍ମାଣ କରିଥିଲେ। ବାଲୁକା କଳା ମାଧ୍ୟମରେ ସେ ଦେଇଥିବା ଏହି ସଚେତନତା ବାର୍ତ୍ତା ଜାତୀୟ ସ୍ତରରେ ବେଶ୍‌ ପ୍ରଶଂସିତ ହୋଇଥିଲା। ଏହି କଳାକୃତୀକୁ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନିତ କରାଯାଇଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ କାର୍ସିନୋଭା କ୍ୟାନସର୍‌ ହସ୍ପିଟାଲ୍‌ ଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ଶିଳ୍ପୀଙ୍କୁ ଏହି ରେକର୍ଡ ପାଇଁ ପ୍ରମାଣପତ୍ର, ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଡ. କ୍ଷୀତୀଶ ମିଶ୍ର, ପ୍ରଜ୍ଞା ପାରମିତା ମିଶ୍ର, କ୍ୟାନସର ସଚେତନତା କାର୍ଯ୍ୟରେ ନିୟୋଜିତ ସଂଗଠନ ‘ଉମିଦେର’ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରୁବେଲାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହା ପୂର୍ବରୁ ସବୁଠାରୁ କ୍ଷୁଦ୍ରତମ ନନ୍ଦିଘୋଷ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ ଓ ଗ୍ଲୋବାଲ ରେକର୍ଡରେ ସ୍ଥାନ ପାଇଥିଲେ ରୁବେଲାଲ।

ସମ୍ବନ୍ଧିତ ଖବର