ଜଗନ୍ନାଥଙ୍କ ରଥ ପାଇଁ କାଠ ଚିରା ଶୁଭାରମ୍ଭ

ଅକ୍ଷୟ ତୃତୀୟା ପୂର୍ବରୁ ଶ୍ରୀକ୍ଷେତ୍ରରେ ପହଞ୍ଚିବ ଚିରା କାଠ

କଟକ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଶ୍ରୀରାମନବମୀ ତିଥିରେ ରଥକାଠ ଚିରା ଶୁଭାରମ୍ଭ ହୋଇଛି। କଟକ ନୂଆପଡାସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ କରତକଳରେ ଆଜି ପ୍ରଥମ କାଠ ଚିରା ଅନୁକୂଳ ହୋଇଥିଲା। ଆଗାମୀ ଦୁଇ ମାସ ଧରି ରଥ ନିର୍ମାଣ ପାଇଁ କାଠଚିରା ଚାଲୁରହିବ। ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟ ଦିନ ରଥନିର୍ମାଣ ଶୁଭାରମ୍ଭ ହେବ। ଏହା ପୂର୍ବରୁ ତିନିଟି ରଥ ପାଇଁ ଉଦ୍ଦିଷ୍ଟ ଚିରାକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବ ବୋଲି ଓଡ଼ିଶା ବନ ଉନ୍ନୟନ ନିଗମ କରତକଳ ପକ୍ଷରୁ ସୂଚନା ଦିଆଯାଇଛି। ଅକ୍ଷୟ ତୃତୀୟା ପରେ ମଧ୍ୟ ରଥନିର୍ମାଣ କରୁଥିବା ମୁଖ୍ୟ ମହାରଣାଙ୍କ ବରାଦି ଅନୁସାରେ କାଠ ଚିରାଯାଇ ପଠାଯିବ ବୋଲି ସୂଚନା ମିଳିଛି।

ଶ୍ରୀକ୍ଷେତ୍ର ନୀତି ଅନୁସାରେ, ଶ୍ରୀରାମ ନବମୀର ପୂର୍ବାହ୍‌ଣ ୮ଟା ୪୦ ମିନିଟ୍‌ରେ କାଠଚିରା ପାଇଁ ଶୁଭବେଳା ଧାର୍ଯ୍ୟ କରାଯାଇଥିଲା। ଆଜି ଠିକ୍‌ ୮ଟା ୪୦ ମିନିଟ୍‌ ସମୟରେ ତିନି ରଥ ପାଇଁ ତିନିଟି ବିଡ୍‌ (ଧଉରା) କାଠଚିରା ଅନୁକୂଳ ହୋଇଥିଲା। ଶ୍ରୀରାମ ନବମୀଠାରୁ ରଥ ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ ଆକାର ଓ ଆବଶ୍ୟକତା ଅନୁଯାୟୀ ଏଠାରେ କାଠ କଟାଯାଇ ପୁରୀକୁ ପଠାଯିବ। ରଥ ନିର୍ମାଣ ପାଇଁ ନୟାଗଡ଼, ବୌଦ୍ଧ, ଖୋର୍ଧା ଜୋନ୍‌ରୁ କାଠ ଆସୁଥିବା ବେଳେ ପ୍ରଥମ ଦିନରେ ଯେଉଁ କାଠ କଟାଯାଇଛି ତାହା ବୌଦ୍ଧ ବନଖଣ୍ଡରୁ ଆସିଥିବା ନିଗମ ପକ୍ଷରୁ କୁହାଯାଇଛି। ତିନୋଟି ସ୍ଥାନରୁ ବିଭିନ୍ନ ପର୍ଯ୍ୟାୟରେ ଟ୍ରକ ଯୋଗେ ଗଛ ଗଣ୍ଡି ଅଣାଯାଇ ରଥ ନିର୍ମାଣ ଆବଶ୍ୟକତା ଅନୁସାରେ ବିଶେଷ ଭାବେ ଏପ୍ରିଲ ଓ ମେ’ ମାସରେ ଅଧିକ ସଂଖ୍ୟାର କାଠ କଟାଯାଏ ଓ ଚିରା କାଠକୁ ଟ୍ରକରେ ପୁରୀକୁ ପଠାଯାଇଥାଏ। ରଥକାଠ ଅନୁକୂଳ ସମୟରେ ମନ୍ଦିର ପକ୍ଷରୁ ସୁଦର୍ଶନ ମେକାପ, ଅମିନ ରାମଚନ୍ଦ୍ର ମହାରଣା ଓ ଲକ୍ଷ୍ମଣ ମହାରଣା, ନିଗମ କରତକଳ ପରିଚାଳକ ଭାଗବତ ସାହୁ, ବିପିନ କୁମାର ରାଉତରାୟ, ସରୋଜ ମହାନ୍ତିଙ୍କ ସହିତ ସ-ମିଲ୍‌ର ସମସ୍ତ କର୍ମଚାରୀ ଓ ଶ୍ରମିକ ଉପସ୍ଥିତ ଥିଲେ। ଚିରା କାଠକୁ ଅକ୍ଷୟ ତୃତୀୟା ପୂର୍ବରୁ ପୁରୀକୁ ପଠାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର