ୟୁପିଏସ୍‌ସି ପରୀକ୍ଷାରେ ୩୮ତମ ସ୍ଥାନରେ ଜଗତସିଂହପୁରର ଅନୁପ ଦାସ: ‘ସମୟ ପରିଚାଳନା ଗୁରୁତ୍ବପୂର୍ଣ୍ଣ’

ଜଗତସିଂହପୁର ଟାଉନ୍: ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବା ପରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଦେଶରେ ୩୮ତମ ସ୍ଥାନ ହାସଲ କରିଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୋକିଢିଅ ଅଞ୍ଚଳର ମୂଳ ବାସିନ୍ଦା ଅନୁପ ଦାସ। ଅନୁପ ୨୦୧୯ ୟୁପିଏସ୍‌ସି ପରୀକ୍ଷାରେ ୧୨୦ ତମ ସ୍ଥାନରେ ରହି ଏବେ ନୂଆଦିଲ୍ଲୀଠାରେ ଆୟକର ବିଭାଗରେ ସହକାରୀ କମିସନର ଭାବେ କାର୍ଯ୍ୟରତ। ୧୯୯୫ ଅଗଷ୍ଟ ୭ ତାରିଖରେ ଜନ୍ମିତ ଅନୁପ ୨୦୧୧ରେ ମାଟ୍ରିକ୍‌ ପାସ୍ କରିଥିଲେ। ଏହାପରେ ସେ ଭୁବନେଶ୍ବରସ୍ଥିତ ବିଜେବି କଲେଜରୁ ୨୦୧୩ରେ ଯୁକ୍ତ ୨ ପାସ୍ କରିଥିଲେ। ପିଲାଟି ଦିନରୁ ମେଧାବୀ ଛାତ୍ର ଥିବା ଅନୁପ, ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ୨୦୧୬ରେ ପ୍ରାଣୀ ବିଜ୍ଞାନ ସ୍ନାତକରେ ଟପର୍ ହୋଇଥିଲେ। ୨୦୧୮ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକତ୍ତୋର ପାସ୍ କରିଥିଲେ। ଅନୁପ ଏହାପୂର୍ବରୁ ୨୦୧୭, ୨୦୧୮, ୨୦୧୯ରେ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ।

ଅନୁପଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
ପ୍ର: ଚାକିରିରେ ଥାଇ କେମିତି ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲେ?
ଉ: ଏହି ପରୀକ୍ଷା ମୋ ପାଇଁ ନୂଆ ନୁହେଁ। ଏହାପୂର୍ବରୁ ତିନିଥର ପରୀକ୍ଷା ଦେଇଛି। କିନ୍ତୁ ଚାକିରିରେ ଥିବାରୁ ମୋତେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଅଫିସ୍‌ ପୂର୍ବରୁ ଓ ଅଫିସ୍‌ ପରେ ବଳକା ସମୟରେ ପ୍ରସ୍ତୁତି କରୁଥିଲି। ସପ୍ତାହାନ୍ତ ବେଶୀ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ସମୟକୁ ପୂରା ପାଠପଢ଼ାରେ ଲଗାଉଥିଲି। ସମୟ ପରିଚାଳନା (ଟାଇମ୍ ମ୍ୟାନେଜମେଣ୍ଟ) ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା। ୟୁପିଏସ୍‌ସି ପରୀକ୍ଷାରେ ଭଲ ରୢାଙ୍କ୍‌ ପାଇବା ମୋର ଲକ୍ଷ୍ୟ ଥିଲା।
ପ୍ର: ସଫଳତାର ଶ୍ରେୟ କାହାକୁ ଦେବେ?
ଉ: ସଫଳତାର ଶ୍ରେୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମା, ଭାଇ, ଅନ୍ତରଙ୍ଗ ସାଙ୍ଗମାନଙ୍କୁ ହିଁ ଦେବି। କାରଣ ସେମାନେ ମୋତେ ବେଶୀ ଉତ୍ସାହିତ ଓ ସହଯୋଗ କରୁଥିଲେ। ଅଫିସ୍‌ କାମରେ ସମସ୍ତଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଉଥିବାରୁ ଆଜି ମୋତେ ଏହି ସଫଳତା ମିଳିପାରିଛି।
ପ୍ର: ଜୀବନର ଲକ୍ଷ୍ୟ କ’ଣ ରହିଛି?
ଉ: ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କରିବା ଓ ଯେଉଁଠି ବି ସୁଯୋଗ ମିଳିବ ସେଠାରେ ଓଡ଼ିଶା କଳା, ସଂସ୍କୃତିକୁ ପହଞ୍ଚାଇବା ମୋର ଲକ୍ଷ୍ୟ ରହିଛି।
ପ୍ର: ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ କି ବାର୍ତ୍ତା ଦେବେ?
ଉ: ୟୁପିଏସ୍‌ସି ପରୀକ୍ଷା ପ୍ରସ୍ତୁତି ନିଶ୍ଚିତ ଭାବେ କଠିନ। କିନ୍ତୁ ନିଷ୍ଠା, ପରିଶ୍ରମ ଓ ଧୈର୍ଯ୍ୟର ସହ ପ୍ରସ୍ତୁତି କଲେ କିଛି ମଧ୍ୟ ଅସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର